ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗୋବରୀ ନଦୀରେ ମାତିଛନ୍ତି କୁମ୍ଭୀର। ନଦୀ କୂଳିଆ ଲୋକେ ନଦୀ ଉପରେ ନିର୍ଭର ନକଲେ ଅଚଳ। ନଦୀରେ ପସିଲେ କୁମ୍ଭୀର ଆକ୍ରମଣର ଶିକାର ହେବାର ଆଶଙ୍କା ରହୁଛି। ଏମିତି ଜୀବନ ମରଣର ଦୋଛକିରେ ବିତୁଛି ନଦୀ କୂଳିଆ ଲୋକଙ୍କ ଜୀବନ। ମଙ୍ଗଳବାର ସନ୍ଧ୍ୟାରେ ଏମିତି ଜଣେ ବ୍ୟକ୍ତି ନଦୀରେ କୁମ୍ଭୀର ସହ ଲଢି ନୂଆ ଜୀବନ ପାଇ ଫେରିଛନ୍ତି। ସେ ହେଉଛନ୍ତି ମହାକାଳପଡା ବ୍ଲକ ଦେଉଳିପଡା ଗାଁର ବ୍ରଜ କିଶୋର ପ୍ରଧାନ।

ମଙ୍ଗଳବାର ପ୍ରାୟ ସନ୍ଧ୍ୟା ୭ଟା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଦେଉଳିପଡା ଗାଁର ବ୍ରଜ କିଶୋର ପ୍ରଧାନ ସବୁଦିନପରି ନିଜ ଗାଁ ଗୋବରୀ ନଦୀର ମଙ୍ଗଳା ଘାଟରେ ଜାଲ ପକାଇ ମାଛ ଧରିବାକୁ ଯାଇଥିଲେ। ସନ୍ଧ୍ୟା ଗଡି ଅନ୍ଧାର ହେବାକୁ ବସିଲାଣି। ବ୍ରଜ ନଦୀ ଘାଟର ପ୍ରଥମ ପାହାଚରେ ଠିଆ ହୋଇ ନଦୀକୁ ଜାଲ ଫିଙ୍ଗିବାକୁ ଯିବାବେଳେ ହଠାତ ଗୋଡକୁ ଝାମ୍ପିନେଇଥିଲା ବିଶାଳ କୁମ୍ଭୀର।

କୁମ୍ଭୀର ବ୍ରଜଙ୍କ ଗୋଡ଼କୁ ଧରି ନଦୀ ମଧ୍ୟକୁ ଟାଣି ନେବାବେଳେ ବ୍ରଜ କୁମ୍ଭୀରକୁ ଆଉ ଏକ ଗୋଡରେ ଶକ୍ତ ଗୋଇଠା ମାରିଥିଲେ। ତଥାପି ଛାଡିଲାନି କୁମ୍ଭୀର। କୁମ୍ଭୀର ସହିତ ଚାଲିଲା ଲଢେଇ। କୁମ୍ଭୀର ବ୍ରଜଙ୍କୁ ନଦୀ ଭିତରକୁ ଟାଣି ନେବା ବେଳେ ହାତରେ କୁମ୍ଭୀର ମୁହଁକୁ ବିଧା ମାରିଥିଲେ ବ୍ରଜ। କୁମ୍ଭୀର ବ୍ରଜଙ୍କ ଗୋଡକୁ ଛାଡି ହାତକୁ ଧରିଥିଲା।

ଗୋଟିଏ ହାତକୁ କୁମ୍ଭୀର ଧରି ଟାଣିନେବା ବେଳେ ବ୍ରଜଙ୍କର ଆଉ ଏକ ହାତର ଆଙ୍ଗୁଠି କୁମ୍ଭୀରର ଆଖିରେ ବାଜିବାରୁ କୁମ୍ଭୀରଟି ବ୍ରଜଙ୍କୁ ଛାଡି ଦେଇଥିଲା। ନିଜର ଜୀବନ ବଞ୍ଚାଇବାକୁ ବ୍ରଜ ଚିତ୍କାର କରୁଥିଲେ। ହେଲେ ପାଖରେ କେହି ଲୋକ ନଥିବାରୁ ବ୍ରଜଙ୍କ ଚିତ୍କାର କେହି ଶୁଣି ପାରୁନଥିଲେ।  ବିଳମ୍ବରେ ବ୍ରଜଙ୍କ ଚିତ୍କାର ଶୁଣି ଲୋକମାନେ ଘାଟ କୂଳରେ ପହଞ୍ଚିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ରଜ କୂଳକୁ ଫେରିଆସି ସଜ୍ଞାହୀନ ହୋଇ ପଡିଯାଇଥିଲେ। ସ୍ଥାନୀୟ ଗ୍ରାମବାସୀମାନେ ବ୍ରଜଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ କୁରୁତୁଙ୍ଗା ଡାକ୍ତରଖାନାକୁ ଆଣିଥିଲେ। ପରେ ବ୍ରଜଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏକ ବିଶାଳ କୁମ୍ଭୀର ମୁହଁରୁ ଜୀବନ ଫେରିପାଇବା ବ୍ରଜଙ୍କ ପାଇଁ ନୂଆ ଜନ୍ମ ବୋଲି ଲୋକ କହୁଛନ୍ତି।

ଏମିତି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ନଦୀମାନଙ୍କରେ କୁମ୍ଭୀରମାନଙ୍କ ଉପଦ୍ରବ ବଢିବାରେ ଲାଗିଛି। ଅନେକ ଜୀବନ କୁମ୍ଭୀର ପାଟିରେ ଯାଉଛି ଆଉ ଅନେକଙ୍କ ଭାଗ୍ୟ ବଳରେ ଜୀବନ ବଞ୍ଚିଯାଉଛି। ପ୍ରତି ବର୍ଷ ଏପରି ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗର କୌଣସି ନିଘା ନାହିଁ। କେବଳ ମୃତାହତମାନଙ୍କୁ ସରକାରୀ ସହାୟତା ଦେଇ କାମ ସାରିଦେଉଛି ବନ ବିଭାଗ। କୁମ୍ଭୀର ପ୍ରବଣ ନଦୀମାନଙ୍କର ଗାଧୁଆ ଘାଟମାନଙ୍କରେ ତାରବାଡ ଦେବାର ସରକାରଙ୍କ ବ୍ୟବସ୍ଥା ରହିଥିବା ବେଳେ ବନ ବିଭାଗ ଚୁପ୍ ହୋଇ ବସି ରହିଛି। ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ ନକଲେ ଏମିତି କେତେ ବ୍ରଜ ମୃତାହତ ହେଉଥିବେ ସନ୍ଦେହ ନାହିଁ।

LEAVE A REPLY

Please enter your comment!
Please enter your name here