ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନର ସ୍ଵତନ୍ତ୍ରତା ରହିଛି। ଜୈବ ବିବିଧତାରେ ଭରପୁର ଭିତରକନିକାରେ ଏଥର ନିଆରା ସ୍ଵାଦ ସୃଷ୍ଟି କରିବ ଇକୋ ରିଟ୍ରିଟ୍ ସେଣ୍ଟର। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭିତରକନିକା ଇକୋ ରିଟ୍ରିଟ୍ ସେଣ୍ଟରକୁ ଲୋକାର୍ପଣ କରିଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଏହା ୨୦୨୧ ଫେବ୍ରୁଆରୀ ପର୍ଯ୍ୟନ୍ତ ଚାଲୁରହିବ।ପର୍ଯ୍ୟଟକଙ୍କୁ ମିଳିବ କେଉଁସବୁ ସୁବିଧା?

ଏଠାରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ପଞ୍ଚତାରକା ହୋଟେଲର ସୁବିଧା ସୃଷ୍ଟି କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଦିନବେଳା ଭିତରକନିକାର ସବୁଜରାଜିର ଶୋଭା ଆଉ ରାତିରେ ବିଳାସପୂର୍ଣ୍ଣ କଟେଜରେ ରହିବା ସହ ନାଚ ଗୀତର ମଜା ନେବେ ପର୍ଯ୍ୟଟକ। ଏଥିସହ ଇକୋ ରିଟ୍ରିଟ ସ୍ଥଳରେ ଭାସମାନ ରେସ୍ତୋରାଁରେ ଜଳପାନଠୁ ଆରମ୍ଭ କରି ଯୋଗ କରିବାର ନିଆରା ଅନୁଭୂତି ବି ସାଉଁଟିବେ।

ଇକୋ ରିଟ୍ରିଟରେ ରହିବାକୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ଭିତରକନିକାର ପରିଭ୍ରମଣର ସୁଯୋଗ ଦିଆଯିବ। ଇକୋ ରିଟ୍ରିଟ ସମ୍ମୁଖ ଭାଗରେ ଥିବା ବୈତରଣୀ ନଦୀ କୂଳରେ ସେଲ୍‌ଫି ଜୋନରେ ସେଲ୍‌ଫି ଉଠାଇବାର ମଜା ମିଳିବ।ଇକୋ ରିଟ୍ରିଟ ପ୍ରବେଶ ପଥକୁ ଆକର୍ଷଣୀୟ ଭାବେ ସଜାଯାଇଛି। ପ୍ରବେଶ ପଥରେ କୃତ୍ରିମ ଝରଣା ସହ କଇଁଛ, ହରିଣ, ଦେଶ ବିଦେଶର ପକ୍ଷୀ, ମୟୂର ଓ ବଉଳା କୁମ୍ଭୀର ଦେଖିବାକୁ ମିଳିବ। ଇକୋ ରିଟ୍ରିଟ ସ୍ଥଳରେ ୨୧ଟି ବିଳାସପୂର୍ଣ୍ଣ କଟେଜ ନିର୍ମାଣ କରାଯାଇଛି। ଅନଲାଇନରେ ରହିବା ପାଇଁ ବୁକି˚ କରାଯାଉଛି। ଗୋଟିଏ ଦିନ ଓ ରାତି ରହଣି ଓ ଭ୍ରମଣ ପାଇଁ ସର୍ବନିମ୍ନ ୯ ହଜାର ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ୧୬ ହଜାର ଟଙ୍କା ଯାଏ ପ୍ୟାକେଜ କରାଯାଇଛି।ପ୍ରତ୍ୟେକ ରୁମରେ ଚାହା, କଫି ମେକର ରଖାଯାଇଛି। ପର୍ଯ୍ୟଟକମାନେ ଆବଶ୍ୟକ ସ୍ଥଳେ ଚାହା, କଫି ନିଜେ ପ୍ରସ୍ତୁତ କରିପାରିବେ। ପରିବାର ସହିତ ଛୋଟ ପିଲା ରହିପାରିବେ। ଅଧିକ ଜଣେ ସଦସ୍ୟ ପାଇଁ ଅତିରିକ୍ତ ୧୫ଶହ ଟଙ୍କା ଦେବାକୁ ପଡିବ। ଏହି ପ୍ୟାକେଜରେ ରହଣି, ଖାଦ୍ୟ, ଚାହା, କଫି ସହିତ ଭ୍ରମଣ ଓ ମନୋରଞ୍ଜନର ଭରପୁର ବ୍ୟବସ୍ଥା କରାଯାଇଛି।ରାଜନଗର ନଳିତାପାଟିଆଠାରେ ଭିତରକନିକାର ଏହି ଇକୋ ରିଟ୍ରିଟ ସେଣ୍ଟର ଲୋକାର୍ପଣ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସ˚ସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରାଜନଗର ବିଧାୟକ ଧ୍ରୁବ ସାହୁ, ଆଳି ବିଧାୟକ ପ୍ରତାପ ଦେବ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲାପରିଷଦ ସଭାପତି ମାନସ ପରିଡା ଆଦି ଅତିଥି ଭାବେ ଯୋଗଦେଇଥିଲେ।

Comment