ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଅଡୁଆରେ ନବୀନ!

ନାଗରିକତା ସଂଶୋଧନ ବିଲ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଥିଲେ ମଧ୍ୟ ଏହାକୁ ନେଇ ଝଡ଼ ଥମୁନି। ଉତ୍ତର ପୂର୍ବ ରାଜ୍ୟରେ ବିଲ୍‌କୁ ବିରୋଧ କରି ନିଆଁ ଜଳୁଥିବା ବେଳେ ପାଞ୍ଚ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ନୂଆ ଆଇନ୍‌କୁ ସେମାନଙ୍କ ରାଜ୍ୟରେ ଲାଗୁ କରାଯିବନି ବୋଲି ସଫା ସଫା କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ଏହି ସଂଶୋଧିତ ଆଇନକୁ ବିରୋଧ କରିଛନ୍ତି। ଏହି ଆଇନ୍ ଏହିସବୁ ରାଜ୍ୟରେ ଲାଗୁ ହେବନି ବୋଲି ଏମାନେ କହିଛନ୍ତି।

ଏସବୁ ଭିତରେ ସମସ୍ତଙ୍କ ନଜର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି। ଏହି ନୂଆ ଆଇନ୍‌ରେ ମୁସଲିମ୍‌ ସଂପ୍ରଦାୟକୁ ଅଣଦେଖା କରାଯାଇଥିବାରୁ ନବୀନ ଏହାକୁ ଓଡ଼ିଶାରେ ଲାଗୁ କରୁଛନ୍ତି କି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଏହି ବିଲ୍‌କୁ ବିଜୁ ଜନତା ଦଳ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ସମର୍ଥନ କରିଥିଲା। ବିଜେଡିର ଏହି ସମର୍ଥନକୁ କଂଗ୍ରେସ ସମାଲୋଚନା କରିଥିଲା। ସଂସଦରେ ଏହି ବିଲ୍‌କୁ ବିଜେଡି ସମର୍ଥନ କରିଥିବାରୁ ଏହି ଆଇନ୍‌ ଓଡ଼ିଶାରେ ଲାଗୁ ହେବ ବୋଲି ରାଜନୀତି ପର୍ଯ୍ୟବେକ୍ଷକମାନେ ମତ ଦେଇଥିଲେ। କିନ୍ତୁ ଶୁକ୍ରବାର ଦିନ ସବୁ ଗଣିତ ବଦଳି ଯାଇଛି। ଲୋକସେବା ଭବନରେ ମୁସଲିମ୍‌ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସରକାର ଅଡୁଆରେ ପଡ଼ିଛନ୍ତି।

ଏନ୍‌ଆର୍‌ସି ଓ ସିଏବି ବିଲ୍‌କୁ ନେଇ ମୁସଲିମ୍‌ ସଙ୍ଗଠନର ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ନବୀନ ସେମାନଙ୍କ କଥା ଶୁଣିବା ପରେ ମୁସଲମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ନବୀନଙ୍କଠାରୁ ଅଭୟବାଣୀ ଶୁଣିବା ପରେ ମୁସଲିମ୍‌ ସଙ୍ଗଠନର ନେତା ଫେରିଥିଲେ।

ନାଗରିକତା ସଂଶୋଧନ ବିଲ୍‌ ଏବେ ଆଇନରେ ପରିଣତ ହୋଇଛି। କେନ୍ଦ୍ର ସରକାର ଏହି ଆଇନ ପ୍ରଣୟନ କରିଥିବାରୁ ସବୁ ରାଜ୍ୟରେ ଏହା ଲାଗୁ ହେବା କଥା। କିନ୍ତୁ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ଅସାମ୍ବିଧାନିକ କହି ବିରୋଧ କରୁଥିବା ବେଳେ ନବୀନ ସଂସଦରେ ସମର୍ଥନ କରିଛନ୍ତି। ଏପଟେ ଓଡ଼ିଶାର ମୁସଲମାନଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଅଭୟବାଣୀ ଦେଇଛନ୍ତି। ତାହାଲେ ନବୀନ ଏବେ କ’ଣ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯେଉଁ ଅଣମୁସଲିମ୍‌ ସଂପ୍ରଦାୟ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଓଡ଼ିଶାରେ ୬ ବର୍ଷ ଧରି ରହୁଛନ୍ତି ସେମାନଙ୍କୁ ନୂଆ ଆଇନ ମୁତାବକ ନାଗରିକତା ପ୍ରମାଣପତ୍ର ମିଳିବ। ହେଲେ ମୁସଲିମ୍‌ ସଂପ୍ରଦାୟଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା ଏଥିରେ ନଥିବାରୁ ନବୀନ ଏହାକୁ କେମିତି ମ୍ୟାନେଜ କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment