ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଦିନରେ ଚଳଚ୍ଚିତ୍ର ଶିଳ୍ପକୁ ପର୍ଯ୍ୟଟନ ଶିଳ୍ପରେ ଯୋଡ଼ିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ରାଜ୍ୟ ଚଳଚ୍ଚିତ୍ରରେ ପୁରସ୍କାର ଉତ୍ସବରେ କହିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।
(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ‘‘ଓଡ଼ିଆ ଚଳଚ୍ଚିତ୍ର ଜଗତ, ଓଡ଼ିଆ ସଂସ୍କୃତି କଳାକୁ ପର୍ଯ୍ୟଟନ ଶିଳ୍ପ ସହିତ ଯୋଡ଼ିବାକୁ ଯୋଜନା ଚାଲିଛି। ଆଗାମୀ ଦିନରେ ଓଡ଼ିଶାକୁ ଚଳଚ୍ଚିତ୍ର ପର୍ଯ୍ୟଟନସ୍ଥଳୀ ଭାବେ କେମିତି ତିଆରି କରାଯିବ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।
୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଉତ୍ସବରେ ଯୋଗ ଦେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାକୁ ଫିଲ୍ମ ଟ୍ୟୁରିଜିମ ଡେଷ୍ଟିନେସନ କରାଗଲେ ବାହାରୁ ମଧ୍ୟ ଲୋକ ସୁଟିଂ ପାଇଁ ଆସିବେ। ଫଳରେ ଓଡ଼ିଶାର ଅର୍ଥନୀତିରେ ଉନ୍ନତି ହେବ। ଏଥିପାଇଁ ସିନେମାଜଗତର ସମସ୍ତେ ସହଯୋଗ କରିବା ଆବଶ୍ୟକ।
‘‘ଫିଲ୍ମ ନିର୍ମାତା ଓଡ଼ିଆ କ୍ଲାସିକ, ପ୍ରେରଣାଦାୟୀ ବ୍ୟକ୍ତିତ୍ୱ, ସ୍ମରଣୀୟ, ଐତିହାସିକ ଘଟଣାବଳୀ ଓ କଥାବସ୍ତୁ ନେଇ ଫିଲ୍ମ ନିର୍ମାଣ କରିବା ଦରକାର। ଫିଲ୍ମ ତିଆରି କଲାବେଳେ ଦର୍ଶକଙ୍କ ରୁଚିକୁ ଦେଖିବାକୁ ପଡ଼ିବ। ଯଦି ଫିଲ୍ମ ଦର୍ଶକଙ୍କ ରୁଚି ଅନୁସାରେ ହୋଇଥାଏ ତେବେ ନିଶ୍ଚୟ ଗ୍ରହଣୀୟ ହେବ। ଦିନ ପରେ ଦିନ ବିତି ଗଲେ ବି ଦର୍ଶକଙ୍କ କାନରେ ସେହି ଫିଲ୍ମର ଗୀତ ଓ ସଂଳାପ ଗୁଞ୍ଜରିତ ହେବ। ଏଥିପାଇଁ ସିନେ ନିର୍ମାତା କେବଳ ବ୍ୟବସାୟିକ ଦୃଷ୍ଟିରୁ ଫିଲ୍ମ ନକରି ନୂଆ ଦିଗ ଖୋଜିବାକୁ ପଡ଼ିବ’’, କହିଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଗୁରୁବାର ୩୦ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ପୁରସ୍କାର ପ୍ରଦାନ ଉତ୍ସବରେ କୃଷି, କୃଷକ ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଫିଲ୍ମ ପ୍ରଯୋଜକ ତଥା ଜୁରି କମିଟି ଅଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର, ସଂସ୍କୃତି ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଅଧ୍ୟକ୍ଷ ରାମକୃଷ୍ଣ ସାହୁ, ଏକାଡେମୀ ସମ୍ପାଦକ ଡକ୍ଟର ବିଜୟ କୁମାର ଜେନା, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।


















