ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ରାମଲୀଳା ମଇଦାନରେ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

“ମୋ ନାଁ ରାହୁଲ ସବରକର ନୁହେଁ, ମୋ ନାଁ ରାହୁଲ ଗାନ୍ଧୀ। ମୁଁ କ୍ଷମା ମାଗିବିନି। ମୁଁ ମରିଯିବ ପଛେ କିନ୍ତୁ ମୋ ଭାଷଣ ପାଇଁ କ୍ଷମା ମାଗିବିନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ।”,ଶନିବାର ଦିଲ୍ଲୀରେ ରାମଲୀଳା ମଇଦାନରେ କିଛି ଏଭଳି ଢ଼ଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।ଶୁକ୍ରବାର ରାହୁଲଙ୍କ ରେପ୍ ଇନ୍ ଇଣ୍ଡିଆ ମନ୍ତବ୍ୟକୁ ନେଇ ସଂସଦରେ ଜୋରଦାର ଚର୍ଚ୍ଚା ହୋଇଥିଲା। ବିଜେପି ସାଂସଦମାନେ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ। ଶନିବାର ଭାରତ ବଞ୍ଚାଓ ରାଲିରେ ଏହାର ଉତ୍ତର ଦେଇଛନ୍ତି ରାହୁଲ ଗାନ୍ଧୀ।

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମିଛ କହିଛନ୍ତି। ମୋଦୀ ଦେଶକୁ କଳାଧନ ଫେରେଇ ଆଣିବାକୁ କହିଥିଲେ। କିନ୍ତୁ ଆଜି ସେ ଲୋକମାନଙ୍କ ଟଙ୍କା ନେଇ ଆଦାନୀ ଓ ଅମ୍ବାନୀଙ୍କୁ ବାଣ୍ଟୁଛନ୍ତି।କିଛି ଦିନ ତଳେ ସରକାର ୧୫/୨୦ ଲୋକଙ୍କର ୪୦ ହଜାର କୋଟି ଟଙ୍କାର ଋଣଛାଡ଼ କରିଥିଲେ। କିନ୍ତୁ ଲୋକମାନଙ୍କୁ ମୋବାଇଲ କଲ କରିବା ପାଇଁ ଏବେ ୫୦ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡୁଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ।ଦେଶରେ ଲଗାତାର ଭାବେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା, କୃଷକ ବିରୋଧୀ ନୀତି, ମହିଳାଙ୍କ ଉପରେ ଅତ୍ୟାଚାର, ବେକାରୀ ସମସ୍ୟାକୁ ବିରୋଧ କରି କଂଗ୍ରେସ ଶନିବାର ଭାରତ ବଞ୍ଚାଓ ରାଲିର ଆୟୋଜନ କରିଛି। ଦିଲ୍ଲୀର ରାମଲୀଳା ମଇଦାନରେ ଏଥିପାଇଁ ପ୍ରାୟ ୪୦ ହଜାର କଂଗ୍ରେସ କର୍ମୀ ଏକାଠି ହୋଇଛନ୍ତି। ଏହି ରାଲିରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯୋଗ ଦେଇଛନ୍ତି। ଏହାସହ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି।

Comment