ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଖୁସି ପ୍ରକାଶ କରିଛନ୍ତି। ମୋଦୀ ଟୁଇଟ୍‌ କରି ଆଜିର ଦିନକୁ ଐତିହାସିକ କହିଛନ୍ତି। ଯେଉଁ ସାଂସଦମାନେ ବିଲ୍‌ ସପକ୍ଷରେ ଭୋଟ ଦେଇଛନ୍ତି ସେମାନଙ୍କୁ ମୋଦୀ ଧନ୍ୟବାଦ ଦେଇଛନ୍ତି।

‘‘ଭାରତର ଭାଇଚାରାକୁ ବଜାୟ ରଖିବା ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ। ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହୋଇ ଯାଇଥିବାରୁ ମୁଁ ବହୁତ ଖୁସି। ଯେଉଁମାନେ ବିଲ୍‌ ସପକ୍ଷରେ ଭୋଟ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ’’, କହିଛନ୍ତି ମୋଦୀ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘‘ଯେଉଁମାନେ ନାଗରିକତା ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଥିଲେ ସେମାନଙ୍କ ସ୍ୱପ୍ନ ପୂରଣ ହୋଇଛି। ନାଗରିକତ୍ୱରୁ ବଞ୍ଚିତ ଲୋକଙ୍କୁ ଆତ୍ମସମ୍ମାନ ମିଳିଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।’’

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନାଗରିକତା ବିଲ୍‌କୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

‘‘ଆଜି ହେଉଛି ଭାରତୀୟ ସମ୍ବିଧାନ ପାଇଁ କଳା ଦିବସ। ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେବା ଭାରତର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉପରେ କଠୋରପନ୍ଥୀ ଶକ୍ତିର ବିଜୟ। ଆମ ପୂର୍ବ ପୁରୁଷମାନେ ଆଦର୍ଶଗତ ଲଢ଼େଇ କରିଥିଲେ। ଏହି ବିଲ୍‌ ଭାରତର ଆଦର୍ଶ ବିରୋଧୀ’’, କହିଛନ୍ତି ସୋନିଆ ଗାନ୍ଧୀ।

ଗତ ୯ ତାରିଖରେ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେବା ପରେ ଆଜି ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହୋଇଛି। ଏହି ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବ ଭାରତରେ ଅଶାନ୍ତି ଦେଖାଦେଇଛି। ଆସାମର ୧୦ଟି ଜିଲ୍ଲାରେ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ସର୍ଭିସ୍‌ ବନ୍ଦ କରାଯାଇଛି। ସେହିପରି କର୍ଫ୍ୟୁ ମଧ୍ୟ ଆସାମର କିଛି ସ୍ଥାନରେ ଲାଗୁ ହୋଇଛି।

Comment