ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଡେଙ୍ଗସରଗି ଅଞ୍ଚଳର ବିବାହିତା ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆଉ ୨ ନାବାଳକ ସମ୍ପୃକ୍ତ ଥିବା କଥା ପୋଲିସ ସୁତ୍ରରୁ ଜଣାପଡ଼ିଛି।

ପୋଲିସ କହିବା ମୁତାବକ, ୪ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ପରେ ୨ ନାବାଳକ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରିବାକୁ ଚେଷ୍ଟା କରିଥିଲେ। ଉକ୍ତ ନାବାଳକଙ୍କୁ ପୋଲିସ ଖୋଜୁଥିବା ସୂଚନା ମିଳିଛି।

ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ମଙ୍ଗଳବାର ବୁର୍ଲା ମେଡିକାଲର ସ୍ତ୍ରୀ ପ୍ରସୂତି ବିଭାଗରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସେପଟେ ଘଟଣାସ୍ଥଳରେ ଜବତ କରିଥିବା ଜୋତା, ମଦ ପାଉଚ୍‌, ପିନ୍ଧା ଲୁଗା ଆଦିକୁ ଯାଞ୍ଚ ପାଇଁ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଯିବ।

ପୀଡ଼ିତା ଆଉ ୫ରୁ ୬ ଦିନ ମଧ୍ୟରେ ସୁସ୍ଥ ହୋଇଯିବାର ସମ୍ଭାବନା ରହିଥିବା ବୁର୍ଲା ମେଡିକାଲର ନିର୍ଦ୍ଦେଶକ କହିଛନ୍ତି। ସମ୍ବଲପୁର ପୋଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇଥିବା ସହ ତଦନ୍ତ ଶେଷ କରି ୨୦ ଦିନ ମଧ୍ୟ‌ରେ ଚାର୍ଜସିଟ୍‌ ଦାଖଲ କରିବ ବୋଲି ଏସ୍‌ପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି।

ଶନିବାର ସନ୍ଧ୍ୟାରେ ଅଇଁଠାପାଲି ଥାନା ଡେଙ୍ଗସର୍‌ଗି ଅଞ୍ଚଳର ଜଣେ ମହିଳା ଛକରେ ଛିଡ଼ା ହୋଇଥିବା ସମୟରେ ୨ ଯୁବକ ତାଙ୍କୁ ବାଇକ୍‌‌ରେ ଲିଫ୍ଟ ଦେବା ବାହାନା କରି ଡାକି ନେଇଥିଲେ। ପ୍ରାୟ ୧ କିମି ଦୂର କେନାଲ କୂଳରେ ଥିବା ଏକ ପାଳଗଦାକୁ ନେଇ ଉକ୍ତ ଯୁବକମାନେ ମହିଳାଙ୍କୁ ନିଶା ଖୁଆଇ ଦୁଷ୍କର୍ମ କରିଥିଲେ। ଏହାପରେ ଘଟଣାସ୍ଥଳରେ ଆଉ ୨ ଯୁବକ ପହଞ୍ଚି ରାତିତମାମ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳାଙ୍କୁ ଅନ୍ୟତ୍ର ନେଇ ଛାଡ଼ିବାକୁ ଯିବା ସମୟରେ ସେ ବରେଇପାଲି ନିକଟସ୍ଥ ଏକ ମୋବାଇଲ ରିପାଏରିଂ ଦୋକାନ ନିକଟରେ ଖସିପଡ଼ିଥିଲେ। ଏହି ଘଟଣାରେ ତାଙ୍କ ମୁଣ୍ଡ ପଛପାର୍ଶ୍ଵରେ ଆଘାତ ଲାଗିଥିଲା। ସକାଳୁ ଜଣେ ଜଳଖିଆ ଦୋକାନୀ ମହିଳାଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ। ଅଇଁଠାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

Comment