ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପିର ନୂଆ ସଭାପତି କିଏ ହେବେ ତାହା ଫଇସଲା ହେବ। ଏକଥା କହିଛନ୍ତି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ। ରବିବାରଠାରୁ ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ଆରମ୍ଭ ହୋଇଛି।

ବିଜେପିର ଦଳୀୟ ନିୟମ ଅନୁଯାୟୀ ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ସଭ୍ୟମାନେ ସଭାପତି ନିର୍ବାଚନ କରିଥାନ୍ତି। ଅରୁଣ ସିଂହ କହିଛନ୍ତି ଯେ ବିଜେପି ଏକମାତ୍ର ଦଳ ଯାହାର ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି ଓ ଗଣତାନ୍ତ୍ରିକ ପଦ୍ଧତିରେ ଦଳୀୟ ନିର୍ବାଚନ ହୋଇଥାଏ।

ରାଜ୍ୟ ସଭାପତି ପଦ ପାଇଁ ପ୍ରାୟ ଦଶ ଜଣଙ୍କ ନାଁ ଶୁଣାଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ର  ମନ୍ତ୍ରୀ ଜୁଏଲ ଓରାମ, କେଭି ସିଂହଦେଓ, ବିଜୟ ମହାପାତ୍ର, ସୁରେଶ ପୂଜାରୀ, ମନମୋହନ ସାମଲ, ସମୀର ମହାନ୍ତି ଓ ଏପରିକି ଭୃଗୁ ବକ୍ସିପାତ୍ର। ଖବର ମିଳିଛି ଯେ କେନ୍ଦ୍ର ନେତୃତ୍ୱ ଏଭଳି ଜଣେ ବ୍ୟକ୍ତିଙ୍କୁ ଖୋଜୁଛନ୍ତି ଯାହାର ସାଙ୍ଗଠନିକ ଦକ୍ଷତା ଥିବ ଓ ଯିଏ ୨୦୨୪ ନିର୍ବାଚନରେ ନେତୃତ୍ୱ ନେବା ସହ ସରକାର ରାଜ୍ୟରେ  ଗଠନ କରିବାର ତାକତ ଦେଖାଇପାରିବେ।

ଦଳର ଅନ୍ୟ ନେତାମାନେ ମଧ୍ୟ ପ୍ରାୟ ଏହି କଥା ହିଁ କହୁଛନ୍ତି। ଓଡ଼ିଶାରେ ୨୦୨୪ରେ ସରକାର ଗଠନର ଲକ୍ଷ୍ୟ ରଖିଛି ବିଜେପି। ଏଣୁ ଯିଏ ପରବର୍ତ୍ତୀ ସଭାପତି ହେବେ ତାଙ୍କ ଉପରେ ସରକାର ଗଠନର  ସବୁ କଥା ନିର୍ଭର କରିବ। ଏଭଳି ମଧ୍ୟ ଦଳ ଭିତରେ ଆଲୋଚନା ହେଉଛି ଯେ ଉପକୂଳ ଓଡିଶାରୁ କେହି ଜଣେ ସଭାପତି ହୋଇପାରନ୍ତି କାରଣ ଏହି ଜିଲ୍ଲା ମାନଙ୍କରେ ବିଜେପିର ସ୍ଥିତି ଅତ୍ୟନ୍ତ ଦୁର୍ବଳ।

ଯଦି ଅତୀତ ଇତିହାସକୁ ଦେଖାଯାଏ, ବିଜେପିର ଯିଏ ବି ସଭାପତି ହୋଇଛନ୍ତି ସହମତି ଭିତ୍ତିରେ ହୋଇଛନ୍ତି। ଏଇ ଖବର ବି ଆସୁଛି ଯେ ରାଜ୍ୟ ସଭାପତି ପଦ ପାଇଁ ତିନି ଜଣଙ୍କ ନାମ କେନ୍ଦ୍ରକୁ ପଠାଯାଇଛି। ଏଣୁ ଦଳର ହାଇକମାଣ୍ଡ ଯାହା ଉପରେ ପ୍ରସନ୍ନ ହେବେ ଏଠି ନେତାମାନେ ସେଥିରେ ହଁ ମାରିବାକୁ ବାଧ୍ୟ।

bjpଓଡ଼ିଶା ବିଜେପିର ସଭାପତି ଭାବେ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ନେତାମାନେ ହିଁ ନିର୍ବାଚିତ ହୋଇ ଆସିଛନ୍ତି। ଜୁଏଲ ଓରାମ ତିନିଥର ସଭାପତି ରହିସାରିଛନ୍ତି। ୨୦୦୪ ପରଠାରୁ କେଭି ସିଂହଦେଓ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା କାର୍ଯ୍ୟଭାର ସମ୍ଭାଳି ଆସିଛନ୍ତି। ଏଣୁ କଳାହାଣ୍ଡି ସାଂସଦ ଓ ବର୍ତ୍ତମାନ ସଭାପତି ଥିବା ବସନ୍ତ ପଣ୍ଡା ପୁଣି ଥରେ ସଭାପତି ହେବାର ସମ୍ଭାବନାକୁ ଏଡେଇ ହେବ ନାହିଁ।

ଇତି ମଧ୍ୟରେ ବିଜେପିର ୩୬ଟି ସାଙ୍ଗଠନିକ ଜିଲ୍ଲା ଭିତରୁ ୧୬ ଜିଲ୍ଲାରେ ନିର୍ବାଚନ ସରିଛି। ବରଗଡ଼, ବାଲେଶ୍ୱର, ବଣାଇ, ପାନପୋଷ, ସୁନ୍ଦରଗଡ, ଜଗତସିଂହପୁର, କଳାହାଣ୍ଡି, ନୂଆପଡ଼ା, ଗଞ୍ଜାମ, ଘୁମୁସର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସଭାପତି ନିର୍ବାଚିତ ହୋଇଥିବା ବେଳେ ବାକି ୨୦ ଜିଲ୍ଲାର ସଭାପତି ନିର୍ବାଚିତ ହେବା ପରେ ଯାଇ  ସମସ୍ତଙ୍କ ନାମ ଏକାଠି ଘୋଷଣା କରାଯିବ ବୋଲି ଜଣେ ନେତା କହିଛନ୍ତି।

Comment