ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀ ଦିନିକିଆକୁ ଆଉ ବାକି ରହିଲା ୧୦ ଦିନ। ୨୨ ଡିସେମ୍ଵରରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଏଠାରେ ଦିନିକିଆ ମ୍ୟାଚ ଖେଳାଯିବ। ଶେଷଥର ପାଇଁ ୨୦୧୭ ଜାନୁଆରି ୧୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ହୋଇଥିଲା। ଯେଉଁଥିରେ ଭାରତ ପକ୍ଷରୁ ମହେନ୍ଦ୍ର ସିଂହ ଧୋନୀ ଓ ଯୁବରାଜ ସିଂହ ଦମଦାର ଇଂନିସ ଖେଳିଥିଲେ। ହେଲେ ଏହି ମ୍ୟାଚରେ ଉଭୟ ଷ୍ଟାର ଖେଳାଳି ଦଳରେ ନାହାନ୍ତି। ଯାହାକି ଫ୍ୟାନମାନଙ୍କୁ ନିରାଶ କରିବ।

ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ଦଳର ଟପ୍‌ ଅର୍ଡରର ୩ଟି ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ଓପନିଂ କରିବାକୁ ଆସିଥିବା କେଏଲ୍‌ ରାହୁଲ ଓ ଶିଖର ଧଓ୍ଵନ ଆଉଟ ହେବାପରେ କୋହଲି ମଧ୍ୟ ୮ ରନ କରି ପାଭିଲିୟନ ଫେରିଯାଇଥିଲେ। ପରେ ଦଳକୁ ନୂଆ ଆଶା ଦେଇଥିଲେ ଯୁବରାଜ ଓ ଧୋନୀ।

ଦୁଇ ବ୍ୟାଟ୍ସମ୍ୟାନ ଧୁଆଁଧାର ବ୍ୟାଟିଂ କରିଥିଲେ ଯୁବରାଜ ସିଂହ ୧୫୦ ରନ କରିଥିବା ବେଳେ ଧୋନୀ ୧୩୪ ରନ କରିଥିଲେ। ଫଳରେ ଭାରତୀୟ ଦଳ ୫୦ ଓଭରରେ ୬ ଓ୍ଵିକେଟ ହରାଇ ୩୮୧ ରନ୍‌ କରିଥିଲା।

୩୮୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ଇୟନ ମୋର୍ଗାନ ସର୍ବାଧିକ ୧୦୨ ରନ୍‌ କରିଥିବା ବେଳେ ଜାସନ ରଏ ୮୨, ଜଏ ରୁଟ୍‌ ୫୪ ମୋଇନ ଅଲ୍ଲୀ ୫୫ ରନ କରିଥିଲେ। ହେଲେ ଦଳ ନିର୍ଦ୍ଧାରିତ ଓଭରରେ ୩୬୬ ରନ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଭାରତ ଏହି ମ୍ୟାଚକୁ ୧୫ ରନ୍‌ରେ ବିଜୟୀ ହୋଇଥିଲା।

Comment