ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ। କରୋନା ପାଇଁ ଦୀର୍ଘ ୭ ମାସ ଧରି ଉଦ୍ୟାନ ବନ୍ଦ ରହିବା ପରେ ଗୁରୁବାର ଏହାକୁ ଖୋଲିଛନ୍ତି ରାଜ୍ୟ ସରକାର। ତେବେ ରାତ୍ର ରହଣି ପାଇଁ ଯେଉଁ ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରିଥିବେ କେବଳ ସେହି ମାନେ ହିଁ ଡାଙ୍ଗମାଳ ଗେଷ୍ଟ ହାଉସରେ ରହି ଭିତରକନିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ବୋଲି ସୂଚନା ମିଳିଛି।

ଅନ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ମଧ୍ୟକୁ ପ୍ରବେଶ ବନ୍ଦ କରିଛି ବନ ବିଭାଗ। ତେବେ ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୧୬ ଜଣ ପର୍ଯ୍ୟଟକ ଅନଲାଇନ ବୁକିଂ କରି ଭିତରକନିକା ବୁଲିବାର ସୁବିଧା ପାଇଛନ୍ତି ବୋଲି ଡିଏଫ୍ଓ ବିକାଶରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏଇ ମାସ ସାରା ପର୍ଯ୍ୟଟକ ମାନଙ୍କ ବୁକିଂ ରହିଛି ବୋଲି ଡିଏଫ୍ଓ କହିଛନ୍ତି।ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକ ମାନେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଉତ୍ତମ ଆତିଥେୟତା ଯୋଗାଇଦେବା ପାଇଁ ବନବିଭାଗର କର୍ମଚାରୀମାନଙ୍କୁ ଇଣ୍ଡିଆନ୍ ଇଷ୍ଟିଟ୍ୟୁଟ୍ ଅଫ ଟୁରିଜିମ୍ ଆଣ୍ଡ ମ୍ୟାନେଜମେଣ୍ଟ ପକ୍ଷରୁ ତାଲିମ୍ ଦିଆଯାଇଛି। ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ପର୍ଯ୍ୟଟକମାନେ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାକ୍ସ ପିନ୍ଧିବା , ଏଣେତେଣେ ଛେପ ନପକାଇବା, ହାତକୁ ସାନିଟାଇଜ୍ କରିବା, ଆବଶ୍ୟକ ସ୍ଥଳରେ ଗ୍ଲୋବ୍ସ ପରିଧାନ କରିବାକୁ କଡାକଡି ଭାବେ ପାଳନ କରାଯିବାକୁ ବ୍ୟବସ୍ଥା କରିଛି ବନ ବିଭାଗ।
କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଏକ ଅନନ୍ୟ ଇଲାକା। ପ୍ରକୃତିର ବୈଭବର ଭରପୁର ଏହି ଲୁଣା ଜଙ୍ଗଲ ଘେରା ଅଞ୍ଚଳରେ ଶହଶହ ସଂଖ୍ୟାରେ ବଉଳା କୁମ୍ଭୀର, ହଜାର ହଜାର ସଂଖ୍ୟାରେ ଚିତ୍ରା ହରିଣ, ବଣ ବିରାଡି, ଗୋଧୀ, ବାରାହା, ଅଜଗର ସାପ ଆଦି ଅବାଧରେ ବିଚରଣ କରୁଥିବାର ଦେଖାଯାଆନ୍ତି। ଏହାଛଡା ଡାଙ୍ଗମାଳ ପାର୍କ ମଧ୍ୟରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ଏଠାରେ ବିଭିନ୍ନ ଗାଡିଆରେ ପୋଷା ହୋଇଥିବା କୁମ୍ଭୀର ମାନଙ୍କୁ ଦେଖିବାର ନିଆରା ମଜା ନେଇଥାନ୍ତି ପର୍ଯ୍ୟଟକମାନେ। ଏହାଛଡା ଏହି ଲୁଣା ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବିରଳ ଚଡ଼େଇ ମାନଙ୍କ ସହିତ ବର୍ଷାଦିନିଆ ଚଢେଇମାନଙ୍କ ଆବାସ ସ୍ଥଳୀରେ ବୁଲିବାର ସ୍ଵତନ୍ତ୍ର ମଜା ରହିଛି।
ଡାଙ୍ଗମାଳ ପାର୍କ ମଧ୍ୟରେ  ରହିଛି ଇଣ୍ଟରପ୍ରିଟେସନ ସେଣ୍ଟର। ଏଥିରେ ବିଭିନ୍ନ ବନ୍ୟପ୍ରାଣୀ ଓ ସାମୁଦ୍ରିକ ଜୀବ ମାନଙ୍କର କଙ୍କାଳ, ହାଡ ଓ ମୁଣ୍ଡ ଆଦି ରହିଛି। ବିଶାଳ ବିଶାଳ କୁମ୍ଭୀର, ବାରାହା, ପାଣି ଗୋଧୀ, ଡଲଫିନ୍, ଅଲିଭରିଡଲେ କଇଁଛମାନଙ୍କର ଅସ୍ଥି, କଙ୍କାଳ ଗବେଷଣାର ଗନ୍ତାଘର ହୋଇଛି। ଲୁଣା ଜଙ୍ଗଲ ମଧ୍ୟରେ ଭିନ୍ନଭିନ୍ନ ପ୍ରଜାତିର ଗଛ ମଧ୍ୟ ଗବେଷଣାର କେନ୍ଦ୍ର ପାଲଟିଛି। ଏଠାରେ ରହିଛନ୍ତି ବିଶ୍ଵର ସର୍ବ ବୃହତ କୁମ୍ଭୀର ଯାହା ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ଭିତରକନିକା ମଧ୍ୟରେ ରହିଥିବା ବିଭିନ୍ନ ନାଳ ଓ ନଦୀରେ ନୌକାରେ ଭ୍ରମଣ ପ୍ରକୃତି ପ୍ରେମୀମାନଙ୍କୁ ଆନମନାକରେ।

ବିଶ୍ଵର କୋଣ ଅନୁକୋଣରୁ ପର୍ଯ୍ୟଟକ ଓ ଗବେଷଣା ପାଇଁ ପ୍ରାଣୀ ବିଜ୍ଞାନୀମାନେ ଭିତରକନିକାର ବୈଭବକୁ ହାତଛଡା କରନ୍ତିନି। ହେଲେ କରୋନା ମହାମାରୀ ଭିତରକନିକାର ଶିରୀ ତୁଟାଇ ଦେଇଛି। ମାର୍ଚ୍ଚ ୧୩ରୁ ବନ୍ଦ ଥିବା ଭିତରକନିକା ଆଜି ୭ ମାସପରେ ଖୋଲୁଥିଲେ ମଧ୍ୟ ପର୍ଯ୍ୟଟକମାନେ ଏଥିରୁ ସେତେଟା ଫାଇଦା ଉଠାଇ ପାରିବେନି ବୋଲି ସ୍ଥାନୀୟ ପରିବେଶବିତ୍‌ମାନେ ମତ ଦେଇଛନ୍ତି।  ହେଲେ ଏହି ପର୍ଯ୍ୟଟନ କେନ୍ଦ୍ର ଉପରେ ଜୀବନ ଜୀବୀକା ନିର୍ଭର କରୁଥିବା ଲୋକେ ନିରାଶ ହୋଇଛନ୍ତି। ଭିତରକନିକାର ବାହାରେ ପର୍ଯ୍ୟଟକମାନଙ୍କ ପାଇଁ ବ୍ୟବସ୍ଥା କରିଥିବା ବେସରକାରୀ କଟେଜ୍ ୭ ମାସ ହେଲା ଫାଙ୍କା ପଡିଛି। ଜଳଖିଆ ଦୋକାନ, ହୋଟେଲ, ଚାହାପାନ ଦୋକାନ , ଥଣ୍ଡା ପାନୀୟ ଓ ପଇଡ ପାଣି ବ୍ୟବସାୟୀମାନଙ୍କ ହାତ ଖାଲି। ଏହାଛଡା ପର୍ଯ୍ୟଟକ ମାନଙ୍କୁ ନଦୀନାଳରେ ବୁଲାଇବା ପାଇଁ ଗୁପ୍ତି ଓ ଖୋଳା ନିକଟରେ ବ୍ୟବସାୟ ପାଇଁ ରହିଥିବା ବୋଟ୍ ସବୁ ଅଚଳ ହେବାକୁ ଲାଗିଛି। ଏହାଛଡା ବିଦେଶୀ ପର୍ଯ୍ୟଟକମାନଙ୍କୁ ଭିତରକନିକାରେ ବୁଲାଇବାକୁ ନିୟୋଜିତ ଟୁର ଅପରେଟରମାନଙ୍କ ମନ ଫିକା ପଡିଯାଇଛି। ଏକ ନୈରାଶ୍ୟର ବାତାବରଣ ଭିତରେ ଦୀର୍ଘଦିନ ପରେ ଭିତରକନିକା ପର୍ଯ୍ୟଟନସ୍ଥଳୀ ଖୋଲିଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Comment