ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନାଗରିକତା ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ ପରେ ବିଜେପି-ବିଜେଡିର ସମ୍ପର୍କକୁ ନେଇ ଓଡ଼ିଶାରେ ଚର୍ଚ୍ଚା ହୋଇଥିଲା। ଦିଲ୍ଲୀରେ ଦୋସ୍ତି, ଓଡ଼ିଶାରେ କୁସ୍ତି ବୋଲି କଂଗ୍ରେସ ଆକ୍ଷେପ କରିଥିଲା।

ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ଭିତରେ ଗୋଟିଏ ପ୍ରକାର ସମ୍ପର୍କ ରହିଥିବା ବେଳେ ନିର୍ବାଚନ ପରେ କାହିଁକି ସମ୍ପର୍କ ବଦଳିଗଲା ବୋଲି ରାଜନୀତି ପଣ୍ଡିତ କାରଣ ଖୋଜୁଥିଲେ। ତେବେ ଏସବୁ ଭିତରେ ଆଜି ଆଉ ଗୋଟିଏ କଥା ସାମ୍ନାକୁ ଆସିଛି। ବିଜେଡି କେନ୍ଦ୍ରର ବିଜେପି ସରକାର ପାଖରେ ‘ଗିଭ୍‌ ଆଣ୍ଡ ଟେକ୍‌’ ପଲିସି କାର୍ଡ ଖେଳିଥିବା କୁହାଯାଉଛି। ଅର୍ଥାତ୍‌ ଆମେ ସମର୍ଥନ କରୁଛୁ, ତମେ ବି ଆମ ଦାବି ମାନ। ଏହି ନ୍ୟାୟରେ ଏବେ କେନ୍ଦ୍ରରେ ସବୁ ବିଲ୍‌କୁ ବିଜେଡି ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି।

୯ ତାରିଖରେ ଲୋକସଭାରେ ପାସ୍‌ ହୋଇଥିଲା ନାଗରିକତା ସଂଶୋଧନ ବିଲ୍‌। ଆଲୋଚନାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଭାଗ ନେଇ ସମର୍ଥନ ଘୋଷଣା କରିଥିଲେ। ପରେ ଏହି ବିଲ୍‌କୁ ନେଇ ଘମାଘୋଟ ଆଲୋଚନା ଚାଲିଥିଲା। ଏହି ଆଲୋଚନା ପରେ ବିଜେଡି ସାଂସଦମାନେ କେନ୍ଦ୍ର ମୃହମନ୍ତ୍ରୀ ଅମିତ ଶାହଙ୍କୁ ସଂସଦରେ ତାଙ୍କ ପ୍ରକୋଷ୍ଠରେ ଭେଟିଥିଲେ।

ବିଜେଡି ସାଂସଦ ଏବଂ ଅମିତ ଶାହଙ୍କ ଭେଟ୍‌ଘାଟକୁ ନେଇ ଆଲୋଚନା ଚାଲିଲା। ବିଲ୍‌ ପାସ୍‌ ପରେ ବିଜେଡି ସାଂସଦ କାହିଁକି ଶାହଙ୍କୁ ଭେଟିଲେ ତାକୁ ନେଇ କାରଣ ଖୋଜା ଚାଲିଲା। ବିଲ୍‌କୁ ସମର୍ଥନ ପାଇଁ ବିଜେଡି ଓ ବିଜେପି ଭିତରେ କିଛି ଡିଲ୍‌ ହୋଇଥିଲା କି ବୋଲି ଚର୍ଚ୍ଚା ଚାଲିଲା।

ଏସବୁ ଭିତରେ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ମୁହଁ ଖୋଲିଛନ୍ତି। ଓଡ଼ିଶା ବିଧାନ ପରିଷଦ ବିଲ୍‌ କେମିତି ସଂସଦରେ ପାସ୍‌ ହେବ ସେନେଇ ଆଲୋଚନା ହୋଇଥିଲା ବୋଲି ପିନାକୀ କହିଛନ୍ତି।

ବିଜେଡି ସାଂସଦଙ୍କ ଏହି ମନ୍ତବ୍ୟ ପରେ ରାଜନୀତି କରିର ଉଠୁଛି ପଡୁଛି। ବିଧାନ ପରିଷଦ ବିଲ୍‌ ପାସ୍‌ କରିବା ପାଇଁ ବିଜେଡି କେନ୍ଦ୍ର ସରକାରଙ୍କ ବିଲ୍‌କୁ ସମର୍ଥନ ଦେଉଥିବା କୁହାଯାଉଛି। ବିଜେଡିର ଏହି ନୀତିକୁ ‘ଗିଭ୍‌ ଆଣ୍ଡ ଟେକ’ ପଲିସି ବୋଲି ରାଜନୀତି ପର୍ଯ୍ୟବେକ୍ଷକ କହୁଛନ୍ତି।

ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ଗତ ଦୁଇ ବର୍ଷ ତଳେ ବିଧାନସଭାରେ ବିଲ୍‌ ପାସ୍‌ ହୋଇଛି। ସଂସଦରେ ବିଲ୍‌ ପାସ୍‌ ହେବା ପରେ ହିଁ ବିଧାନ ପରିଷଦ ଗଠନ ସମ୍ଭବ ହେବ। ହେଲେ ସଂସଦରେ ଏହି ବିଲ୍‌ ପାସ୍‌ ହୋଇପାରୁନି। ଆସନ୍ତା ବଜେଟ୍‌ ଅଧିବେଶନରେ ବିଧାନ ପରିଷଦ ବିଲ୍‌ ଆଗତ କରିବାକୁ ବିଜେଡି କେନ୍ଦ୍ର ଉପରେ ଚାପ ପକାଉଥିବା କୁହାଯାଉଛି।

Comment