ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁବତୀଙ୍କୁ ଛୁଇଁଲେ ମାରିବ କରେଣ୍ଟ। ଏଭଳି ଏକ ଉପକରଣ ଉଦ୍ଭାବନ କରିଛନ୍ତି ଲୋକଦୃଷ୍ଟି କଲେଜର ଯୁକ୍ତ ତିନିର ଛାତ୍ର ଲକ୍ଷ୍ମଣ ଡୁଣ୍ଡି।

ଦୁଷ୍କର୍ମ ରୋକିବାକୁ ଛାତ୍ରଙ୍କ ନୂଆ ପ୍ରୟାସ। ମହିଳାଙ୍କୁ ଛୁଇଁଲେ ମାରିବ କରେଣ୍ଟ। ଯୁବତୀଙ୍କ ସୁରକ୍ଷା ପାଇଁ ଏଭଳି ଏକ ବୈଦ୍ୟୁତିକ ଉପକରଣର ଉଦ୍ଭାବନ କରିଛନ୍ତି ଜଣେ କଲେଜ ଛାତ୍ର। ଛାତ୍ର ଜଣକ ହେଉଛନ୍ତି ନୂଆପଡ଼ା ଖଡ଼ିଆଳସ୍ଥିତ ଲୋକଦୃଷ୍ଟି କଲେଜ ଅଫ ଆଡ୍‌ଭାନ୍ସ ଟେକ୍ନୋଲୋଜିର ଯୁକ୍ତ ତିନିର ଛାତ୍ର ଲକ୍ଷ୍ମଣ ଡୁଣ୍ଡି।

ଏହି ବୈଦ୍ୟୁତିକ ଉପକରଣକୁ ଯୁବତୀମାନେ ତାଙ୍କ ଦେହରେ ଲଗାଇଲେ ସୁରକ୍ଷିତ ରହିବେ। ଯଦି କେହି ମନ୍ଦ ଉଦ୍ଦେଶ୍ୟ ରଖି ଯୁବତୀଙ୍କୁ ଛୁଇଁଲେ ତାଙ୍କୁ ୨୨୦ ଭୋଲ୍ଟର କରେଣ୍ଟ ମାରିବ। ଏହି ଯନ୍ତ୍ରକୁ ଥରେ ଚାର୍ଜ କଲେ ୬୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ। ଏଥିରେ ଗୋଟିଏ ଟ୍ରାଞ୍ଜିଷ୍ଟର ଓ ଟ୍ରାନ୍ସଫର୍ମର ବ୍ୟାଟେରି ସହିତ କିଛି ତାର ଓ ଗୋଟିଏ ରିମୋର୍ଟ କଣ୍ଟ୍ରୋଲର୍‌ ରହିଛି।

ଏହି ଉପକରଣକୁ ରିମୋର୍ଟ ମାଧ୍ୟମରେ ପରିଚାଳନା କରାଯାଇ ପାରିବ। ମହିଳାଙ୍କୁ କେହି ଛୁଇଁଲେ ରିମୋର୍ଟ ସୁଇଚ ଚିପିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ବିଦ୍ୟୁତ ଝଟ୍‌କା ଲାଗିବ। ଫଳରେ ମହିଳାମାନେ ସୁରକ୍ଷିତ ରହି ପାରିବେ ବୋଲି ସେ ପ୍ରଦର୍ଶନ କରି ଦେଖାଇଥିଲେ।

ଏନେଇ ଲକ୍ଷ୍ମଣ କହିଛନ୍ତି, “ଯୁବତୀ ଓ ମହିଳାଙ୍କ ଉପରେ ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ସେମାନଙ୍କୁ ଏହି ଅପରାଧରୁ ବଞ୍ଚାଇବା ପାଇଁ ଏଭଳି ଏକ ଯନ୍ତ୍ରର ଉଦ୍ଭାବନ କରିଛି। ଯୁବତୀମାନେ ବାହାରକୁ ଏକୁଟିଆ ଗଲା ବେଳେ ନିଜକୁ ଅସୁରକ୍ଷିତ ମନେ କଲେ ଏହି ଉପକରଣ ପିନ୍ଧି ପାରିବେ। ଯାହା ଦ୍ଵାରା ସେମାନେ ସୁରକ୍ଷିତ ରହିବେ।”

ପୂର୍ବରୁ ୨୦୧୭ ମସିହାରେ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ କରି ସାରା ଦେଶରେ ପରିଚିତ ହୋଇଥିଲେ ଲକ୍ଷ୍ମଣ। ବର୍ତ୍ତମାନ ସେ ଲୋକଦୃଷ୍ଟି କଲେଜରେ ଯୁକ୍ତତିନି ପଦାର୍ଥ ବିଜ୍ଞାନର ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here