ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରଖ୍ୟାତ ଐତିହାସିକ ସ୍ୱର୍ଗତ କୃପାସିନ୍ଧୁ ମିଶ୍ରଙ୍କ ଦ୍ୱାରା ଲିଖିତ ଏବଂ ବୁକ୍ସ ଆଣ୍ଡ ବୁକ୍ସଙ୍କ ଦ୍ୱାରା ପ୍ରକାଶିତ ‘ଉତ୍କଳ ଇତିହାସ’ ସୂତ୍ରରୁ

ଓଡ଼୍ରମାନେ ପ୍ରଥମରୁ ସମରକୁଶଳ ଜାତି ଥିଲେ। ସେମାନେ କ୍ଷତ୍ରୀୟ, ମାତ୍ର ପତିତ କ୍ଷତ୍ରୀୟ ଥିଲେ। ଯୁଦ୍ଧ ସେମାନଙ୍କର ପ୍ରଧାନ ବ୍ୟବସାୟ ଥିଲା। ଗଙ୍ଗବଂଶର ରାଜତ୍ୱକାଳରେ ଓଡ୍ରମାନେ ସେମାନଙ୍କ ସୈନ୍ୟ ଶ୍ରେଣୀଭୁକ୍ତ ଥିଲେ ଏବଂ ସେହିମାନଙ୍କ ନାମାନୁସାରେ ମୁସଲମାନମାନେ ଦେଶକୁ ଓଡ଼ିଶା ନାମଦେଲେ। ଗଙ୍ଗ ଓ ସୂର୍ଯ୍ୟବଂଶର ରାଜତ୍ୱବେଳେ ଓଡ଼୍ରମାନେ ଦେଶର ନାନାସ୍ଥାନରେ ଜାଗିରି ଜମିପାଇ ବସତି କଲେ। ପରେ ଖୋର୍ଦ୍ଧାରେ ଭୋଇବଂଶ ରାଜତ୍ୱ ଆରମ୍ଭ ହେବାରୁ ସେମାନେ ଅଧିକ ସଂଖ୍ୟାରେ ଖୋର୍ଦ୍ଧା ମଧ୍ୟରେ ଜାଗିରି ପାଇ ବାସ କଲେ। ସେମାନଙ୍କ ବସତି ଯୋଗେ ଖୋର୍ଦ୍ଧା ମଧ୍ୟ ଅଦ୍ୟାପି ଲୋକରେ ‘ଓଡ଼ିଶା’ ନାମରେ କଥିତ। ସେହି ଓଡ୍ରମାନେ ସାଧାରଣତଃ ପଦାତିକ ସୈନ୍ୟ ଥିଲେ। ଉତ୍କଳର ଅନ୍ୟମାନେ ମଧ୍ୟ ଓଡ୍ରମାନଙ୍କ ସଙ୍ଗେ ମିଶି ପଦାତିକ ହୋଇଥିଲେ, ସୁତରାଂ ସମସ୍ତ ପଦାତିକଦଳ କାଳକ୍ରମେ ପାଇକ ନାମରେ ପରିଚିତ ହେଲେ।

ଖୋର୍ଦ୍ଧାରେ ବସତି କରିବା ପରେ ସେମାନେ ପାରମ୍ପରିକ ଯୁଦ୍ଧ ଓ କୃଷି ବ୍ୟବସାୟ ଧରିଥିଲେ। ରାଜାଙ୍କଠାରୁ ପାଇଥିବା ଜାଗିରି ଜମି ନିଷ୍କରଭାବରେ ଭୋଗ କରି ଚାଷ କାର୍ଯ୍ୟରେ ଥାନ୍ତି: ମାତ୍ର ଯୁଦ୍ଧବେଳେ ରାଜାଙ୍କ ଆଦେଶରେ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହୁଅନ୍ତି। ସେମାନଙ୍କ ସାମରିକ ଶିକ୍ଷା  ଓ ଶୃଙ୍ଖଳା ବିଚକ୍ଷଣ, ଏବଂ ରାଜା ଓ ସେନାପତିଙ୍କଠାରେ ଭକ୍ତି ଅଚଳ ଓ ବିଶ୍ୱାସ ଅଟଲ ଥିଲା। ଇଂରେଜ ସିପାହୀମାନଙ୍କ ତୁଳନାରେ ସେମାନେ ବନ୍ୟ ଓ ଅସଭ୍ୟ ପରି ଦେଖାଯାଉଥିଲେ, ମାତ୍ର ଯୁଦ୍ଧକ୍ଷେତ୍ରରେ ସେମାନଙ୍କ ସାହସ ଓ ଶୃଙ୍ଖଳା ତିନିଶତ ବର୍ଷର ପରାଧୀନତା ସତ୍ୱେ ଇଂରେଜ ସେନାପତିମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରାଇଥିଲା।

ଅସ୍ତ୍ରଶସ୍ତ୍ର ଓ ବ୍ୟବସାୟ ଭେଦରେ ପାଇକମାନେ ସାଧାରଣତଃ ତିନିଶ୍ରେଣୀରେ ବିଭକ୍ତ।

୧- ‘ପହାରୀ’ ପାଇକ, ସେମାନଙ୍କର ପ୍ରଧାନ ଶସ୍ତ୍ର ଲମ୍ବା ଓ ସିଧା ତରବାରୀ ଏବଂ କାଠରେ ଚମଛିଆଣି ଓ ଲୁହା ଗୋବ ଥିବା ଢ଼ିଲା। ଏହି ପହାରୀ ପାଇକମାନେ ଦୁର୍ଗ ଓ ରାଜନଅର ରକ୍ଷାରେ ନିଯୁକ୍ତ ଥିଲେ।

୨- ଦ୍ୱିତୀୟ ଶ୍ରେଣୀ ପାଇକଙ୍କୁ “ବଣୁଆ ପାଇକ” କହନ୍ତି। ପ୍ରଥମେ ଧନୁଶର ଏମାନଙ୍କ ପ୍ରଧାନ ଅସ୍ତ୍ର ଥିଲା। ପରେ ପୁଣି ବନ୍ଧୁକ ବ୍ୟବହାର କଲେ। ଯୁଦ୍ଧ ଅଭିଯାନରେ ଦୂରଦେଶକୁ ଯିବା ପ୍ରଧାନତଃ ଏହିମାନଙ୍କର କାର୍ଯ୍ୟ ଥିଲା।

୩- ତୃତୀୟ ଶ୍ରେଣୀ ପାଇକ ‘ଢେଙ୍କିଆ’ ନାମରେ ପରିଚିତ। ଧନୁଶର ଓ ଖଣ୍ଡା ଏମାନଙ୍କର ପ୍ରଧାନ ଅସ୍ତ୍ରଶସ୍ତ୍ର। ରାଜାଙ୍କ ଆଦେଶ ଅନୁସାରେ ରାଜ୍ୟ ମଧ୍ୟରେ ସାଧାରଣ ଶାନ୍ତି ରକ୍ଷାଠାରୁ ଆରମ୍ଭ କରି ଶତ୍ରୁ ସଙ୍ଗେ ଯୁଦ୍ଧ କରିବା ପର୍ଯ୍ୟନ୍ତ ସକଳ କାର୍ଯ୍ୟ ପାଇଁ ଏମାନେ ପ୍ରସ୍ତୁତ ଥିଲେ। ଯୁଦ୍ଧ ପରିଚ୍ଛଦ ମଧ୍ୟରେ ସେମାନଙ୍କ ମସ୍ତକରେ ଟୋପି ଏବଂ ଶରୀରର ସର୍ବାଙ୍ଗ ବ୍ୟାଘ୍ର ଚର୍ମରେ ଆବୃତ। ସର୍ବାଙ୍ଗ ହଳଦି ତେଲରେ ରଞ୍ଜିତ। ମସ୍ତକର ସିନ୍ଦୁର ଟୋପା ଯୋଗେ ଆକୃତି ଭୀଷଣ ଦେଖାଯାଏ।

ଆଧୁନିକ ସଭ୍ୟତା ଦୃଷ୍ଟିରେ ପାଇକଙ୍କ ଆକୃତି ବଣ୍ୟ ବୋଧ ହେଲେ ହେଁ ଯୁଦ୍ଧ କ୍ଷେତ୍ରରେ ସେମାନଙ୍କ ସାହସ ଓ କୌଶଳ ପ୍ରଶଂସନୀୟ ଥିଲା। ସେହି ବେଶରେ ସେମାନେ ତିନିଶତ ବର୍ଷ ପର୍ଯ୍ୟନ୍ତ ପ୍ରବଳ ମୁସଲମାନବାହିନୀ ବିରୋଧରେ ଦେଶ ରକ୍ଷା କରି ତାହା ପୁଣି ବଢ଼ାଇ ଥିଲେ; ଏବଂ ଶତ ଶତ ବର୍ଷବ୍ୟାପୀ ପରାଧୀନତା ସତ୍ୱେ ମରହଟ୍ଟା ଅଶ୍ୱାରୋହୀମାନଙ୍କର ସମକକ୍ଷ ଯୋଦ୍ଧା ଥିଲେ। କେହି କେହି ଇଂରେଜ ଲେଖକ ଯେପରି କହିଛନ୍ତି, ଇଂରେଜ ସରକାର ପ୍ରଥମରୁ ସେମାନଙ୍କ ପ୍ରତି ଉଦାର ଓ ସଂଖ୍ୟାନୀତି ଧରିଥିଲେ ଏବଂ ସେମାନଙ୍କର ବଂଶଗତ ଅଧିକାର ରକ୍ଷା କରି ଆଧୁନିକ ଯୁଦ୍ଧବିଦ୍ୟାରେ ସେମାନଙ୍କୁ ଶିକ୍ଷିତ କରାଇଥିଲେ, ଭାରତରେ ଅନ୍ୟତ୍ର ଶିଖ, ଗୁଖାଙ୍କ ପରି ଓଡ଼ିଶାର ପାଇକ ଦଳ ଆଧୁନିକ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଏବଂ ଅଳ୍ପ ବ୍ୟୟରେ ଇଂରେଜ ସରକାରଙ୍କର ପ୍ରଧାନ ସୈନ୍ୟବଳ ହୋଇଥାନ୍ତେ।

ପାଇକ ବିଦ୍ରୋହର କାରଣ:

ମାତ୍ର ସେ ଉଦାରତା ପରିବର୍ତ୍ତରେ ଇଂରେଜ ଶାସନନୀତି ପାଇକମାନଙ୍କର ସର୍ବନାଶର କାରଣ ହେଲା। ଖୋର୍ଦ୍ଧା ରାଜବିଦ୍ରୋହ ପରେ ଖୋର୍ଦ୍ଧା ଇଂରେଜ ସରକାରଙ୍କ “ଖାସମାହାଲ” ହୋଇ ରହିଲା। ମେଜର ଫ୍ଲେଚର ଖୋର୍ଦ୍ଧା ଶାସନ କାର୍ଯ୍ୟରେ ନିଯୁକ୍ତ ହେଲେ ଏବଂ ଖୋର୍ଦ୍ଧାରେ ସରକାରୀ କଚେରୀ ପ୍ରଥମେ ନିର୍ମାଣ କଲେ। ପାଇକମାନଙ୍କ ପ୍ରତି ତାହାଙ୍କ ବ୍ୟବହାର ବଡ଼ କଠୋର ଥିଲା। ପାଇକମାନେ ଆବହମାନ କାଳରୁ ଯେଉଁ ନିଷ୍କର ଜାଗିରି ଭୋଗ କରିଆସୁଥିଲେ, ଫ୍ଲେଚର ସେ ସମସ୍ତ ଜାଗିରି ପାଇକମାନଙ୍କଠାରୁ ଛଡ଼ାଇ ନେଇ ସରକାରଙ୍କ ଖାସମାହାଲ ମଧ୍ୟରେ ରଖିଲେ, ଏବଂ ସେହି ଜମି ଉପରେ ଜମାଧାର୍ଯ୍ୟ କଲେ। ରାଜସ୍ୱ ଆଦାୟ ନିମନ୍ତେ ଯେଉଁ ସରକାରମାନେ ନିଯୁକ୍ତ ରହିଲେ, ସେମାନେ କଠୋର ଭାବରେ କର ଆଦାୟ କରି ପାଇକମାନଙ୍କ ଉପରେ ଅତ୍ୟାଚାର କଲେ। ତାହାର ପରେ ପୁଣି ପାପାଚାରୀ ପୋଲିସ୍ କର୍ମଚାରୀମାନଙ୍କ ଅତ୍ୟାଚାର ଆହୁରି ଅସହନୀୟ ହୋଇ ଉଠିଲା।

ସେତେବେଳେ ବଙ୍ଗାଳୀମାନେ ସରକାରଙ୍କର ପ୍ରଧାନ କର୍ମଚାରୀ ଥିଲେ। ନିଜ ନିଜର ସ୍ୱାର୍ଥସିଦ୍ଧି  ନିମନ୍ତେ ସେମାନେ ଯେ କଦର୍ଯ୍ୟ ଆଚରଣ କରୁଥିଲେ ତାହା ପାଇକମାନଙ୍କୁ ବିଶେଷ ଉତ୍ତେଜିତ କରୁଥିଲା। ଏହା ଉପରେ ପୁଣି ସରକାରଙ୍କର କର ଆଦାୟ ନୀତିର କଠୋରତା। ଆବହମାନ କାଳରୁ ଭୂମିରାଜସ୍ୱ ଶସ୍ୟ କିମ୍ବା କଉଡ଼ି ଆକାରରେ ଦିଆହୋଇ ଆସୁଥିଲା। ମାତ୍ର ଇଂରେଜ ସରକାର କଉଡ଼ି ପରିବର୍ତ୍ତରେ କେବଳ ଟଙ୍କାରେ ରାଜସ୍ୱ ଦାବି କଲେ ଏବଂ କଉଡ଼ିର ମୂଲ୍ୟ ୧ ଟଙ୍କାରେ ୫୧୨୦ କଉଡ଼ି ସ୍ଥିର କରିଦେଲେ। କିନ୍ତୁ ପ୍ରକୃତରେ ଗ୍ରାମ ମହାଜନଙ୍କଠାରେ କଉଡ଼ି ବଦଳାଇ ଟଙ୍କା କଲାବେଳକୁ ପ୍ରଜାମାନଙ୍କୁ ଟଙ୍କା ପ୍ରତି ୭୬୮୦ କଉଡ଼ି ଦେବାକୁ ପଡ଼ୁଥିଲା। ଏହା ଉପରେ ସରବରାକାର ଏବଂ ସେମାନଙ୍କ ରାଜସ୍ୱ ଆଦାୟକାରୀମାନଙ୍କର ଅଯଥା ଦାବି ମଧ୍ୟ ଥିଲା। ଆବହମାନକାଳରୁ ନିଷ୍କର-ବୃତ୍ତି-ଭୋଗୀ ପାଇକମାନେ ଏହି ରୂପେ ରାଜସ୍ୱ ଆଦାୟ ଦେବାକୁ ଘୋର ଯନ୍ତ୍ରଣା ମଣୁଥିଲେ।

ଏହିସବୁ ଯନ୍ତ୍ରଣା ଓ ଅତ୍ୟାଚାର ଉପରେ ସରକାରଙ୍କର ଲୁଣ କର ପାଇକମାନଙ୍କୁ ଆହୁରି ବାଧିଲା। ସରକାରର କଠୋର ଲୁଣକର ନୀତିରେ ଓଡ଼ିଶାରୁ ଲୁଣ ବ୍ୟବସାୟ ଉଠିଲା। ଚିଲିକା କୂଳବର୍ତ୍ତୀ ଯେଉଁ ପାଇକ ଓ ପ୍ରଜାମାନେ ବର୍ଷ ମଧ୍ୟରୁ ଛମାସ ନିଷ୍କର ଜାଗିରି ଚାଷବାସ କରି ଏବଂ ଛମାସ ଲୁଣ ବ୍ୟବସାୟ କରି ଜୀବିକାର୍ଜନ କରୁଥିଲେ, ଲୁଣ ବ୍ୟବସାୟ ବନ୍ଦ ହେବାରୁ ସେମାନେ ଆବହମାନ କାଳରୁ ଚାଲିଥିବା ପୈତୃକ ଜୀବିକାରୁ ବଞ୍ଚିତ ହୋଇପଡ଼ିଲେ। ଏହିପରି ଅସହାୟ ବେଳେ ଇଂରେଜ ଶାସନରେ ଦୟା ଓ ନ୍ୟାୟ ବିଚାରର କୌଣସି ଆଶା ନ ଦେଖି ଆପଣାର ପ୍ରାଚୀନ ଖୋର୍ଦ୍ଧା ରାଜାଙ୍କ ରାଜତ୍ୱର ପୁନଃ ପ୍ରତିଷ୍ଠା ସକାଶେ ସମ୍ପୂର୍ଣ୍ଣ ମନସ୍ଥ କଲେ। ଏହି ଘୋର ବିଦ୍ରୋହନଳରେ ପୂର୍ଣ୍ଣ ଆହୂତି ଦେବା ପାଇଁ ଅଭାବ ରହିଲା କେବଳ ଜଣେ ଉପଯୁକ୍ତ ପୁରୋଧା, ସୁଦକ୍ଷ ଓ ବିଶ୍ୱାସଭାଜନ ନାୟକ।

ବକ୍‌ସି ଜଗବନ୍ଧୁ ବିଦ୍ୟାଧର:

ଘଟଣାବର୍ତ୍ତରେ ସେହି ଉପଯୁକ୍ତ ନାୟକ ମଧ୍ୟ ବାହାରି ପଡ଼ିଲେ। ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ବଂଶପରମ୍ପରାକ୍ରମେ ଖୋର୍ଦ୍ଧା ରାଜବଂଶର ‘ବକ୍‌ସି’ ବା ପ୍ରଧାନ ସେନାପତିର କାର୍ଯ୍ୟ କରିଆସୁଥିଲେ। ବଂଶପରମ୍ପରାକ୍ରମେ ବକ୍‌ସିମାନଙ୍କୁ ପାଇକମାନେ ଆପଣାର ଉପଯୁକ୍ତ ସେନାପତି ବୋଲି ଭକ୍ତି ଓ ବିଶ୍ୱାସ କରୁଥିଲେ, ଏବଂ ରାଜାଙ୍କ ବ୍ୟତୀତ ବକ୍‌ସି ହିଁ ସମଗ୍ର ଦେଶ ତଥା ପାଇକ ସମାଜର ସର୍ବୋଚ୍ଚ ସମ୍ମାନପାତ୍ର ଥିଲେ। ପାଇକମାନଙ୍କର ଉପସ୍ଥିତ ଘୋର ଅସନ୍ତୋଷ ଓ ନିରାଶା ଅବସ୍ଥାରେ ବକ୍‌ସି ଅଗ୍ରସର ହୋଇ ବାହାରିବାରୁ କେବଳ ବିଦ୍ରୋହରେ ହିଁ ସେମାନଙ୍କର ସକଳ ଆଶା ଓ ବିଶ୍ୱାସ ଜାଗ୍ରତ ଓ ଦୃଢ଼ୀଭୂତ ହେଲା।

ଖୋର୍ଦ୍ଧା ରାଜବଂଶ ସୃଷ୍ଟିକାଳରୁ ଜଗବନ୍ଧୁଙ୍କ ବଂଶ ପୁରୁଷାନୁକ୍ରମେ ଖୋର୍ଦ୍ଧା ମହାରାଜାଙ୍କର ବକ୍‌ସି ଥାଇ ନିଷ୍କର ଜାଗିରୀ ଓ ଅନ୍ୟାନ୍ୟ ଉପସତ୍ତ୍ୱ ବ୍ୟତୀତ, ରୋଡଙ୍ଗ କିଲା ଅତି ସାମାନ୍ୟ ଜମାରେ ଭୋଗକରି ଆସୁଥିଲେ। ଖୋର୍ଦ୍ଧା ରାଜା ମରହଟ୍ଟାମାନଙ୍କୁ ରାହାଙ୍ଗ, ଚବିଶକୁଦ ପ୍ରଭୃତି ପ୍ରଗଣାମାନ ବନ୍ଧକ ଦେବାରୁ ଜଗବନ୍ଧୁଙ୍କ ପୂର୍ବପୁରୁଷ ତହିଁମଧ୍ୟରୁ ରୋଡଙ୍ଗ କିଲା ମରହଟ୍ଟାମାନଙ୍କଠାରୁ କ୍ରୟ କରି ଭୋଗ କରୁଥିଲେ। ଇଂରେଜମାନେ ଓଡ଼ିଶା ଅଧିକାର କରିବା ବେଳେ ଜଗବନ୍ଧୁ ରୋଡ଼ଙ୍ଗର ଅଧିକାରୀ ଥିଲେ; ଏବଂ କର୍ଣ୍ଣେଲ ହାକୋର୍ଟ ସେହି ବାଟେ ପୁରୀ ଆସିବା ବେଳେ ଜଗବନ୍ଧୁ ତାଙ୍କର ବଶ୍ୟତା ସ୍ୱୀକାର କରିଥିଲେ। ସୁତରାଂ ଓଡ଼ିଶା ଅଧିକାର ପରେ ୧୮୦୪ ସାଲରେ ରୋଡଙ୍ଗ କିଲା ନିମନ୍ତେ ବକ୍‌ସି ଜଗବନ୍ଧୁଙ୍କ ସଙ୍ଗେ ଇଂରେଜ ସରକାରଙ୍କର ବନ୍ଦୋବସ୍ତ ହୋଇଥିଲା।

ପୁଣି ୧୮୦୫-୦୬ ଖ୍ରୀଷ୍ଟାବ୍ଦର ବନ୍ଦୋବସ୍ତରେ ବକ୍‌ସିଙ୍କ ସଙ୍ଗେ ନୂତନ ବନ୍ଦୋବସ୍ତ ୩ ବର୍ଷ ନିମନ୍ତେ ଧାର୍ଯ୍ୟ କରାଗଲା। ଏଥିମଧ୍ୟରେ କୃଷ୍ଣଚନ୍ଦ୍ର ସିଂହ ନାମକ କଲିକତା ନିକଟବର୍ତ୍ତୀ ପାଇକପଡ଼ାର ଜଣେ ବଙ୍ଗାଳୀ ପ୍ରଥମେ କଲେକ୍ଟରଙ୍କର ଦେବାନ ଥିଲେ। ଖୋର୍ଦ୍ଧା ରାଜାଙ୍କଠାରୁ ମରହଟ୍ଟାମାନେ ପାଇଥିବା କେତେକ ପ୍ରଗନାର ତହସିଲଦାର ରୂପେ କୃଷ୍ଣଚନ୍ଦ୍ରଙ୍କର ଜଣେ ଭାଇ ଗୌରହରି ସିଂହ ନିଯୁକ୍ତ ଥିଲେ। ଇଂରେଜ ଅଧିକାର ସଙ୍ଗେ ଉକ୍ତ ପ୍ରଗନାମାନ ସରକାରଙ୍କ ଖାସ୍ ଦଖଲରେ ରହିଲା; ଏବଂ ରାଜସ୍ୱ ଆଦାୟ ନିମନ୍ତେ ତହିଁରେ ଜଣେ ଅଧିକାରୀ ନିଯୁକ୍ତ ହେଲେ। ଏହି ସୂତ୍ରରେ ଦେବାନ କୃଷ୍ଣଚନ୍ଦ୍ର ସିଂହ ରାହାଙ୍ଗ ପ୍ରଗନାଟି ଆପଣାର ଜଣେ ବିଶ୍ୱାସୀ ଆତ୍ମୀୟ ଲକ୍ଷ୍ମୀନାରାୟଣ ନାମକ ଅନ୍ୟ ଜଣେ ବଙ୍ଗାଳୀଙ୍କ ନାମରେ ୧୮୦୯ ଖ୍ରୀଷ୍ଟାବ୍ଦରେ ବନ୍ଦୋବସ୍ତ କରାଇନେଲେ। ରାହାଙ୍ଗ ଓ ରୋଡଙ୍ଗର ଜମିଦାରୀ ଆତ୍ମସାତ୍ କରିବା ନିମନ୍ତେ କୃଷ୍ଣଚନ୍ଦ୍ରଙ୍କର ଘୋର ଅଭିଳାଷ ଥିଲା, ଏବଂ ନିଜେ ଦେବାନ ବିଶେଷ କୌଶଳୀ ଓ ବିଚକ୍ଷଣ ମତିମାନ ଥିବାରୁ ସେ ଅଭିଳାଷ ସାଧନରେ ଯଥେଷ୍ଟ ସୁବିଧା ହେଲା। ରାହାଙ୍ଗ ପ୍ରଗନା ବେନାମୀସ୍ୱରୂପ ସେ ଲକ୍ଷ୍ମୀନାରାୟଣଙ୍କ ନାମରେ ଧରାଇଥିଲେ। ବାକି ଜଗବନ୍ଧୁଙ୍କ ଅଧିକାର ଉଚ୍ଛେଦ କରି ସେ ରୋଡ଼ଙ୍ଗ ଖଣ୍ଡି ଆତ୍ମସାତ୍ କରିବାର କଳ୍ପନାରେ ରହିଲେ।

ଇଂରେଜ ଅଧିକାର କାଳରୁ ଜଗବନ୍ଧୁ ରୋଡ଼ଙ୍ଗର ରାଜସ୍ୱ ସ୍ୱୟଂ କଲେକ୍ଟରଙ୍କଠାରେ ଜମା ଦେଇ ଆସୁଥିଲେ। ବର୍ତ୍ତମାନ କୃଷ୍ଣଚନ୍ଦ୍ରଙ୍କ ଆଦେଶ ଓ ପରାମର୍ଶ ଅନୁସାରେ ସେ ପୂର୍ବୋକ୍ତ ତହସିଲଦାର ଗୌରହରିଙ୍କଠାରେ ରାଜସ୍ୱ ଜମାଦେଲେ। କୃଷ୍ଣଚନ୍ଦ୍ରଙ୍କ ଇଙ୍ଗିତ ଅନୁସାରେ ଗୌରହରି ବକ୍‌ସିଙ୍କ ରାଜସ୍ୱ ରୋଡ଼ଙ୍ଗ କିଲାର ବୋଲି ସ୍ୱତନ୍ତ୍ର ହିସାବରେ ନ ଦେଖାଇ, ରାହାଙ୍ଗ ପ୍ରଗନାର ଅନ୍ତର୍ଭୁକ୍ତ କରି ଦେଖାଇଲେ। ଏହିରୂପେ କାଳକ୍ରମେ ରୋଡଙ୍ଗ ସ୍ୱତ୍ତ୍ୱ ରାହାଙ୍ଗ ଅନ୍ତର୍ଭୁକ୍ତ ହୋଇଥିଲା, ଏବଂ ସରକାର କାଗଜପତ୍ରରେ ରୋଡ଼ଙ୍ଗ ରାହାଙ୍ଗରୁ ପୃଥକ ଥିବାର ପ୍ରକାଶ ପଡ଼ିଲା ନାହିଁ।

ଲକ୍ଷ୍ମୀନାରାୟଣ ୧୮୦୯ ଖ୍ରୀଷ୍ଟାବ୍ଦରେ ‘ରାହାଙ୍ଗ ଓଗେର’ ପ୍ରଗନା ସ୍ୱତ୍ତ୍ୱ ଲାଭ କରି ବର୍ଷକ ପରେ ପୁଣି ବିକ୍ରୟ ବିଜ୍ଞାପନ ପ୍ରଚାର କଲେ। କ୍ରେତାସ୍ୱରୂପ ସ୍ୱୟଂ କୃଷ୍ଣଚନ୍ଦ୍ର ଉପସ୍ଥିତ। ସୁତରାଂ ସେ କ୍ରୟ ସୂତ୍ରରେ ‘ରାହାଙ୍ଗ ଓଗେର’ ପ୍ରଗନାର ଜମିଦାର ହୋଇ ବସିଲେ। କୃଷ୍ଣଚନ୍ଦ୍ର ରୋଡ଼ଙ୍ଗ ଦଖଲ କରିବାର ଚେଷ୍ଟା କରନ୍ତେ ଜଗବନ୍ଧୁ ବାଧା ଦେଲେ। ବନ୍ଦୋବସ୍ତ କମିଶନର ବୁଲେର୍‌ ସାହେବଙ୍କଠାରେ କୃଷ୍ଣଚନ୍ଦ୍ର ଆପଣାର ରୋଡ଼ଙ୍ଗ ଦଖଲ ଦାବି କଲେ ତାହା ପୂର୍ବରୁ ଦୁଇ ବନ୍ଦୋବସ୍ତରେ ରୋଡଙ୍ଗ କିଲାର ବନ୍ଦୋବସ୍ତ ଜଗବନ୍ଧୁଙ୍କ ନାମରେ ହୋଇଥିଲେ ସୁଦ୍ଧା, ବୁଲର ସାହେବଙ୍କ ବିଚାରରେ ଜଗବନ୍ଧୁଙ୍କର ମୌଳିକ ଅଧିକାର ସନ୍ଦେହଜନକ ବୋଧ ହେଲା, ଏବଂ ଉପଯୁକ୍ତ ଅଦାଲତରେ ଆପଣାର ସ୍ୱତ୍ତ୍ୱ ସାବ୍ୟସ୍ତ ନ କରିବା ପର୍ଯ୍ୟନ୍ତ ଜଗବନ୍ଧୁ ରୋଡ଼ଙ୍ଗ କିଲାରୁ ବେଦଖଲ ହେଲେ।

ପରେ ଅଦାଲତରେ ତାଙ୍କର ସ୍ୱତ୍ତ୍ୱ ସାବ୍ୟସ୍ତ ହେଲେ ଜଗବନ୍ଧୁଙ୍କ ସଙ୍ଗେ ସରକାର ସ୍ୱତନ୍ତ୍ର ବନ୍ଦୋବସ୍ତ କରିବାର ଆଦେଶ ହେଲା। ଖୋର୍ଦ୍ଧା ଗଜପତି ମହାରାଜାଙ୍କର ପ୍ରଧାନ ସେନାପତି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଆପଣାର ଶତଶତ ବର୍ଷବ୍ୟାପୀ ମୌରସୀ ସ୍ୱତ୍ତ୍ୱରୁ ବିଚ୍ୟୁତ ହୋଇ ବର୍ତ୍ତମାନ ପଥର ଭିକ୍ଷୁକ ହୋଇବସିଲେ।

ଦୁଇବର୍ଷ କାଳ ଖୋର୍ଦ୍ଧାବାସୀ ପ୍ରଭୁଭକ୍ତି ଦେଖାଇ ସ୍ୱେଚ୍ଛାଦାନରେ ଜଗବନ୍ଧୁଙ୍କ ଭରଣପୋଷଣ ଚଳାଇଲେ। ସେତେବେଳର ଇଂରେଜ ଅଦାଲତରେ ଜଣେ ବଙ୍ଗାଳୀ ମାମଲତକାର ସଙ୍ଗେ ମୋକଦ୍ଦମା କରିବାକୁ ଜଗବନ୍ଧୁ ସାତିଶୟ ଘୃଣାକଲେ। ପୁଣି ମୋକଦ୍ଦମା ପାଇଁ ଅର୍ଥ ବା କାହୁଁ ପାଆନ୍ତେ? ଖୋର୍ଦ୍ଧା ଗଜପତିଙ୍କ ବକ୍ସି ଯେ ‘ପପର’ ହୋଇ ମୋକଦ୍ଦମା କରିବେ ଏହା ତାଙ୍କୁ ଘୋର ଲଜ୍ଜାଜନକ ବୋଧ ହେଲା। ପୁଣି କଲେ ମଧ୍ୟ ଜଣେ କ୍ଷମତାଶାଳୀ ବଙ୍ଗାଳୀ ମାମଲତକାରର କୌଶଳରୁ କୌଣସି ଅଦାଲତ ଯେ ମୁକ୍ତ ହୋଇ ଓଡ଼ିଆଜଣଙ୍କୁ ମୋକଦ୍ଦମା ଡିଗ୍ରୀ ଦେବେ, ତାହା ତାଙ୍କୁ ସମ୍ଭବ ବୋଧ ହେଲା ନାହିଁ। ୧୮୧୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚମାସରେ ଏହାହିଁ ଜଗବନ୍ଧୁଙ୍କ ଅବସ୍ଥା। ଆଉ କେତେକାଳ ବା ସେ ପ୍ରଭୁଭକ୍ତ ପ୍ରଜାଙ୍କ ଦାନରେ ଜୀବିକା ଚଳାନ୍ତେ?

ଖୋର୍ଦ୍ଧାର ରାଜବଂଶର ରାଜତ୍ୱ ଲୋପ ପରେ ତାହାଙ୍କର ସକଳ ଉପସ୍ୱତ୍ୱ ଯାଇ, ବାକି କେବଳ ରୋଡଙ୍ଗ କିଲାହି ତାହାଙ୍କର ସର୍ବସ୍ୱ ଥିଲା। ବର୍ତ୍ତମାନ ଇଂରେଜ ରାଜତ୍ୱରେ ସେଥିରୁ ସୁଦ୍ଧା ସେ ବଞ୍ଚିତ ହେବାରୁ କୌଣସି ଆଡୁ କିଛି ଆଶ୍ରୟ ନ ଦେଖି ସେ ମନେ ମନେ ସ୍ଥିର କଲେ ଯେ ଆପଣାର ମହାରାଜାଙ୍କୁ ପୂର୍ବପରି ଖୋର୍ଦ୍ଧା ରାଜସିଂହାସନରେ ନ ବସାଇବା ପର୍ଯ୍ୟନ୍ତ ତାହାଙ୍କ ଦୁର୍ଦ୍ଦଶା ଫେରିବାର ଅନ୍ୟ ସମ୍ଭାବନା ନାହିଁ।

ପାଇକ ବିଦ୍ରୋହ :

ଜଗବନ୍ଧୁଙ୍କ ମନ ମଧ୍ୟରେ ଏହିରୂପ ବିଦ୍ରୋହଭାବ ଜନ୍ମିବା ବେଳକୁ ୧୮୧୭ ଖ୍ରୀଷ୍ଟାବ୍ଦର ମାର୍ଚ୍ଚମାସରେ ଘୁମସରରୁ ୪୦୦ କନ୍ଧ ଖୋର୍ଦ୍ଧାରାଜ୍ୟ ମଧ୍ୟରେ ପଶି ବିଦ୍ରୋହ ଆରମ୍ଭ କଲେ। ଖୋର୍ଦ୍ଧା ପାଇକଙ୍କ ମଧ୍ୟରେ ବିଦ୍ରୋହ ବହ୍ନି ବହୁକାଳର ଅତ୍ୟାଚାର ମଧ୍ୟରେ କୁହୁଳୁ ଥିଲା। ଏହି କନ୍ଧ ବିଦ୍ରୋହରେ ତାହା ହଠାତ ଜଳି ଉଠିଲା, ଏବଂ ପାଇକନାୟକ ବକ୍ସି ଏହାକୁ ପରମ ସୁଯୋଗ ଜ୍ଞାନ କରି ଜୀବନର ଶେଷ ପରୀକ୍ଷାସ୍ୱରୂପ ଏହି ବିଦ୍ରୋହବହ୍ନିରେ ଆପଣାକୁ ଝାସ ଦେଲେ। ବିଗତ ତିନି ଶତ ବର୍ଷର ପରାଧୀନତା ଓ ନାନା ଅତ୍ୟାଚାର ମଧ୍ୟରେ ପାଇକମାନେ ବହୁ ହୀନବଳ ହୋଇଥିଲେ ସୁଦ୍ଧା, ପ୍ରାଚୀନ ସମରଲିପ୍ସା, ସାହସ ଓ ରଣକୌଶଳ ସେମାନଙ୍କ ମଧ୍ୟରୁ  ସମ୍ପୂର୍ଣ୍ଣ ଲୋପ ପାଇନଥିଲା। ଅବଶ୍ୟ ଆଧୁନିକ ରଣକୌଶଳୀ ଇଂରେଜ ସୈନ୍ୟଙ୍କର ସମକକ୍ଷ ହେବା ସେମାନଙ୍କଠାରୁ ଆଶା କରାଯାଏ ନାହିଁ; ମାତ୍ର ନିଜ ଦେଶମଧ୍ୟରେ ସୁପରିଚିତ ପଥ ଓ ବନ ପର୍ବତର ସୁବିଧାଯୋଗେ ସେମାନେ ଇଂରେଜ ସେନା ସଙ୍ଗେ ସମ୍ମୁଖସମର ନିମନ୍ତେ ସମର୍ଥ ହୋଇଥିଲେ।

ପାଇକମାନେ ବିଦ୍ରୋହୀ କନ୍ଧମାନଙ୍କ ସଙ୍ଗେ ଯୋଗଦେଇ ବାଣପୁର ଆକ୍ରମଣ କଲେ, ଏବଂ ପୋଲିସ୍‌ ଥାନା ଅନ୍ୟାନ୍ୟ ସରକାରୀ ଘର ଓ କଚେରୀ ଲୁଣ୍ଠନ କରି ବହୁ ଲୋକଙ୍କୁ ମାରି ପ୍ରାୟ ୧୫୦୦୦ ଟଙ୍କା ମୂଲ୍ୟର ଧନ ହସ୍ତଗତ କଲେ। ଚିଲିକା ମଧ୍ୟରେ ଲୁଣ ହାକିମଙ୍କ ନୌକା ମଧ୍ୟ ଏହି ଲୁଣ୍ଠନ ମଧ୍ୟରେ ପଡ଼ିଲା। ସେଠାରୁ ବିଦ୍ରୋହୀମାନେ ଖୋର୍ଦ୍ଧା ଆଡକୁ ଅଗ୍ରସର ହେଲେ, ଏବଂ ପଥ ମଧ୍ୟରେ ସେମାନଙ୍କର ସଂଖ୍ୟା ଗ୍ରାମକୁ ଗ୍ରାମ ବଢ଼ୁଥାଏ। ବାଣପୁର ବିଜୟ ପ୍ରଭାବରେ ସମଗ୍ର ଖୋର୍ଦ୍ଧା ବହ୍ନିରେ ଜଳିଉଠିଲା। ବିଦ୍ରୋହୀମାନଙ୍କ ଆକ୍ରମଣରେ ଖୋର୍ଦ୍ଧାର ସକଳ ସରକାରୀ କର୍ମଚାରୀମାନେ ପଳାୟନ କଲେ। ବିଦ୍ରୋହୀମାନେ ସକଳ କଚେରୀ ଓ ସରକାରୀ ଗୃହମାନ ଭାଙ୍ଗିଦେଇ, ଖଜଣାଖାନା ଲୁଣ୍ଠନ କରି ନେଲେ। ଆଉ ଏକଦଳ ପାଇକ ଲେମ୍ବାଇ ଆକ୍ରମଣ କଲେ। ଚରଣ ପଟ୍ଟନାୟକ ନାମରେ ଜଣେ ଅତ୍ୟାଚାରୀ ସରକାରୀ ତହସିଲଦାର ବିଦ୍ରୋହୀମାନଙ୍କ ହସ୍ତରେ ପ୍ରାଣତ୍ୟାଗ କଲେ।

କଟକରେ ଏହି ବିଦ୍ରୋହ ସମ୍ବାଦ ପହଞ୍ଚିବା ମାତ୍ରେ ଦୁଇଦଳ ସୈନ୍ୟ ଖୋର୍ଦ୍ଧା ଓ ଲେମ୍ବାଇ ରକ୍ଷା କରିବା ନିମନ୍ତେ ପ୍ରେରିତ ହେଲ। ନିଜ ଉପସ୍ଥିତ ବିଦ୍ରୋହ ଶାନ୍ତିରେ ସାହାଯ୍ୟ କରିବା ଆଦି ନିଜେ ମାଜିଷ୍ଟ୍ରେଟ୍ ଇମ୍ପି ସାହେବ ୬୦ ଜଣ ସିପାହୀଙ୍କ ସଙ୍ଗେ ଏପ୍ରିଲ୍ ପହିଲାଦିନ ଖୋର୍ଦ୍ଧା ଯାତ୍ରା କଲେ, ଏବଂ ପରଦିନ ସନ୍ଧ୍ୟାକୁ ଖୋର୍ଦ୍ଧାର ୭ ମାଇଲ ଦୂରବର୍ତ୍ତୀ ଗଙ୍ଗପଡ଼ାରେ ପହଞ୍ଚିଲେ। ପାଇକମାନେ ସେଠାରେ ଏକ ପ୍ରାଚୀର ନିର୍ମାଣ କରି ଗୋଳାଗୁଳି ଧରି ଖୋର୍ଦ୍ଧାପଥ ଅବରୋଧ କରି କହିଥିଲେ। ହଠାତ୍ ଇଂରେଜ ସିପାହୀମାନଙ୍କୁ ଦେଖି ସେମାନେ ଗୁଳିବର୍ଷଣ କଲେ।

ମାଜିଷ୍ଟ୍ରେଟଙ୍କର ବିଚାର ଥିଲା ଖୋର୍ଦ୍ଧାର ସିପାହୀଦଳ ପଛଆଡୁ ଆସି ଆକ୍ରମଣ କଲେ, ଆଗ ଓ ପଛ ଉଭୟଆଡୁ ଗୁଳିବର୍ଷଣରେ ପାଇକମାନେ ଛତ୍ରଭଙ୍ଗ ଦେବେ। ମାତ୍ର ଖୋର୍ଦ୍ଧାର ସମ୍ବାଦ ମିଳିଲା ଖୋର୍ଦ୍ଧା ସମ୍ପୂର୍ଣ୍ଣ ଧ୍ୱସ୍ତ, ସୈନ୍ୟ କହି ସେଠାରେ ନଥିଲେ। ଏଥିମଧ୍ୟରେ କ୍ରମେ ପାଇକମାନଙ୍କ ସଂଖ୍ୟା ବଢ଼ି ୩ ହଜାର ହେଲା। ମାଜିଷ୍ଟ୍ରେଟ୍ ଅଗତ୍ୟା ଦ୍ରୁତ ଗତିରେ ସଦଳବଳରେ ପଳାଇ ଆସି ବାଳକାଟିରେ ଆଶ୍ରୟ ନେଲେ।

ଅବସ୍ଥା କ୍ରମେ ଘୋର ସଙ୍କଟମୟ ହୋଇ ଉଠିଲା। ବାଳକାଟିରେ ମଧ୍ୟ ମାଜିଷ୍ଟ୍ରେଟଙ୍କ ଦଳବଳ ନିଶ୍ଚିନ୍ତ ହୋଇପାରିଲା ନାହିଁ। ରାତ୍ରିମଧ୍ୟରେ ପଳାଇ ଯିବାବେଳକୁ ପାଇକ ଦଳେ ସିପାହୀମାନଙ୍କୁ ଆକ୍ରମଣ କଲେ। ସିପାହୀମାନେ ହାତୀ ତମ୍ବୁ ପ୍ରଭୃତି ଯୁଦ୍ଧୋପକରଣ ସବୁ ହରାଇ ଦ୍ରୁତଗତିରେ କଟକ ପଳାଇଗଲେ। ମାଜିଷ୍ଟ୍ରେଟ୍ ଗଭର୍ଣ୍ଣମେଣ୍ଟକୁ ଲେଖିଲେ ସମସ୍ତ ଖୋର୍ଦ୍ଧା ବିଦ୍ରୋହନଳରେ ଜଳୁଛି। ଜଗବନ୍ଧୁ ନିଜ ନାମରେ ଆଦେଶ ଜାରି କରି ବିଦ୍ରୋହ ପରିଚାଳନା କରୁଛନ୍ତି। ପୁରୀରୁ ଖୋର୍ଦ୍ଧା ରାଜାଙ୍କୁ ଆଣି ପୁଣି ଖୋର୍ଦ୍ଧା ଗାଦିରେ ବସାଇବା, ବିଦ୍ରୋହୀମାନଙ୍କର ପ୍ରଧାନ ଉଦ୍ଦେଶ୍ୟ।

ଯେଉଁ ସୈନ୍ୟଦଳ ଦୁଇଟି ଖୋର୍ଦ୍ଧା ଓ ପିପିଲିକୁ ଯାଇଥିଲେ, ସେମାନଙ୍କ ଦୁର୍ଦ୍ଦଶା ମଧ୍ୟ ମାଜିଷ୍ଟ୍ରେଟଙ୍କ ଦଳ ଅପେକ୍ଷା କିଛି ଅଳ୍ପ ନଥିଲା। ପିପିଲି ସୈନ୍ୟଦଳର ସେନାପତି ଖୋର୍ଦ୍ଧା ସୈନ୍ୟଙ୍କ ସହ ମିଶିବା ଉଦ୍ଦେଶ୍ୟରେ ଗଙ୍ଗପଡ଼ା ବିଦ୍ରୋହୀମାନଙ୍କ ସଙ୍ଗେ ଯୁଦ୍ଧ କରୁ କରୁ ନିହତ ହେଲେ। ସିପାହୀମାନେ ସକଳ ସାଜସମ୍ବଳ ହରାଇ ପିପିଲି ବାଟେ କଟକ ପଳାୟନ କଲେ। ପାଇକମାନେ ପିପିଲି ଅଧିକାର କରି ଥାନାଘର ପୋଡ଼ିଦେଲେ।

ଖୋର୍ଦ୍ଧା ଓ ପିପିଲିକୁ ସୈନ୍ୟ ପଠାହେବା ସଙ୍ଗେ ଏକ ଦଳ ସୈନ୍ୟ ପୁରୀ ରକ୍ଷା କରିବା ନିମନ୍ତେ ପଠା ହୋଇଥିଲେ। ପୁରୀ ପହଞ୍ଚିବା ମାତ୍ରେ ସେମାନଙ୍କ ମଧ୍ୟରୁ ୫୫୦ ଜଣ ସୈନ୍ୟ ଓ ସକଳ ଯୁଦ୍ଧୋପକରଣ ଧରି ଜଣେ ସେନାପତି ଏପ୍ରିଲ୍ ୯ ତାରିଖ ମଧ୍ୟରେ ଖୋର୍ଦ୍ଧା ଯାତ୍ରା କଲେ। ସେ ପହଞ୍ଚିବା ମାତ୍ରେ ୧୨ ତାରିଖ ଖୋର୍ଦ୍ଧା ସାମରିକ ଆଇନ ଜାରି କଲେ।

ସେହି ୧୨ ତାରିଖ ବେଳକୁ ବହୁସଂଖ୍ୟକ ପାଇକ ପୁରୀ ନିକଟସ୍ଥ ସୁକଳ ଗ୍ରାମରେ ଏକତ୍ରିତ ହୋଇଥିଲେ। ସେଠାରୁ ସେମାନେ ଲୋକନାଥଘାଟ ବାଟେ ପୁରୀରେ ପଶି ସରକାରୀ କଚେରୀ ଓ ଗୃହମାନ ବହୁତ ଭସ୍ମସାତ କରିଦେଲେ। ଦେଶୀ ସରକାର କର୍ମଚାରୀମାନେ ସାହେବମାନଙ୍କ ଘରେ ଆଶ୍ରୟ ନେଲେ। ପରଦିନ ସକାଳେ (ଏପ୍ରିଲ ୧୩) ସହରର ପୂର୍ବଦିଗ ଜଙ୍ଗଲ ମଧ୍ୟରୁ ବିଦ୍ରୋହୀମାନେ ବାହାରି ଇଂରେଜ ସୈନ୍ୟଙ୍କୁ ଆକ୍ରମଣ କଲେ। ୨ ଘଣ୍ଟା କାଳ ଘୋର ଯୁଦ୍ଧ ପରେ ଇଂରେଜ ସୈନ୍ୟ ବିଦ୍ରୋହୀମାନଙ୍କୁ ସହର ମଧ୍ୟକୁ ତଡ଼ିଦେଲେ। ମାତ୍ର ଏହି ବିଜୟ ବହୁକ୍ଷଣ ସ୍ଥାୟୀ ହୋଇନଥିଲା। ମନ୍ଦିର କର୍ମଚାରୀ ଏବଂ ସହରବାସୀ କେତେକ ବିଦ୍ରୋହୀଙ୍କ ସଙ୍ଗେ ମିଲିଗଲେ। ଇଂରେଜ ରାଜତ୍ୱ ଲୋପ ଏବଂ ଖୋର୍ଦ୍ଧା ମହାରାଜାଙ୍କ ରାଜତ୍ୱ ପ୍ରତିଷ୍ଠିତ ହେଲା ପଣ୍ଡାମାନେ ଘୋଷଣା କଲେ। ବିଦ୍ରୋହୀମାନେ ବିଶେଷ ଉତ୍ସାହିତ ହୋଇ ଇଂରେଜ ସୈନ୍ୟଙ୍କୁ ଆକ୍ରମଣ କରିବାକୁ ବାହାରିବାରୁ, ଇଂରେଜ ସେନାପତି ସକଳ ସୈନ୍ୟ ଓ କର୍ମଚାରୀମାନଙ୍କୁ ଘେନି କଟକ ପଳାଇଗଲେ। (ଏପ୍ରିଲ ୧୮)

ପୁରୀ, ଖୋର୍ଦ୍ଧା ଏବଂ କଟକ ମଧ୍ୟରେ ସମ୍ବାଦ ଯିବା ଆସିବା ବନ୍ଦ ହୋଇଗଲା। ସୁତରାଂ ଏପ୍ରିଲ୍ ୯ ତାରିଖ ଦିନ ଖୋର୍ଦ୍ଧାକୁ ଯେଉଁ ସୈନ୍ୟମାନେ ପୁରୀରୁ ଯାଇଥିଲେ, ସେମାନଙ୍କର କିଛି ସମ୍ବାଦ କଟକରେ ପହଞ୍ଚିଲା ନାହିଁ। ସେମାନେ ଖୋର୍ଦ୍ଧା ପହଞ୍ଚି ବିଦ୍ରୋହୀମାନଙ୍କର ପଛେ ପଛେ ଆସି ପଥ ମଧ୍ୟରେ ସକଳ ପାଇକ ଗ୍ରାମ ଭସ୍ମସାତ କରି ପୁରୀରେ ପହଞ୍ଚିଲେ। ଏକ ହଜାର ପାଇକ ପୁରୀ ନିକଟରେ ଏକତ୍ରିତ ହୋଇଥିଲେ; ଇଂରେଜ ସୈନ୍ୟଙ୍କ ଆକସ୍ମିକ ଗୋଳାବର୍ଷଣରେ ସେମାନେ ଛତ୍ରଭଙ୍ଗ ଦେଇ ପଳାୟନ କଲେ। ଇଂରେଜ ସେନାପତି ପୁରୀ ମଧ୍ୟରେ ପଶି ରାଜା ମୁକୁନ୍ଦଦେବଙ୍କୁ ପଳାଇ ଯିବାବେଳକୁ ହସ୍ତଗତ କଲେ। ଏହାପରେ ପାଇକ ଓ ଇଂରେଜଙ୍କ ମଧ୍ୟରେ ବହୁବାର ଯୁଦ୍ଧ ଚାଲିଲା। ସାରଙ୍ଗଗଡ଼ଠାରେ ସୁବିଧା ଦେଖି ପାଇକମାନେ ଖାଦ୍ୟ ଓ ଯୁଦ୍ଧ ସାମଗ୍ରୀ ବହୁ ଜମା ରଖିଥିଲେ। ହାମିଲଟନ ସାହେବ ସାରଙ୍ଗଗଡ଼ରୁ ପାଇକମାନଙ୍କୁ ଦୂରୀଭୂତ କରି ଦୁର୍ଗ ଅଧିକାର କଲେ। ବହୁକାଳ ପର୍ଯ୍ୟନ୍ତ ସେଠାରେ ଚାଉଳ ଖତ ହୋଇଯାଇଥିବାର ଦେଖା ଯାଉଥିଲା।

ପୁରୀ ରାଜା ବନ୍ଦୀ ହେବା ପରେ ପାଇକ ବିଦ୍ରୋହ ବହୁତ ଶାନ୍ତ ହେଲା। ମାତ୍ର ବିଦ୍ରୋହ କେବଳ ପୁରୀ ଜିଲ୍ଲାରେ ଆବଦ୍ଧ ନଥିଲା। କଟକ ଜିଲ୍ଲା ମଧ୍ୟରେ ପାଇକମାନେ ମଧ୍ୟ ବିଦ୍ରୋହୀ ହୋଇଥିଲେ। କନିକା ଓ କୁଜଙ୍ଗର ରାଜାମାନେ ପାଇକ ବିଦ୍ରୋହରେ ସାହାଯ୍ୟ କରୁଥିଲେ। ନାରାୟଣ ପରମଗୁରୁ ଏବଂ ବାମଦେବ ପଟ୍ଟଜ୍ୟୋତିଷ କୁଜଙ୍ଗ ଓ କନିକା ପାଇକମାନଙ୍କର ପ୍ରଧାନ ନାୟକ ଥିଲେ। ପାଇକମାନେ ଅସୁରେଶ୍ୱର, ତିରଣ, ହରିହରପୁର ଏବଂ ପୁରୀର ଗୋପଥାନାମାନ ପୋଡ଼ି ଦେଇ ଧନସମ୍ପତ୍ତି ଯାହା କିଛି ଥିଲା ସମସ୍ତ ଲୁଣ୍ଠନ କଲେ। ସେପ୍ଟେମ୍ବର ମାସରେ ଇଂରେଜ ସୈନ୍ୟ କୁଜଙ୍ଗ ଯାତ୍ରା କରି ପାରାଦୀପ ହସ୍ତଗତ କଲେ। ପାରାଦୀପରୁ ଇଂରେଜ ସୈନ୍ୟ ନୂଆଗଡ଼ ଆଡକୁ ଯାତ୍ରା କଲେ। ସେଠାରେ ୨ ହଜାର ପାଇକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ପାଇକମାନେ ପରାସ୍ତ ହୋଇ ପଳାୟନ କଲେ। ୨ ହସ୍ତୀ ଓ ୮ ଅଶ୍ୱ ଇଂରେଜ ସୈନ୍ୟଙ୍କର ହସ୍ତଗତ ହେଲ।। ବିଦ୍ରୋହୀ ନାୟକ ପରମଗୁରୁ ଓ ପାଟଜ୍ୟୋତିଷ ଧରା ହୋଇ ଦ୍ୱୀପାନ୍ତର ଦଣ୍ଡ ପାଇଲେ। କୁଜଙ୍ଗ- ରାଜା ଆତ୍ମସମର୍ପଣ କରି ବାରବାଟୀ ମଧ୍ୟରେ ବର୍ଷେ କାଳ ବନ୍ଦୀ ରହିଲେ। ଗୋପ ଥାନା ବିଦ୍ରୋହ ଦମନ ନିମନ୍ତେ  ପିପିଲିରୁ ୮୦ ଜଣ ସିପାହୀ ଯାଇ ଗୋପ ଶାନ୍ତ କଲେ ଏବଂ ବିଦ୍ରୋହୀ ନେତା କରୁଣାକର ସରଦାରଙ୍କୁ ବନ୍ଦୀ କଲେ।

ଖୋର୍ଦ୍ଧା ବ୍ୟତୀତ ଅନ୍ୟ ସବୁଠାରେ ଅକ୍ଟୋବର ମାସ ମଧ୍ୟରେ ଶାନ୍ତି ସ୍ଥାପିତ ହେଲ।। ଖୋର୍ଦ୍ଧାରେ କେବଳ  ଦଳେ  ଦଳେ ପାଇକ ସ୍ଥାନେ ସ୍ଥାନେ ଲୁଣ୍ଠନ କରୁଥିଲେ। ଖୋର୍ଦ୍ଧା ମଧ୍ୟରେ ଶାନ୍ତି ରକ୍ଷା ନିମନ୍ତେ ୧୮୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିଦ୍ରୋହ କେନ୍ଦ୍ରମାନଙ୍କରେ ଦଳେ ଦଳେ ସିପାହୀ ରଖାଯାଇଥିଲା। ଦୁଇ ଜଣ ସାହେବ ଜଜ୍ ଧୃତ ବିଦ୍ରୋହୀମାନଙ୍କର ବିଚାର ନିମନ୍ତେ ୧୮୧୭ ମଇ ମାସରୁ ଖୋର୍ଦ୍ଧାରେ ବସିଲେ। ବିଦ୍ରୋହୀମାନଙ୍କ ମଧ୍ୟରୁ କେହି କେହି ପ୍ରାଣଦଣ୍ଡ, କେହି କେହି ଦ୍ୱୀପାନ୍ତର ଏବଂ ଅନ୍ୟାନ୍ୟମାନେ କାରାଦଣ୍ଡ ପାଇଲେ। ପରେ ପୁଣି ବିଦ୍ରୋହର କାରଣ ଅନୁସନ୍ଧାନ କରିବା ନିମନ୍ତେ ଗୋଟିଏ କମିଶନ ବସିଲା। ପୂର୍ବୋକ୍ତ ବିଦ୍ରୋହ କାରଣମାନଙ୍କ ବ୍ୟତୀତ, କମିଶନ ଶେଷ ନିଷ୍ପତ୍ତି କଲେ ଯେ ଇଂରେଜମାନଙ୍କ ନୂତନ ପ୍ରବର୍ତ୍ତିତ ଶାସନ ଏହି ବିଦ୍ରୋହ ନିମନ୍ତେ ମୂଳତଃ ଦାୟୀ। ବାସ୍ତବିକ ଇଂରେଜମାନେ ଓଡ଼ିଶାର  ନୂତନ ଅଧିକାର ପାଇ ଓଡ଼ିଶାର ସ୍ଥାନୀୟ ବ୍ୟବସ୍ଥା ବିଷୟରେ ଅନଭିଜ୍ଞ ଥିଲେ। ଦାୟିତ୍ୱହୀନ କର୍ମଚାରୀମାନଙ୍କ ଉପରେ ଶାସନର ସମ୍ପୂର୍ଣ୍ଣ ଭାର ରହିବାରୁ ଚିର ରାଜଭକ୍ତ ପାଇକମାନଙ୍କର ଏତେ ଦୁର୍ଦ୍ଦଶା ଘଟିଲା।

ଖୋର୍ଦ୍ଧା ବର୍ତ୍ତମାନ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କର ଗୋଟିଏ ଲାଭଜନକ ଜମିଦାରୀ। ପ୍ରଜାମାନେ ନିଶସ୍ତ୍ର ହୋଇ ବର୍ତ୍ତମାନ କୃଷିକୁ ପ୍ରଧାନ ଅବଲମ୍ବନ କରିଅଛନ୍ତି।

(ଭାରତୀୟ ମୁକ୍ତି ସଂଗ୍ରାମର ପ୍ରମୁଖ ଖଣ୍ଡ ପାଇକ ବିଦ୍ରୋହର ଦ୍ୱିଶତ ବର୍ଷ ପାଳନ ଅବସରରେ ଏହି ଐତିହାସିକ ବିବରଣୀକୁ ନୂଆପିଢ଼ି ନିକଟରେ ପହଞ୍ଚାଇବା ଲାଗି ଓଡ଼ିଶାଲାଇଭର ଏହି ଉଦ୍ୟମ।)

Comment