କପିଳାସ ଭୂୟାଁ

ଭାଙ୍ଗିବା ଗଢିବା ହେଉଛି ଦୁନିଆର ନିୟମ। କିନ୍ତୁ ସ୍ମାର୍ଟ ସିଟି ଭୁବନେଶ୍ଵରରେ ଏହି ନିୟମ ଟିକେ ନିଆରା।

ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳୁଛି ପୁରୁଣା ଭୁବନେଶ୍ଵରରେ। ଏଠାରେ ଷଷ୍ଠରୁ ଏକାଦଶ ଶତାବ୍ଦୀ ମଧ୍ୟରେ ଗଢି ଉଠିଥିବା ଅସଂଖ୍ୟ ମନ୍ଦିରଗୁଡିକୁ ବୁଲି ଦେଖିବା ବେଳେ ଲାଗେ ସତେ ଯେମିତି ଆମେ କେଉଁ ସଂଗ୍ରହାଳୟରେ ବୁଲୁଛନ୍ତି। ସମସ୍ତ ମନ୍ଦିରରେ ମହାଦେବଙ୍କ ଲିଙ୍ଗ ପୂଜିତ ହୁଅନ୍ତି। ଏକାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀ ଲିଙ୍ଗରାଜ ମନ୍ଦିରର ଅଧିଷ୍ଠାତା ଦେବତା ଲିଙ୍ଗ ରୂପରେ ଏବେ ବି ଏଠାରେ ପୂଜା ପାଆନ୍ତି। ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକ ମଧ୍ୟରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱର ଅନ୍ୟତମ।

ୟୁନେସ୍କୋ ବିଶ୍ଵ ଐତିହ ସହର ସାମୟିକ ତାଲିକାରେ ପୁରୁଣା ଭୁବନେଶ୍ୱର ରହିଥିବାରୁ ସେ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ତେଣୁ ଭୁବନେଶ୍ଵରକୁ ଐତିହ ସହର ମାନ୍ୟତା ଦେବାକୁ ଏକାମ୍ର କ୍ଷେତ୍ରର ଉନ୍ନତିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ସବୁ କିଛି ହଟାଇବା ସହ ଏହାର ଚତୁଃପାର୍ଶ୍ୱକୁ ପରିଷ୍କାର କରି ପ୍ରାଚୀନ ଆବେଦନକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ତରଫରୁ ଦୃଢ ପଦକ୍ଷେପ ନିଆ ଯାଉଛି। ଏହା ନିଶ୍ଚୟ ଆନନ୍ଦର କଥା।

ତେବେ ମନ୍ଦିର ଚତୁଃପାର୍ଶ୍ଵକୁ ଆକର୍ଷଣୀୟ କରିବା ପାଇଁ ଚାରିପାଖରେ ଦୟନୀୟ ସ୍ଥିତିରେ ଥିବା କୋଠାବାଡ଼ି, ଏପରିକି ଭୁବନେଶ୍ଵରର ସର୍ବ ପ୍ରଥମ ଥାନାକୁ ମଧ୍ୟ ଭାଙ୍ଗିବାକୁ ପଡୁଛି। ପୁରୁଣା ନଭାଙ୍ଗିଲେ ନୂଆ ଗଢିବା କେମିତି? କିନ୍ତୁ ଏହି ଅଞ୍ଚଳରେ ନୂଆରେ ଗାଢା ଯାଉଥିବା ବ୍ୟାଖ୍ୟାନ କେନ୍ଦ୍ରଟିକୁ କାହିଁକି ଭାଙ୍ଗିବାକୁ ପଡୁଛି?

ଅବଶ୍ୟ ଯୁକ୍ତି କରାଯାଉଛି ଯେ ଶ୍ରୀ ଲିଙ୍ଗରାଜ ମନ୍ଦିର ଚାରିପାଖର ଶୋଭାକୁ ଆକର୍ଷଣୀୟ କରିବାକୁ ଏହି ଉଚ୍ଛେଦ ଅନିବାର୍ଯ୍ୟ। ତେଣୁ ସେଠାରେ ନିର୍ମାଣ ଚାଲିଥିବା ବ୍ୟାଖ୍ୟାନ କେନ୍ଦ୍ରକୁ ମଧ୍ୟ ଉଚ୍ଛେଦ କରାଯିବ ବୋଲି କୁହାଯାଉଛି। ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫ ଜୁନ ୨୮ ତାରିଖରେ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ବ୍ୟାଖ୍ୟାନ କେନ୍ଦ୍ରର ଶୁଭ ଦିଆ ଯାଇଥିଲା। ସାଢେ ୪ କୋଟି ଟଙ୍କା ବଜେଟ ଅନୁମୋଦନ ସହ ଏଏସଆଇର ଅନୁମତି କ୍ରମେ ଆଠ ମାସ ମଧ୍ୟରେ କାମ ସାରିବା ଲକ୍ଷ୍ୟ ରକ୍ଷା ଯାଇଥିଲେ ବି ଦୁଇ ବର୍ଷ ପର୍ଯ୍ୟନ୍ତ କାମ ବନ୍ଦ ରହିଲା। ଗତ ଦୁଇ ବର୍ଷରେ ମଧ୍ୟ ଏହି ବ୍ୟାଖ୍ୟାନ କେନ୍ଦ୍ରର କାମ ଅତି ଧିମା ଗତିରେ ଚାଲିଥିଲା। କିନ୍ତୁ ଏବେ ବ୍ୟାଖ୍ୟାନ କେନ୍ଦ୍ରକୁ ଭାଙ୍ଗି ଅନ୍ୟ ସ୍ଥାନରେ ନିର୍ମାଣ କରାଯିବ ବୋଲି କଥା ଉଠିଲା ପରେ କାମକୁ ଖୁବ ଯୋରସୋରରେ ଶେଷ କରିବାକୁ ଚେଷ୍ଟା ଚାଲିଛି। ବ୍ୟାଖ୍ୟାନ କେନ୍ଦ୍ରକୁ ଏଠାରୁ ଉଚ୍ଛେଦ କରାଯିବା କଥା ଜାଣିଲା ପରେ କାହିଁକି ଏପରି କରାଯାଉଛି?

ଉଲ୍ଲେଖନୀୟ ଯେ ବ୍ୟାଖ୍ୟାନ କେନ୍ଦ୍ରର ବାହ୍ୟ ନିର୍ମାଣ ପାଇଁ ଦେଢ କୋଟି ଓ ଭିତର କାରୁକାର୍ଜ୍ୟ କରିବା ପାଇଁ ୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ବେଳେ କେବଳ ଏହାର ବାହାର କାମ ସରଛି। ତେଣୁ ଏବେ ଭିତର କାମକୁ ଖୁବ ଜଲଦି ସାରିବା ପାଇଁ ପଦକ୍ଷେପ ନିଆ ଯାଉଛି। କାହା ନିର୍ଦ୍ଦେଶରେ ଏପରି କରା ଯାଉଛି?

ବିଏମସିର ଅତିରିକ୍ତ କମିଶନରଙ୍କ କହିବା ଅନୁଯାୟୀ ମନ୍ଦିର ସମ୍ମୁଖରେ ଥିବା ବ୍ୟାଖ୍ୟାନ କେନ୍ଦ୍ରକୁ ଉଚ୍ଛେଦ କରି ଏହାକୁ ଅନ୍ୟତ୍ର ନିର୍ମାଣ କରାଯିବ। କିନ୍ତୁ ଓଟିଡିସି ପାଖରେ ଏହି ଖବର ନାହିଁ। ଓଟିଡିସିର ଯନ୍ତ୍ରୀଙ୍କ କହିବା ଅନୁଯାୟୀ ବ୍ୟାଖ୍ୟାନ କେନ୍ଦ୍ର କାମ ଜାନୁଆରୀ ଦ୍ଵିତୀୟ ସପ୍ତାହ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ରହିଛି ଓ ସେହି ଅନୁଯାୟୀ କାମ ସାରିବାକୁ ପଦକ୍ଷେପ ନିଆ ଯାଉଛି। ଏଠାରେ ପ୍ରଥମ କଥା ଯାହା ଦୃଷ୍ଟିକୁ ଆସୁଛି ତା’ ହେଲା ଯେ ସରକାରୀ ବିଭାଗଗୁଡିକ ମଧ୍ୟରେ ସମନ୍ଵୟର ଅଭାବ। ଅନ୍ୟ ଦିଗଟି ହେଲା ଅଯଥାରେ ଅର୍ଥ ଖର୍ଚ୍ଚ।

ଅବଶ୍ୟ କେହି କେହି ମତ ଦେଉଛନ୍ତି ଯେ ଏଭଳି ଅର୍ଥ ଖର୍ଚ୍ଚ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଣ୍ଟ୍ରାକ୍ଟରକୁ ପୋଷିବା। ଉପରକୁ ଅବଶ୍ୟ କଥାଟା ସେଭଳି ଦିଶୁଥାଇ ପାରେ। କିନ୍ତୁ କଣ୍ଟ୍ରାକ୍ଟର କଣ ଠିକ ଜାଗାଗୁଡିକରେ ନବୁଝେଇ ସବୁ ଲାଭ ଘରକୁ ନେଇଯିବ? କଥାରେ କୁହାଯାଏ ‘ସରକାରକା ମାଲ ଦରିଆ ମେ ଡାଲ’। ନଚେତ କଣ ଉଚ୍ଛେଦ ହେବା ଥୟ ହୋଇଥିଲେ ବି ଯୁଦ୍ଧକାଳୀନ ଭିତ୍ତିରେ କେହି ନିର୍ମାଣ କାର୍ଯ୍ୟ କରିବ? ଏହା ସରକାରୀ ତହବିଲରୁ ଅର୍ଥ ହରିଲୁଟ କରିବାର ସ୍ମାର୍ଟ ଉପାୟ ନୁହେଁ କି?

ଖାଲି ବ୍ୟାଖ୍ୟାନ କେନ୍ଦ୍ର କଥା ନୁହେଁ, ବିଗତ ଦଶ କୋଡିଏ ବର୍ଷ ଭିତରେ ସରକାରଙ୍କ ପକ୍ଷରୁ ପ୍ରାୟ ଏଭଳି କାମ କରାଯାଉଥିବା ଦେଖାଯାଉଛି। ଏବେ ସେହି ଭଳି ଘଟୁଥିବା ଆଉ ଗୋଟିଏ ଘଟଣାର ଉଦାହରଣ ଦିଆଯାଇପାରେ। ଯେଉଁ ଯେଉଁ ଜାଗାରେ କେବଳ ମାଟି ଢିପ କରି ତା’ ଉପରେ ଫୁଟପାଥ ନିର୍ମାଣ କରି ଦିଆ ଯାଇଥିଲା ସେଗୁଡିକୁ ବର୍ତ୍ତମାନ ପୁଣି ଖୋଳା ଚାଲିଛି ଡ୍ରେନ କରିବା ପାଇଁ। ତେବେ ଯେତେବେଳେ ପ୍ରଥମେ ଫୁଟପାଥ ତିଆରି କରାଗଲା ସେତେବେଳେ କାହିଁକି ଡ୍ରେନ କରି ତା’ ଉପରେ ଫୁଟପାଥ ତିଆରି କରିବା କଥା ଚିନ୍ତା କରାଗଲା ନାହିଁ?

ନିର୍ମାଣ କାର୍ଯ୍ୟର ଆଉ ଗୋଟିଏ ଢଙ୍ଗ ହେଲା ବର୍ଷା ଦିନ ଆସିବା ପୂର୍ବରୁ ଡ୍ରେନ କରିବା ପାଇଁ ମାଟି ଖୋଳା ଆରମ୍ଭ ହେବ। ମାଟି ଖୋଳା କାମ ସରି ନଥିବ ବର୍ଷା ଆରମ୍ଭ ହୋଇଯିବ ଓ ଯାହା ମାଟି ଖୋଳା ହୋଇଥିବ ତାହା ପୁଣି ସେହି ଡ୍ରେନ ପାଇଁ ଉଦ୍ଦିଷ୍ଟ ଗାତରେ ପଶି ତାକୁ ପୋତି ଦେବ। ବର୍ଷା ଦିନ ଗଲା ପରେ ଗାତଗୁଡିକୁ ପୁଣି ଖୋଳା ହେବ। ଏହି ଭଳି ଗୋଟିଏ ଗୋଟିଏ କାମର ଦୁଇ ଦୁଇ ଥର ବିଲ କରାଯିବ। ଏଥିରେ କଣ୍ଟ୍ରାକ୍ଟରକୁ ବ୍ୟବହାର କରାଯାଏ ଓ ସେ ଦି’ଥର ବିଲ କରି ପଇସା ପାଏ। କିନ୍ତୁ ଯିଏ ବିଲ ପାସ କରନ୍ତି ସେ କଣ କିଛି ପାଆନ୍ତି ନାହିଁ?

ଏଭଳି ଆଖିରେ ଆଙ୍ଗୁଠି ଗେଞ୍ଜି ସରକାରୀ ତହବିଲରୁ ଯେଉଁ ଅର୍ଥ ମାରଣା ହେଉଛି ତା ଯେ କେହି ଜାଣନ୍ତି ନାହିଁ ନୁହେଁ, ବରଂ ମିଳିମିଶି ଏଭଳି ହରିଲୁଟ କରାଯାଏ।

ଏହାକୁ ଆମେ ସ୍ମାର୍ଟ ଉପାୟ କହିବା ନାହିଁ ତ ଆଉ କଣ କହିବା? ଆମ ସହରକୁ ସ୍ମାର୍ଟ ସହରରେ ପରିଣତ କରାଯାଉ, କିନ୍ତୁ ଜନସାଧାରଣଙ୍କ ଅର୍ଥକୁ ସ୍ମାର୍ଟ ଉପାୟରେ ହରିଲୁଟ କରା ନଯାଉ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment