ଓଡ଼ିଶାଲାଇଭ୍‌ ବ୍ୟୁରୋ  

ବିଦେଶ ମାଟିରେ ଓଡ଼ିଆ ପାଇକଙ୍କ ବୀରତ୍ୱର କାହାଣୀ ପହଞ୍ଚାଇବା ଲକ୍ଷ୍ୟ ନେଇ ଦୁବାଇର ଓଡ଼ିଆ ସଂସ୍କୃତି ସଂଗଠନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ

ଦୁବାଇର ଓଡ଼ିଆ ସଂସ୍କୃତି ସଂଗଠନ ପକ୍ଷରୁ ‘ପାଇକ ବିଦ୍ରୋହ’ ୨୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଜାତିର ଗର୍ବ ଓ ଗୌରବ ଏହି ପାଇକମାନଙ୍କ ବୀରତ୍ଵର ସ୍ମୃତିଚାରଣ କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଦୁବାଇରେ ଥିବା ଭାରତୀୟ ଦୂତାବାସ ପ୍ରେକ୍ଷାଳୟରେ ମାର୍ଚ୍ଚ ୯ ତାରିଖରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଦୁବାଇରେ ଅବସ୍ଥାପିତ ଭାରତୀୟ କନସଲେଟ୍ ଜେନେରାଲ ବିପୁଲ। ଓଡ଼ିଶାର ବରିଷ୍ଠ ସାମ୍ବାଦିକ ତଥା ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ମୌସୁମୀଙ୍କ କଣ୍ଠରେ କବି ଗୋଦାବରୀଶ ମହାପାତ୍ରଙ୍କର ‘ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି’ କବିତା ଆବୃତି ଓଡ଼ିଶାର ପାଇକ ସଂଗ୍ରାମର ସ୍ମୃତିକୁ ଉଜାଗର କରିଥିଲା। ପରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା।

ରାଉରକେଲାରେ ତାଙ୍କର କିଛିଦିନ ରହଣି କାଳରେ ଓଡ଼ିଶା ଓ ଓଡ଼ିଆଙ୍କ ସହ ତାଙ୍କ ସମ୍ପର୍କର ମଧୁରତା ବଖାଣିଥିଲେ ମୁଖ୍ୟଅତିଥି ବିପୁଲ।

ଭାରତୀୟ ମୁକ୍ତି ସଂଗ୍ରାମରେ ତତ୍‌କାଳୀନ ଓଡ଼ିଶାର ଇତିହାସ ବର୍ଣ୍ଣନା କରିବାକୁ ଯାଇ ଜୟୀ ରାଜଗୁରୁ, ବକ୍ସି  ଜଗବନ୍ଧୁ, କୃତ୍ତିବାସ ପାଟ୍ଟଶାଣୀ ଓ ପିଣ୍ଡିକି ବାହୁବଳେନ୍ଦ୍ର ଆଦି ପାଇକଙ୍କ ବୀରତ୍ୱ ସମ୍ପର୍କରେ କହିଥିଲେ ମୁଖ୍ୟବକ୍ତା ପ୍ରଦ୍ୟୁମ୍ନ ଶତପଥୀ।

ଏହି ଅବସରରେ ମଞ୍ଚରେ ପରିବେଷଣ କରାଯାଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଦୁବାଇରେ ଥିବା ଓଡ଼ିଆ ପରିବାରର ଛୋଟଛୋଟ ପିଲାମାନେ ପାଇକ ଆଖଡ଼ା ଅଭିନୟ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଅପରାଜିତା ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

୧୮୧୭ ମସିହା ପାଇକ ବିଦ୍ରୋହର ସ୍ମୃତିକୁ ବିଦେଶରେ ଉଜାଗର କରିବା ପାଇଁ ଦୁବାଇର ଓଡ଼ିଆ ସଂସ୍କୃତି ସଂଗଠନ ପକ୍ଷରୁ କରାଯାଇଥିବା ଏହି ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୌସୁମୀ।

 

Comment