ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହିଳା ଶକ୍ତି ପାଇଁ ନବୀନଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ୍‌
  • ସମସ୍ତ ୧୧୪ ସହରାଞ୍ଚଳରେ କାମ କରିବେ ‘ଜଳସାଥୀ’
  • ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ମଧ୍ୟରେ ବୁଝାମଣା
  • ୫ ହଜାରରୁ ଅଧିକ ଜଳସାଥୀ ହେବେ ସାମିଲ
  • ମିଳିବ ବାର୍ଷିକ ୮ କୋଟିରୁ ଅଧିକ ପ୍ରୋତ୍ସାହନ ରାଶି

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ଜଳସାଥୀ’ ଯୋଜନାରେ ମହିଳାମାନଙ୍କୁ ସାମିଲ କରାଯାଇଛି। ସହରାଞ୍ଚଳରେ ଗୋଷ୍ଠୀଭିତ୍ତିକ ଜଳ ପରିଚାଳନାରେ ସେମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଉଛି। ପାରମ୍ପରିକ ହାତ ସାମଗ୍ରୀ ତିଆରିରୁ ବାହାରି ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ପରିଚାଳନାରେ ସେମାନେ ନୂଆ ଦାୟିତ୍ୱ ତୁଲାଇବେ।

ରାଜ୍ୟର ଘରେ ଘରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ୨୦୦୧ରେ ମିଶନ ଶକ୍ତି ଜରିଆରେ କରିଥିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପରିକଳ୍ପନା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ହାତ ତିଆରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିଜ ନିଜ ପରିବାରକୁ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ କରିବା ସହ ରାଜ୍ୟର ବିକାଶ କ୍ଷେତ୍ରରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସୁଥିଲେ।

ଏବେ ନବୀନ ମହିଳା ସଶକ୍ତିକରଣ କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ସହଭାଗିତାରେ ଏବେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଛନ୍ତି। ଏହା ମଧ୍ୟରେ ‘ଜଳସାଥୀ’ ସରକାରଙ୍କ ଏକ ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ ଭାବେ ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି।

 ‘‘ପରିବାରର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମା’ ହିଁ ଅଧିକ ଧ୍ୟାନ ଦେଇଥାଏ। ସୁସ୍ଥ ରହିବା ପାଇଁ ବିଶୁଦ୍ଧ ପିଇବା ପାଣି ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ। ଜଳସାଥୀ ଭାବେ ଆପଣମାନେ ଲୋକଙ୍କ ଭରସା ଜିତିବାରେ ସଫଳ ହେବେ ବୋଲି ମୋର ବିଶ୍ୱାସ ରହିଛି। ପ୍ରତି ପରିବାରରେ ପାଇପ ପାଣି କିପରି ପହଞ୍ଚିବ ସେନେଇ ଧ୍ୟାନ ଦେବାକୁ ପଡ଼ିବ’’, ଜଳସାଥୀକୁ ଉଦଘାଟନ କରି ଏହା କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର ମହା ନଗର ନିଗମର ୮ଟି ୱାର୍ଡରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ୱରର ବିଭିନ୍ନ ୱାର୍ଡ ଏବଂ ରାଜ୍ୟର ସମସ୍ତ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ‘ଜଳସାଥୀ’ ସମ୍ପର୍କରେ ଏକ ସୂଚନା ପତ୍ରିକା ଏବଂ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ। ‘ଜଳସାଥୀ’ ଯୋଜନାର ସଫଳ ରୂପାୟନ ପାଇଁ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ଭିତରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

‘‘ଗୃହ ଏବଂ ନଗର ଉନ୍ନୟନ ବିଭାଗର ଏହା ହେଉଛି ଏକ ଜନମଙ୍ଗଳକାରୀ ପଦକ୍ଷେପ। ପାନୀୟ ଜଳ ଯେଗାଣ ପାଇଁ ଆମେ ସେମାନଙ୍କୁ ଟେକ୍‌ନିକାଲ ଏବଂ ମ୍ୟାନେଜରିଆଲ କାମ ଦିଆଯାଇଛି। ସେମାନେ ୱର୍ଡ ସ୍ତରରେ ଜଳ ପରିଚାଳନା କରିବା ସହ ଉପଭୋକ୍ତାଙ୍କ ସୁବିଧା ଅସୁବିଧା ବୁଝିବେ। ଏହାସହ ପାଣିର ମାନ ମଧ୍ୟ ପରୀକ୍ଷା କରିବେ’’, କହିଛନ୍ତି ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥାନନ୍‌।

ଏହି ଯୋଜନାରେ କ’ଣ ଅଛି?

‘ଜଳସାଥୀ’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ପୌରାଞ୍ଚଳର ୭୦ ଲକ୍ଷରୁ ଅଧିକ ଲୋକଙ୍କ ଘରେ ପାଇପ୍‌ ଯୋଗେ ପିଇବା ପାଣି ପହଞ୍ଚିବ। ଜଳସାଥୀଙ୍କ ହାତରେ ପ୍ରତିଦିନ ୧୦୦ କୋଟି ଲିଟର ଜଳ ପରିଚାଳନାର ଦାୟିତ୍ୱ ରହିବ। ୧୨ ଲକ୍ଷରୁ ଅଧିକ ପରିବାର ସୁବିଧା ପାଇବେ।

ରାଜ୍ୟର ୧୧୪ଟି ପୌରାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ‘ଜଳସାଥୀ’ଙ୍କୁ ୮ କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବାର ବ୍ୟବସ୍ଥା ରହିଛି। ଏହାସହ ପର୍ଯ୍ୟାୟକ୍ରମେ ୫ ହଜାରରୁ ଅଧିକ ଜଳସାଥୀ ଏଥିରେ ସାମିଲ ହେବେ।

‘‘ମହିଳା ସଶକ୍ତିକରଣକୁ ଆମେ ଏକ ନୂଆ ମୋଡ଼ ଦେବାକୁ ଚେଷ୍ଟା କରୁଛୁ। ମହିଳାମାନେ ଆଗରୁ ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରୁଥିଲେ ଏବେ ବି କରୁଛନ୍ତି। ହେଲେ ଏବେ ମା’ ମାନଙ୍କୁ ସେମି ଇଞ୍ଜିନିଅରିଂ କାମ ଦିଆଯାଇଛି। ମା’ମାନେ ଏହାକୁ ସୂଚାରୁରୂପେ ତୁଲାଇବେ ବୋଲି ଆମର ବିଶ୍ୱାସ ରହିଛି’’, କହିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍‌।

କ’ଣ କରିବେ ‘ଜଳସାଥୀ’?

‘ଜଳସାଥୀ’ଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ସହରାଞ୍ଚଳର ପ୍ରତ୍ୟେକଙ୍କ ଘରେ ଘରେ କିପରି ପାଇପ୍‌ ଯୋଗେ ପାନୀୟ ଜଳ ପହଞ୍ଚିବ ସେନେଇ ଜଳସାଥୀମାନେ ବ୍ୟବସ୍ଥା କରିବେ।

ଏହାସହ ଉପଭୋକ୍ତାଙ୍କ ନିକଟରେ ପାଣି ବିଲ୍‌ ପହଞ୍ଚାଇବା ସହ ଡିଜିଟାଲ ପିଓଏସ୍‌ ମେସିନ ସାହାଯ୍ୟରେ ଦେୟ ସଂଗ୍ରହ କରିବେ ଜଳସାଥୀ। କ୍ୱାଲିଟି ଟେଷ୍ଟିଂ କିଟ୍‌ ବ୍ୟବହାର କରି ନିୟମିତ ଜଳର ମାନ ପରୀକ୍ଷା କରିବା ସହ ଉପଭୋକ୍ତାଙ୍କ ସମସ୍ୟା ସମାଧାନ କରିବା ଲାଗି ପଦକ୍ଷେପ ନେବେ ଜଳସାଥୀ।

ସବୁଠୁ ବଡ଼ କଥା ହେଉଛି ଉପଭୋକ୍ତା ଏବଂ ଜଳ ଯୋଗାଣକାରୀ କର୍ତ୍ତୃପକ୍ଷଙ୍କ ଭିତରେ ‘ଜଳସାଥୀ’ ଏକ ସେତୁ ଭଳି କାର୍ଯ୍ୟ କରିବେ।

ଜନସାଧାରଣଙ୍କୁ ଜଳ ସଂରକ୍ଷଣ ବିଷୟରେ ସଚେତନ କରିବା ଓ ଘରୋଇ ନଳକୂଅ ବ୍ୟବହାର ନକରିବାକୁ ଉତ୍ସାହିତ କରିବେ ‘ଜଳସାଥୀ’।

‘‘ଯେଉଁ ମହିଳାମାନେ ନିଜ ଘର ସମ୍ଭାଳି ପାରୁଛନ୍ତି ସେମାନେ କାହିଁକି ଜଳ ପରିଚାଳନା କରିପାରିବେନି? ଏଭଳି ଏକ ଚିନ୍ତାଧାରାକୁ ନେଇ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆମେ ୮ଟି ୱାର୍ଡରେ ଏହି ବ୍ୟବସ୍ଥା ଆରମ୍ଭ କରିଛୁ। ‘ଜଳସାଥୀ’ମାନେ ଲୋକଙ୍କ ପାଖରେ ପାଣି ବିଲ୍‌ ପହଞ୍ଚାଇବା ସହ ଦେହ ସଂଗ୍ରହ କରିବେ’’, କହିଛନ୍ତି ୱାଟ୍‌କୋ ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଚିତ୍ତରଞ୍ଜନ ଜେନା।

ମୁଖ୍ୟମନ୍ତ୍ରୀ ଦେଲେ ଜଳ ବିଲ୍‌

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୮ଟି ୱାର୍ଡରେ ଏହି ଯୋଜନା ଲାଗୁ ହୋଇଛି। ଏହି ୮ଟି ୱାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଘର ୫୩ ନମ୍ବର ୱାର୍ଡରେ ରହିଛି। ମୁଖ୍ୟମନ୍ତ୍ରୀଙ୍କ ୱାର୍ଡରେ ଆଜି ଜଳ ବିଲ୍‌ ସଂଗ୍ରହ ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଦେୟ ଦେଇଛନ୍ତି।

ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ବିଲ୍‌ ହୋଇଥିଲା ୫୯୩ ଟଙ୍କା। ସେ ଜଳସାଥୀଙ୍କୁ ଦେଇଥିଲେ ୬୦୦ ଟଙ୍କା। ଜଳସାଥୀ ତାଙ୍କୁ ୭ ଟଙ୍କା ଫେରସ୍ତ କରିଥିଲେ।

Comment