ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ ନୂଆଦିଲ୍ଲୀ ଯାଇ ସଭାପତି ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଦାବି କରିଛନ୍ତି।

ରାଜ୍ୟ କଂଗ୍ରେସ ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ପାଇଁ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କଲେ ନିରଞ୍ଜନ ବିରୋଧୀ ଗୋଷ୍ଠୀ। ସୋମବାର ନୂଆଦିଲ୍ଲୀରେ ସୋନିଆଙ୍କ ବାସଭବନକୁ ଯାଇ ପିସିସି ସଭାପତି ପରିବର୍ତ୍ତନ ପାଇଁ ଏହି ଗୋଷ୍ଠୀ ଦାବି କରିଛି।

ସୋମବାର ଅପରାହ୍‌ଣରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାସ, ସଦାନନ୍ଦ ରାଉତ, ଶୈଳବାଳା ଜେନା, ନିକୁଞ୍ଜ ପଶାୟତଙ୍କ ଭଳି କଂଗ୍ରେସ ନେତା ସୋନିଆଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ରାଜ୍ୟରେ କଂଗ୍ରେସକୁ ସୁଦୃଢ଼ କରିବାକୁ ହେଲେ ଜଣେ ଯୁବ ନେତୃତ୍ୱର ଆବଶ୍ୟକତା ଅଛି ବୋଲି ସେମାନେ ଦାବି କରିଛନ୍ତି।ଗତ କିଛି ଦିନ ତଳେ ନିରଞ୍ଜନଙ୍କୁ ସଭାପତି ପଦରୁ ହଟାଇବା ପାଇଁ କଂଗ୍ରେସର ଗୋଟିଏ ଗୋଷ୍ଠୀ ଅଣ୍ଟା ଭିଡ଼ିଥିଲେ। ନିରଞ୍ଜନଙ୍କ ବଦଳରେ କଟକ-ବାରବାଟୀ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମଙ୍କୁ ନୂତନ ସଭାପତି କରିବା ପାଇଁ ଦାବି ହୋଇଥିଲା।

ନିରଞ୍ଜନ ପଟ୍ଟନାୟକ ମଧ୍ୟ ତାଙ୍କ ବିରୋଧୀ ଗୋଷ୍ଠୀଙ୍କୁ ତାଙ୍କର ଜବାବ ଦେଇଥିଲେ। ସେ କହିଥିଲେ ଯେ, ଯିଏ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ତାଙ୍କର ନାଁ ତାଙ୍କୁ କୁହନ୍ତୁ। ସେ ନିଜେ ସୋନିଆ ଗାନ୍ଧୀଙ୍କୁ ତାଙ୍କର ନାଁ ଜଣାଇଦେବେ।

ଏହି ଘଟଣାର କିଛି ଦିନ ପରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ସିଧାସଳଖ ପିସିସି ସଭାପତି ପରିବର୍ତ୍ତନ ହେବା ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ପିସିସି ସଭାପତି କରିବା ନେଇ କୌଣସି ଯୋଜନା ନାହିଁ। ନିରଞ୍ଜନ ହିଁ ସଭାପତି ହୋଇ ରହିବେ ବୋଲି ସେ ସିଧାସିଧା କହିଥିଲେ।କଂଗ୍ରେସ ପ୍ରଭାରୀଙ୍କ ଏହି ମନ୍ତବ୍ୟ କିଛି ଦିନ ପାଇଁ ନିରଞ୍ଜନ ବିରୋଧୀ ଗୋଷ୍ଠୀଙ୍କୁ ଚୁପ୍ କରିଦେଇଥିଲା। ଏବେ କିଛି ଦିନ ପରେ ପୁଣି ଏହି ବିରୋଧୀ ଗୋଷ୍ଠୀ ଟ୍ରାକକୁ ଫେରିଛନ୍ତି। ସିଧାସଳଖ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି।

Comment