ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଏହା ପୂର୍ବରୁ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହ ରାସ୍ତା ମରାମତି କାମ ସମ୍ପୂର୍ଣ୍ଣ କରାଯାଇଛି।

ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମନ୍ତେ ପ୍ରତି ବର୍ଷ ଦେଶ ବିଦେଶର ପର୍ଯ୍ୟଟକ ଏଠାକୁ ଆକର୍ଷିତ ହୋଇଥାନ୍ତି। ପରିବାର ଏବଂ ସାଙ୍ଗ ସାର୍ଥୀଙ୍କ ସହ ଏଠାରେ ନିଆରା ଅନୁଭୂତି ସାଉଣ୍ଟିଥାନ୍ତି। ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଉଭୟ ଲୁଲୁଂ ଏବଂ ଯଶୀପୁର ପଟୁ ବ୍ୟବସ୍ଥା କରାଯାଇଛି।

ଶିମିଳିପାଳକୁ ଦିନରେ ଆସୁଥିବା ପର୍ଯ୍ୟଟକ ଏବଂ ରାତ୍ରିରେ ରହିବା ପାଇଁ ଚାହୁଁଥିବା ପର୍ଯ୍ୟଟକଙ୍କ ଲାଗି ମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଛି। ଏହା ସହିତ ଏଠାକୁ ଆସିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ କେତୋଟି ନିୟମ ଲାଗୁ କରାଯାଇଛି। ଏହି ସବୁ ନିୟମ ପାଳନ କରି ପର୍ଯ୍ୟଟକଙ୍କୁ ଶିମିଳିପାଳର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ କର୍ତ୍ତୃପକ୍ଷଙ୍କ ପରାମର୍ଶ ରହିଛି।

ବାରିପଦା ପଟରୁ ଲୁଲୁଂ ଏବଂ ଯଶୀପୁର ପଟରୁ କାଳିଆଣି ଗେଟ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ସମୟରେ ଅନୁମତି ପତ୍ର ସଂଗ୍ରହ କରିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ରାତିରେ ରହିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରି ଏହାର ସୁବିଧା ନେଇପାରିବେ। ଶିମିଳିପାଳ ଅଭୟାରଣ୍ୟ ଭିତରେ ୫ଟି ଇକୋ ଟୁରିଜିମ କମ୍ପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡ଼ିଆ, କୁମାରୀ, ଜାମୁଆଣି ଏବଂ ବରେହିପାଣିରେ ରାତି ରହଣିର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ନିମନ୍ତେ ସାଇକେଲ ରାଇଡିଂ ଏବଂ ପିଲାମାନଙ୍କ ପାଇଁ ଇନଡୋର ଗେମ ଆଦିର ବ୍ୟବସ୍ଥା କରାଯାଇଛି।

Tags: #Similipal #SimilipalTigerReserve #WildLifeSanctuary #Tourist #SimilipalAbhayaranya

Comment