ଓଡ଼ିଶାଲାଇଭ୍ ବ୍ୟୁରୋ

  • କନିକା ରେଞ୍ଜରେ ସର୍ବାଧିକ ୯୦ଟି ବସା
  • ରାଜନଗର ରେଞ୍ଜରେ ୯ଟି
  • ଗହୀରମଥାରେ ୨ଟି
  • ମହାକାଳପଡାରେ ୨ଟି ବସା
  • ଏଥର ଅଣ୍ଡା ଦେଲାନି ଗୋରୀ କୁମ୍ଭୀର

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭିତରକନିକା ଏବେ ଗମ୍ଭୀର। ଚାରିଆଡେ ମା’ କୁମ୍ଭୀରମାନେ ସେମାନଙ୍କର ଅଣ୍ଡା ଦେଇଥିବା ସ୍ଥାନ ମାନଙ୍କରେ ନିଜ ଅଣ୍ଡାକୁ ଜଗି ରହିଛନ୍ତି। ପ୍ରାୟ ୪ ମାସ ଧରି ମା’ କୁମ୍ଭୀର ତାର ଅଣ୍ଡାକୁ ଜଗି ରହିବ। ଚଳିତ ବର୍ଷ ଭିତରକନିକାରେ ୧୦୩ଟି କୁମ୍ଭୀରଙ୍କ ଅଣ୍ଡା ବସା ଚିହ୍ନଟ କରିଛି ବନବିଭାଗ। ସେଥିମଧ୍ୟରୁ କନିକା ରେଞ୍ଜରେ ସର୍ବାଧିକ ୯୦ଟି ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୯ଟି, ଗହୀରମଥାରେ ୨ଟି ଓ ମହାକାଳପଡାରେ ୨ଟି ବସା ଥିବା ଜଣାପଡ଼ିଛି। ଗତ ବର୍ଷ ମଧ୍ୟ ୧୦୩ଟି ବସା ପାଇଥିଲା ବନବିଭାଗ।

ଭିତରକନିକାରେ ରହୁଥିବା ଗୋରୀ କୁମ୍ଭୀରଟି ଏବର୍ଷ ଅଣ୍ଡା ଦେଇନି। ଗୋରୀକୁ ବନ ବିଭାଗ ଏକ ଲୁହା ତାରବାଡ ପାଚେରୀ ଘେରା ପୋଖରୀରେ ରଖିଛି। ବିନା ପୁରୁଷ କୁମ୍ଭୀରରେ ଗୋରୀ ଅଣ୍ଡା ଦେଇଥାଏ। ଏହାକୁ ବା’ଆ ଅଣ୍ଡା ବୋଲି କୁହାଯାଏ। ଏଥିରୁ କେବେ ଛୁଆ ଫୁଟନ୍ତିନି। ତାର ଅଣ୍ଡାରୁ ଛୁଆ ନଫୁଟିଲେ ମଧ୍ୟ ଗୋରୀ ମା’ ହେବାର ସ୍ୱପ୍ନ ଦେଖେ। ସେହିପରି ଆଉ ଏକ ଧଳା ଶଙ୍ଖୁଆ କୁମ୍ଭୀରକୁ ଏମିତି ତାରବାଡଘେରା ପୋଖରୀ ମଧ୍ୟରେ ରଖିଛି ବନବିଭାଗ। ତା’ର  ଅଣ୍ଡାଦେବାର ବୟସ ହୋଇଥିଲେ ମଧ୍ୟ ଚଳିତ ବର୍ଷ ସେ ମଧ୍ୟ ଅଣ୍ଡା ଦେଇନି ବୋଲି ରାଜନଗର ଡିଏଫ୍ଓ ବିକାଶରଞ୍ଜନ ଦାଶ ସୂଚନା ଦେଇଛନ୍ତି।

CGU newଏବେ ଭିତରକନିକା ଅଞ୍ଚଳର ଚାରିଆଡେ ମାଳମାଳ ବଉଳା କୁମ୍ଭୀରମାନେ ଅଣ୍ଡା ଦେଇଛନ୍ତି। ମା’ କୁମ୍ଭୀର ଏବେ ତାର ଛୁଆକୁ ଭୂମିଷ୍ଠ କରିବାକୁ ଜଗି ବସିଛି। ସେ ମା’ କୁମ୍ଭୀରଟି ବସାରେ ଅଣ୍ଡା ଦେଇସାରିବା ପରଠାରୁ ଛୁଆ ବାହାରିବା ପର୍ଯ୍ୟନ୍ତ ସେ ସେହି ସ୍ଥାନ ଛାଡି କୁଆଡେ ଯାଏନା। ଏପରିକି କୌଣସି ଶୀକାର କରେନା କି କିଛି ଖାଏନା। ଜଙ୍ଗଲରେ ରହୁଥିବା ବାର୍‌ହା ଓ ପାଣି ଗୋଧୀମାନେ ସୁଯୋଗ ପାଇଲେ କୁମ୍ଭୀରଙ୍କ ଅଣ୍ଡା ବସା ଭାଙ୍ଗି ଅଣ୍ଡାଗୁଡିକୁ ଖାଇଯାଆନ୍ତି। ଏଥିପାଇଁ ମା’ କୁମ୍ଭୀର ଭାରି ସତର୍କ ଥାଏ। ଏପରିକି ତାର ବସା ନିକଟକୁ କେହି ବାହ୍ୟ ଶତ୍ରୁ ଆସିଲେ ସେ ହିଂସ୍ର ହୋଇ ଉଠେ। ତୁରନ୍ତ ତାକୁ ଆକ୍ରମଣକରି ମାରିଦିଏ। ତେଣୁ ଏମାନଙ୍କ ବସା ନିକଟକୁ ଅନ୍ୟ କୌଣସି ଜଙ୍ଗଲି ଜନ୍ତୁ ଆସିବାକୁ ଭୟ କରନ୍ତି।

ଭିତରକନିକାରେ ବଉଳା କୁମ୍ଭୀରମାନଙ୍କ ଆବାସ ସ୍ଥଳୀ ରହିଛି। ବଙ୍ଗୋପସାଗର ସହିତ ବ୍ରାହ୍ମଣୀ ଓ ବୈତରଣୀ ନଦୀର ସଙ୍ଗମ ସ୍ଥଳରେ ରହିଛି ପ୍ରାକୃତିକ ଲୁଣା ଜଙ୍ଗଲ।  ଏଠାରେ ରହିଥିବା ଛୋଟଛୋଟ ନାଳ, ଜୋର ଓ ଖୋଳାନଈ ଆଦି ଏମାନଙ୍କ ଚରାଭୂଇଁ। ନଦୀର ମିଠା ପାଣି ଓ ସମୁଦ୍ରର ଲୁଣି ଜୁଆର ପାଣିର ଫେଣ୍ଟାଫେଣ୍ଟି ଦୋକସା ପାଣି ଏମାନଙ୍କର ପସନ୍ଦର ସ୍ଥାନ। ଏହାଛଡା ଅଭୟାରଣ୍ୟ ମଧ୍ୟରେ ବନବିଭାଗର କଡ଼ା ସୁରକ୍ଷା ବ୍ୟବସ୍ଥା ଏଠାରେ ଥିବା ନଦୀନାଳରେ ମାଛ କଙ୍କଡାମାନଙ୍କର ବଂଶ ବୃଦ୍ଧିରେ ସହାୟକ ହୋଇଥାଏ। ଏହି ମାଛ କଙ୍କଡା କୁମ୍ଭୀରମାନଙ୍କର ପ୍ରିୟ ଖାଦ୍ୟ। ଏଣୁ ଏହି କୁମ୍ଭୀରମାନେ ଏଠାରେ ରହି ବଂଶ ବୃଦ୍ଧି କରିଆସୁଛନ୍ତି।

ପ୍ରତିବର୍ଷ ଜାନୁଆରି ମାସରୁ ଫେବ୍ରୁଆରି ଯାଏ ପୁରୁଷ କୁମ୍ଭୀର ଓ ମା’ କୁମ୍ଭୀରମାନଙ୍କର ସଙ୍ଗମ ହୋଇଥାଏ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପୁରୁଷ କୁମ୍ଭୀରମାନେ ବାସକରନ୍ତି। ଏମାନଙ୍କ ମିଳନ ଋତୁ ଆସିଲେ ମା’ କୁମ୍ଭୀର ଆପେଆପେ ପୁରୁଷ କୁମ୍ଭୀର ନିକଟରେ ପହଞ୍ଚିଥାନ୍ତି। ଏପରିକି ଗୋଟିଏ ପୁରୁଷ କୁମ୍ଭୀର ତାର ନିର୍ଦ୍ଦିଷ୍ଟ ସ୍ଥାନ ଛାଡି ଅନ୍ୟ ସ୍ଥାନକୁ ଗଲେ ସେ ଅନ୍ୟ ପୁରୁଷ କୁମ୍ଭୀରଙ୍କ ସହିତ ଲଢେଇର ସାମ୍ନା କରିବାକୁ ପଡିଥାଏ। ପ୍ରତିବର୍ଷ ଏପ୍ରିଲ ଶେଷ ଆନକୁ ଏମାନେ ଅଣ୍ଡାଦେବା ଆରମ୍ଭ କରିଥାନ୍ତି। ଚଳିତ ବର୍ଷ ବାତ୍ୟା ଅମ୍ପନ ପାଇଁ ଏମାନେ ଅଣ୍ଡାଦାନ ବିଳମ୍ବ କରିଥିଲେ। ଉଚ୍ଚ ସମୁଦ୍ର ଜୁଆର ଆସିଥିବାରୁ ଏମାନେ ମଧ୍ୟ ଅଧିକ ସତର୍କ ହୋଇ ଉଚ୍ଚସ୍ଥାନ ବାଛି ଅଣ୍ଡା ଦେଇଥିବାର ଦେଖାଯାଇଛି। ଚଳିତବର୍ଷ ଏମାନେ ମେ’ ଶେଷ ସପ୍ତାହରୁ ଅଣ୍ଡାଦେବା ପ୍ରକ୍ରିୟା ଆରମ୍ଭ କରି ଜୁନ ୩ୟ ସପ୍ତାହ ପର୍ଯ୍ୟନ୍ତ ଅଣ୍ଡା ଦେଇଥିଲେ। କୌଣସି ପ୍ରକୃତିକ ବିପର୍ଯ୍ୟୟ ଆସିବା ଆଗରୁ ଏମାନେ ଜାଣିପାରନ୍ତି ଓ ସେହି ଅନୁସାରେ ସତର୍କ ହୋଇଥାନ୍ତି।

ଏକ ନିର୍ଦ୍ଦିଷ୍ଟ ଲୁଣା ଜଙ୍ଗଲ ଗଛର ପତ୍ରକୁ ଏମାନେ ସଂଗ୍ରହ କରି ବସା ତିଆରି କରିଥାନ୍ତି। ଏକାଥରକେ ଗୋଟିଏ କୁମ୍ଭୀର ସର୍ବନିମ୍ନ ୨୦ ଓ ସର୍ବାଧିକ ୭୧ଟି ଅଣ୍ଡା ଦେଇଥିବା ନଜିର ରହିଛି। ଅଣ୍ଡାର ବସା ନିକଟରେ ଏମାନେ ଏକ ବିଶାଳ ଗାତ ଖୋଳିଥାନ୍ତି। ଯେଉଁ ଗାତରେ ମା’ କୁମ୍ଭୀରଟି ତାର ଶରୀରକୁ ଲୁଚାଇ ରଖିପାରେ। ସେହି ଗାତରେ ଲୁଚିରହି ସେ ତାର ଅଣ୍ଡାକୁ ଜଗିରହେ। ଅଗଷ୍ଟ ମାସ ବେଳକୁ ଅଣ୍ଡାରୁ ଛୁଆ ବାହାରନ୍ତି। ଅଣ୍ଡାରୁ ଛୁଆ ଫୁଟିଲେ ପ୍ରଥମେ ତାର ଛୁଆଗୁଡିକୁ ବସାରୁ ସେ ଏହି ଗାତକୁ ନେଇଆସେ। ୭ରୁ ୮ ଦିନ ଯାଏ ଏହି ଗାତରେ ତା’ର  ଛୁଆମାନଙ୍କୁ ଖେଳାଏ, ଶିକାର କରିବାର ତାଲିମ ଦିଏ। ଛୁଆମାନେ ଶିକାର କରି ଶିଖିଲେ ସେମାନଙ୍କୁ ସାଥିରେ ନେଇ ଜଳାଶୟକୁ ଚାଲିଯାଏ।

Comment