ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ଆପଣ ଗାଡ଼ି କିଣିବାକୁ ଚାହୁଁଛନ୍ତି କି? ତେବେ ଏବେଠୁ ନିଜର ଗାଡ଼ି କିଣିଆଣନ୍ତୁ। କାହିଁକି ନା, ନୂଆବର୍ଷରୁ ବିଭିନ୍ନ ଅଟୋମୋବାଇଲ କମ୍ପାନିଗୁଡ଼କ ନିଜ ଗାଡ଼ିର ଦାମ ବଢ଼େଇବାକୁ ଯାଉଛନ୍ତି। ଯଦି ଆପଣ ନୂଆ ବର୍ଷ ପରେ ଗାଡ଼ି କିଣିବେ ତେବେ ବର୍ତ୍ତମାନଠାରୁ ଅଧିକ ଦାମ୍‌ ଦେବାକୁ ପଡ଼ିପାରେ। ଆସନ୍ତା ଜାନୁଆରି ୧ରୁ ଅଟୋମୋବାଇଲ୍ କମ୍ପାନିଗୁଡ଼ିକ ବର୍ଦ୍ଧିତ ଦାମରେ ଗାଡ଼ି ବିକ୍ରି କରିବେ।

ହିରୋ ଓ ଟିଭିଏସ୍ କମ୍ପାନିର ବାଇକ୍ ହେବ ମହଙ୍ଗା

ଭାରତର ସୁବଠାରୁ ଲୋକପ୍ରିୟ ବାଇକ୍ ନିର୍ମାତା କମ୍ପାନି ହିରୋ ମଧ୍ୟ ନିଜର ଗାଡ଼ିଗୁଡ଼ିକର ଦାମ୍ ଆସନ୍ତା ବର୍ଷ ପହିଲାରୁ ବଢ଼େଇବାକୁ ଯାଉଛି। ନୂଆବର୍ଷ ପରେ ପ୍ରତି ହିରୋ କମ୍ପାନି ବାଇକ ଅଧିକ ୨ ହଜାର ଟଙ୍କାରେ ବିକ୍ରି ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସେହିପରି ଟିଭିଏସ୍ କମ୍ପାନି ମଧ୍ୟ ନିଜର ବାଇକ୍ ଗୁଡ଼ିକର ଦାମକୁ ୭୫୦୦ରୁ ୩୯ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ସୂଚନା ଦେଇଛି। ବର୍ତ୍ତମାନ କମ୍ପାନି ନିଜର ବାଇକଗୁଡ଼ିକକୁ ଅପଗ୍ରେଡ୍ କରି ନୂଆ ମଡେଲରେ ଆଣୁଥିବାରୁ ଦାମକୁ ବୃଦ୍ଧି କରାଯାଇଛି।

କାର ଦାମ୍ ବଢ଼େଇବ ହ୍ୟୁଣ୍ଡାଇ କମ୍ପାନି

ଜାନୁଆରୀ ମାସ ପହିଲାରୁ କାର୍ ନିର୍ମାତା କମ୍ପାନି ହ୍ୟୁଣ୍ଡାଇ ନିଜର ଗାଡ଼ିଗୁଡ଼ିକର ଦାମକୁ ବୃଦ୍ଧି କରିବ। ଏନେଇ କମ୍ପାନି ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇସାରିଛି। ତେବେ କେଉଁ ମଡେଲର ଗାଡ଼ିରେ କେତେ ଦାମ୍ ବୃଦ୍ଧି ହେବ ସେନେଇ କମ୍ପାନି କୌଣସି ସୂଚନା ଦେଇନାହିଁ। ଅଟୋମୋବାଇଲ୍ ଜଗତରେ ଏବେ ଗାଡ଼ିର ଉତ୍ପାଦନ ଓ କଞ୍ଚାମାଲର ଦାମ ବୃଦ୍ଧି ପାଇବା ହେତୁ ଗାଡ଼ିର ଦାମ୍ ବଢ଼ାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ମାରୁତି ସୁଜୁକି ଓ ଟାଟା କମ୍ପାନି ବଢ଼େଇବେ ଗାଡ଼ିର ଦାମ

ଭାରତର ସବୁଠୁ ବଡ଼ କାର ନିର୍ମାଣ କମ୍ପାନି ମାରୁତି ସୁଜୁକି ମଧ୍ୟ ନିଜ କାର୍ ଦାମକୁ ଅଧିକ କରି ବିକ୍ରି କରିବ। ୨୦୨୦ ଜାନୁଆରୀ ୧ରୁ ଅଧିକ ଦାମରେ କମ୍ପାନି ତାର କାରକୁ ବିକ୍ରି କରିବ ବୋଲି କହିଛି। ସେହିପରି ଟାଟା କମ୍ପାନି ମଧ୍ୟ ନିଜର ଗାଡ଼ିଗୁଡ଼ିକର ଦାମକୁ ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି କହିସାରିଛି।

ଏହି କମ୍ପାନିଗୁଡ଼ିକ ବ୍ୟତୀତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟୋୟୋଟା ଓ ମର୍ସିଡିଜ୍ ବେଞ୍ଜ୍ କମ୍ପାନିର ଗାଡ଼ିଗୁଡ଼ିକର ଦାମ ମଧ୍ୟ ବଢ଼ିବ ବୋଲି ସୂଚନା ମିଳିଛି।

Comment