ଓଡ଼ିଶାଲାଇଭ୍ ବ୍ୟୁରୋ

 

  • ନାଲ୍‌କୋ ୨୦୧୮ ୱାଲ୍ କ୍ୟାଲେଣ୍ଡରରେ ପାଇକ ବିଦ୍ରୋହ
  • ୫ ବରିଷ୍ଠ ଓଡ଼ିଆ ଶିଳ୍ପୀଙ୍କ ଚିତ୍ରକଳା ଉପସ୍ଥାପନା
  • ୨୦୦ ବର୍ଷ ତଳର ବଳିଦାନର କାହାଣୀ

ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ପାଇକ ବିଦ୍ରୋହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।  କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଭାରତର ଇତିହାସରେ ଓଡ଼ିଶାର ଏହି ବୀରତ୍ୱର କାହାଣୀ ଉଚିତ୍ ସ୍ଥାନ ପାଇନଥିଲା। ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କର ଇଚ୍ଛା ଏବଂ ଉଦ୍ୟମ ଫଳରେ ପାଇକ ବିଦ୍ରୋହକୁ ଜାତୀୟସ୍ତରରେ ସ୍ଥାନ ଦିଆଯାଇପାରିଛି। ୧୮୧୭ ମସିହାରେ ହୋଇଥିବା ଏହି ବିରଳ ସଂଗ୍ରାମକୁ ବିଭିନ୍ନ ମିଡ଼ିଆ ଓ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି କର୍ପୋରେଟ୍ ଏବଂ ଘରୋଇ ଅନୁଷ୍ଠାନମାନେ ଆଗେଇ ଆସିବା ଖୁସିର କଥା। ଏ ଦୃଷ୍ଟିରୁ ନବରତ୍ନ କମ୍ପାନି ନାଲ୍‌କୋକୁ ଧନ୍ୟବାଦ ଦେବାକୁ ହେବ।

ନାଲ୍‌କୋ ପକ୍ଷରୁ ୨୦୧୮ ମସିହା ପାଇଁ ପ୍ରସ୍ତୁତ ୱାଲ୍ କ୍ୟାଲେଣ୍ଡରରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ବିଷୟକୁ ଉପସ୍ଥାପନ କରାଯାଇଛି। ଏହାର ପ୍ରଚ୍ଛଦ ପୃଷ୍ଠାରେ ପଞ୍ଚ-ପାଇକ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, କୃତିବାସ ପାଟ୍ଟଶାଣୀ, ମାଧବ ଚନ୍ଦ୍ର ରାଉତରାୟ ଏବଂ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ସ୍କେଚ୍ ରହିବା ସହ ଏକ ସଂକ୍ଷିପ୍ତ ସୂଚନା ଦିଆଯାଇଛି।

ପ୍ରତିଷ୍ଠିତ ଶିଳ୍ପୀ ବଳଦେବ ମହାରଥା, ଗଜେନ୍ଦ୍ର କୁମାର  ଚିତ୍ରକଳାଗୁଡ଼ିକୁ ଓଡ଼ିଶା ଲଳିତ କଳା ଏକାଡେମୀ ସୂତ୍ରରୁ ସଂଗ୍ରହ କରାଯାଇଛି।

ଏହାର ପ୍ରଚ୍ଛଦ ପୃଷ୍ଠାରେ ରହିଛି ଭାରତୀୟ ମୁକ୍ତି ସଂଗ୍ରାମର ଏକ ସାଙ୍କେତିକ ଚିତ୍ର। ତା’ ଭିତରେ ଜାତିର ପିତା ମହାତ୍ମାଗାନ୍ଧି ଲୁଣ ମାରୁଥିବାର ଚିତ୍ର ବିଷୟକୁ ଅଧିକ ଶାଣିତ କରୁଛି। ଏହା ଅଙ୍କିଛନ୍ତି ଶିଳ୍ପୀ ବଳଦେବ ମହାରଥା। ସେହିପରି ଭିତର ପୃଷ୍ଠାରେ ଭିନ୍ନ ଭିନ୍ନ ଚିତ୍ର ମାଧ୍ୟମରେ ପାଇକ ବିଦ୍ରୋହର କାହାଣୀ ଉପସ୍ଥାପନ କରାଯାଇଛି।

୧୮୧୭ରେ ସଙ୍ଘଟିତ ପାଇକ ବିଦ୍ରୋହ ଥିଲା ତତ୍କାଳୀନ ବ୍ରିଟିଶରାଜ୍ ବିରୋଧରେ ବୀର ଓଡ଼ିଆ ପୁଅର ଶାଣିତ ବିଦ୍ରୋହ। ଏହି ବିଦ୍ରୋହ ପଛରେ ଥିଲା ପାଇକଙ୍କ ଅପୂର୍ବ ବଳିଦାନ ଏବଂ ଦେଶପ୍ରୀତିର କାହାଣୀ।

ପାଇକମାନେ ସାଧାରଣ ସମୟରେ କୃଷି ଏବଂ ସମରାଭ୍ୟାସ କରୁଥିଲେ। ତେବେ ରାଷ୍ଟ୍ରର ଆବଶ୍ୟକତା ବେଳେ ବୀର ସୈନିକ ଭାବେ ଦେଶ ମାତୃକା ପାଇଁ ପ୍ରାଣପାତ କରିବାକୁ ପଛାଉ ନଥିଲେ। ପାଇକମାନଙ୍କ ଏହି ବିରଳ କାହାଣୀ ନାଲ୍‌କୋର ୱାଲ କ୍ୟାଲେଣ୍ଡର ପ୍ରଚ୍ଛଦରେ ବର୍ଣ୍ଣନା କରାଯାଇଛି।

ଓଡ଼ିଶା ମାଟିରୁ ଗଢ଼ା ହୋଇଥିବା ଏକ ଜାତୀୟ କମ୍ପାନି ହିସାବରେ ନାଲ୍‌କୋ ଚିତ୍ରକଳା ମାଧ୍ୟମରେ ଓଡ଼ିଆ ପାଇକଙ୍କ ବୀରତ୍ୱ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛି।

ଏହି ୱାଲ୍ କ୍ୟାଲେଣ୍ଡରରେ ବ୍ୟବହୃତ ଚିତ୍ରଗୁଡ଼ିକ ଏକ ବିଶେଷ କର୍ମଶାଳା ସମୟରେ ଶିଳ୍ପୀମାନେ ଆଙ୍କିଥିଲେ। ନାଲ୍‌କୋ ପକ୍ଷରୁ ସେଗୁଡ଼ିକୁ ଓଡ଼ିଶା ଲଳିତ କଳା ଏକାଡେମୀଠାରୁ ସଂଗ୍ରହକରି ଏକ ଆକର୍ଷଣୀୟ ୱାଲ୍ କ୍ୟାଲେଣ୍ଡରର ରୂପ ଦିଆଯାଇଛି। ଫଳରେ ଆଜିଠାରୁ ୨୦୦ ବର୍ଷ ତଳର କାହାଣୀ ଏବେ ଲୋକଙ୍କ କାନ୍ଥରେ ସାରା ବର୍ଷ ଝଲସିବାର ଏକ ଅବସର ସୃଷ୍ଟି ହୋଇଛି।

 

Comment