ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁ ସର୍ତ୍ତମୂଳକ ଜାମିନ୍‌ରେ ଜେଲ୍‌ରୁ ମୁକୁଳିଛନ୍ତି। ସୋସାଇଟିର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗତ ୪ ତାରିଖରେ ପ୍ରମୋଦଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ୧ ମାସ ୯ ଦିନ ପରେ ଜେଲ୍‌ରୁ ମୁକୁଳିଛନ୍ତି।

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ୍ ସୋସାଇଟିର ପୂର୍ବତନ ସଭାପତି ତଥା ବିଜେଡିର ପୂର୍ବତନ ରାଜ୍ୟ ସମ୍ପାଦକ ପ୍ରମୋଦ ସାହୁ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ସମ୍ପର୍କରେ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଥିଲା।

କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗତ ୩ ତାରିଖ ରାତିରେ ପ୍ରମୋଦଙ୍କୁ ଗିରଫକରି ୪ ତାରିଖରେ କୋର୍ଟ ଚାଲାଣ କରିଥିଲା। କେନ୍ଦ୍ରାପଡା ଏସ୍‌ଡିଜେଏମ୍ ପ୍ରମୋଦଙ୍କ ଜାମିନ୍‌ ଆବେଦନ ଖାରଜ କରିବା ପରେ ଗତ ୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଜଜ୍‌ଙ୍କ  ଅଦାଲତରେ ଜାମିନ୍‌ ଆବେଦନ କରିଥିଲେ। ହେଲେ ଜାମିନ୍‌ ଆବେଦନ ଖାରଜ ହୋଇଯାଇଥିଲା।

ଶେଷରେ ପ୍ରମୋଦ ଓଡ଼ିଶା ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। ହାଇକୋର୍ଟ ପ୍ରମୋଦଙ୍କୁ ଜାମିନ୍‌ ପ୍ରଦାନ କରିବାକୁ ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକୀୟ ସର୍ତ୍ତ ରଖି ଜାମିନ୍‌ ଦେବା ପାଇଁ ହାଇକୋର୍ଟ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ଆଦେଶ ଅନୁସାରେ ଆଜି କେନ୍ଦ୍ରାପଡା ଏସ୍‌ଡିଜେଏମ୍ ପ୍ରମୋଦଙ୍କ ଜାମିନ୍‌ ଆବେଦନକୁ ମଞ୍ଜୁର କରିଛନ୍ତି। ଦୁଇଜଣ ଜାମିନ୍‌ଦାର, ୩୦ ହଜାର ଟଙ୍କା ମୁଚାଲିକାରେ ସର୍ତ୍ତମୂଳକ ଜାମିନ୍‌ ମିଳିଛି।

ଏହାଛଡା ପ୍ରମୋଦ ଏହି ମାମଲାରେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ଅଭିଯୋଗ କାରିଣୀଙ୍କୁ ଆଉ ଏପରି ଆଚରଣ ପ୍ରଦର୍ଶନ କରିବେ ନାହିଁ ଓ ତଦନ୍ତରେ ସହଯୋଗ କରିବାକୁ ସର୍ତ୍ତ ରହିଛି। କୋର୍ଟରେ ଜାମିନ୍‌ ପ୍ରକ୍ରିୟା ଶେଷ ହେବା ପରେ ପ୍ରମୋଦ କେନ୍ଦ୍ରାପଡା ବାରିମୂଳ ସବ୍ ଜେଲ୍ ହାଜତର ୪ ନମ୍ବର କୋଠରୀରୁ ମୁକୁଳିଛନ୍ତି।

ପ୍ରମୋଦ ଏହି ମାମଲାରେ ଗିରଫ ହେବା ପରେ ତାଙ୍କୁ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ୍ ସୋସାଇଟିର ସଭାପତି ପଦରୁ ହଟିବାକୁ ପଡିଥିଲା। ପ୍ରମୋଦ ବିଜେଡିର ପ୍ରାଥମିକ ସଦସ୍ୟ ନଥିବା ଦଳ ସେତେବେଳେ କହିଥିଲା।

Comment