ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଫୋରଡ ଗାଁ ନିକଟସ୍ଥ ଗୋବରୀ ନଦୀରେ ଏକ ବିଶାଳକାୟ କୁମ୍ଭୀର ବିଚରଣ କରୁଥିବା ଦେଖି ଲୋକେ ଛାନିଆ। ପ୍ରଥମ ଥର ପାଇଁ କୁମ୍ଭୀରକୁ ଏ ଅଞ୍ଚଳରେ ଦେଖାଦେଇଛି। ଏହାର ଲମ୍ବ ୧୦ ଫୁଟରୁ ଅଧିକ ହେବ ବୋଲି କୁହାଯାଉଛି।

ଏହା ବଉଳା ଜାତିର କୁମ୍ଭୀର। ଏହି କୁମ୍ଭୀର ରାଜନଗର ଅଞ୍ଚଳର ଭିତରକନିକାର ଲୁଣାପାଣିରେ ବାସ କରନ୍ତି। ଲୁଣା ଜୁଆର ଏହି ଅଞ୍ଚଳକୁ ଆସୁଥିବାରୁ ଏହି କୁମ୍ଭୀରଟି ଜୁଆରରେ ଆସିଥାଇପାରେ ବୋଲି କଟକ ଡିଏଫଓ ସୁଦର୍ଶନ ପାତ୍ର ସୂଚନା ଦେଇଛନ୍ତି।

ଏହି ଋତୁରେ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି। ତେଣୁ ନିକଟରେ କୁମ୍ଭୀର କେଉଁଠି ଅଣ୍ଡା ଦେବାର ଅନୁମାନ କରାଯାଉଛି। କାରଣ ଗୋବରୀ ନଦୀରେ କୁମ୍ଭୀର ନୂଆ ନୁହନ୍ତି। ଏହି ପଦୀର ତଳମୁଣ୍ଡରେ ଥିବା ମହାକାଳପଡା ବ୍ଲକର ବିଜୟନଗର ଗାଁରେ ଗତବର୍ଷ ଏକ ବାଉଁଶ ବୁଦାରେ ବଉଳା କୁମ୍ଭୀର ପ୍ରଚୁର ଅଣ୍ଡା ଦେଇଥିବାର ଦେଖାଯାଇଥିଲା।

କେନ୍ଦ୍ରାପଡା ଜଙ୍ଗଲ ରେଞ୍ଜ ଓ କଟକ ଫରେଷ୍ଟ ଡିଭିଜନ ମଧ୍ୟରେ ଏହି ଅଞ୍ଚଳ ରହିଛି। ଆଜି କେନ୍ଦ୍ରାପଡା ଫରେଷ୍ଟ ରେଞ୍ଜ ଅଫିସର ଗୋବିନ୍ଦ ଚନ୍ଦ୍ର ରଥଙ୍କ ନିକଟରେ କୁମ୍ଭୀର ସମ୍ପର୍କରେ ଖବର ପହଞ୍ଚିଥିଲା। ସ୍ଥାନୀୟ ବନବିଭାଗ ଫରେଷ୍ଟରଙ୍କୁ ଘଟଣାସ୍ଥଳକୁ ପଠାଯାଇଥିବା ଶ୍ରୀ ରଥ କହିଛନ୍ତି। ନଦୀକୁ ନଯିବା ପାଇଁ ଲୋକମାନଙ୍କୁ ସଚେତନ କରାଇଛି ବନ ବିଭାଗ।

ଗୋବରୀ ନଦୀରେ ଗାଧୋଇବାକୁ ଏ ଅଞ୍ଚଳର ଲୋକେ ଅଧିକ ପସନ୍ଦ କରିଥାନ୍ତି। ଏହାଛଡା ଏହି ନଦୀରୁ ମାଛ ଧରିବାକୁ ଏହି ଅଞ୍ଚଳର ମତ୍ସ୍ୟଜୀବୀ ମାନେ ଦିନରାତି ଏକ କରିଥାନ୍ତି। ଗୋବରୀ ନଦୀର ବିଶାଳ ଚିଙ୍ଗୁଡ଼ି ଅଧିକ ଦାମରେ ଏଠାରୁ ବାହାରକୁ ଚାଲାଣ କରାଯାଇଥାଏ। ନଦୀ ଉପରେ ଏଠାକାର ଲୋକମାନେ ନିର୍ଭରଶୀଳ ଥିବା ବେଳେ ଏବେ କୁମ୍ଭୀର ଆତଙ୍କ ନଦୀ କୂଳିଆ ଲୋକମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। କୁମ୍ଭୀରଟିକୁ ଧରିନେବାକୁ ଲୋକେ ବନ ବିଭାଗ ନିକଟରେ ଦାବି କରିଛନ୍ତି।

Comment