ଭାସ୍କର ପରିଚ୍ଛା

ଜଣେ ବୈମାନିକ ଭାବରେ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ କାହାଣୀ ଓ କାର୍ଯ୍ୟ ସମ୍ପର୍କରେ ଅନେକ ଘଟଣା କୁହାଯାଏ ଓ ଶୁଣାଯାଏ। ବିମାନ ଚାଳନାରେ ତାଙ୍କର ଦକ୍ଷତା ଓ ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ସେ କିଭଳି ନିଜର ସାହାସିକତାର ପରିଚୟ ଦେଇଥିଲେ, ତାହା ଏବେ ପର୍ଯ୍ୟନ୍ତ କିମ୍ବଦନ୍ତୀ ହୋଇ ରହିଛି। ତେବେ ବିଜୁ ପଟ୍ଟନାୟକ କିଭଳି ତିବ୍ବତକୁ ନିୟମିତ ବିମାନ ସେବା ପାଇଁ ଯୋଜନା କରିଥିଲେ ତାହାର ଏକ ସଦ୍ୟତମ ତଥ୍ୟ ପ୍ରକାଶ ପାଇଛି।

‘ଏ ଚେକର୍ଡ ବ୍ରିଲିଆନ୍ସ – ଦ ମେନି ଲାଇଭସ୍‌ ଅଫ ଭିକେ କ୍ରିଷ୍ଣା ମେନନ’ ପୁସ୍ତକରେ ଦିଆଯାଇଥିବା ତଥ୍ୟ ଅନୁସାରେ ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ଏୟାରଲାଇନ୍ସ ପକ୍ଷରୁ ତିବ୍ବତକୁ ବିମାନ ସେବା ଯୋଗାଇ ଦେବାକୁ  ଯୋଜନା କରା ଯାଇଥିଲା କିନ୍ତୁ ବିଜୁ ବାବୁ ଏଥିରେ ବିଫଳ ହୋଇଥିଲେ।

କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ଜୟରାମ ରମେଶଙ୍କ ଲିଖିତ ଏହି ପୁସ୍ତକରେ ତାହାର ବିସ୍ତୃତ ଆଲୋଚନା ହୋଇଛି। ଏହା ୧୯୫୭ର ଘଟଣା। ଜୟରାମ ଲେଖିଛନ୍ତି ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଣା ମେନନଙ୍କ ସହିତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସମ୍ପର୍କ ଥିଲା। ତେଣେ ମେନନଙ୍କର ଚୀନ ପ୍ରଧାନମନ୍ତ୍ରୀ ଚାଉ ଏନ ଲାଇଙ୍କ ସହ ବି ବେଶ୍ ବନ୍ଧୁତା ଥିଲା।

ପୁସ୍ତକରେ ଲେଖା ଅଛି, ୧୫ ଜୁନ ୧୯୫୭ରେ ଚାଉ ଏନ ଲାଇ ମେନନଙ୍କୁ ଏକ ଚିଠି ଲେଖିଥିଲେ। ସେହି ଚିଠିରେ ସେ ଲେଖିଥିଲେ, ‘ଶ୍ରୀ ପଟ୍ଟନାୟକ (ବିଜୁ) ଓ ଶ୍ରୀମତୀ ପଟ୍ଟନାୟକ (ଜ୍ଞାନ)ଙ୍କ ସହ ମୋତେ ପରିଚିତ କରାଇଥିବାରୁ ଆପଣଙ୍କୁ ଓ ନେହରୁଙ୍କୁ ଧନ୍ୟବାଦ। ଇତି ମଧ୍ୟରେ ଲାସା ଓ ବାଗଡୋଗ୍ରା ମଧ୍ୟରେ ବହୁ ଥର ବିମାନ ଯାତ୍ରା ସମ୍ଭବ ହୋଇଛି। ଭବିଷ୍ୟତରେ ଏହା ଉଭୟ ଭାରତ ଓ ଚୀନ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଦିଗରେ ସାହାଯ୍ୟ କରିବ। କିନ୍ତୁ ଅର୍ଥନୈତିକ ଓ ବୈଷୟିକ ଦୃଷ୍ଟିକୋଣରୁ ଚୀନର ତିବ୍ବତ ଅଞ୍ଚଳ ତଥା ଭାରତ ମଧ୍ୟରେ ବିମାନ ସେବା ସମ୍ଭବ ନୁହେଁ, ଯଦି ଶ୍ରୀ ପଟ୍ଟନାୟକଙ୍କ ଯୋଜନା ଅନୁସାରେ ଲାସା ଓ କଲିକତା ମଧ୍ୟରେ ବିମାନ ଚାଲେ।

ରମେଶ ତାଙ୍କ ପୁସ୍ତକରେ ଆହୁରି ଲେଖିଛନ୍ତି ଯେ, କଳିଙ୍ଗ ଏୟାରଲାଇନ୍ସ ସ୍ଥାପନା ପରେ ୧୯୫୭ ମେ’ ମାସରେ ବିଜୁ ପଣ୍ଡିତ ନେହରୁଙ୍କୁ ଭେଟି ତିବ୍ବତକୁ ନିୟମିତ ବିମାନ ସେବା ଯୋଗାଇ ଦେବା ପାଇଁ ଇଛା ପ୍ରକାଶ କରିଥିଲେ। ନେହରୁ ବିଜୁଙ୍କୁ ଏଥିରେ ଉତ୍ସାହିତ କରିଥିଲେ ସତ ହେଲେ ଚୀନ ଏଥିରେ ରାଜି ହେବ କି ନା ତାହା ଦେଖିବାକୁ ପଡ଼ିବ ବୋଲି କହିଥିଲେ। ନେହରୁଙ୍କଠାରୁ ଏକଥା ଶୁଣିବା ପରେ ବିଜୁ ପଟ୍ଟନାୟକ ସିଧାସଳଖ କ୍ରିଷ୍ଣା ମେନନଙ୍କ ନିକଟକୁ ଯାଇ ଏହି ବିଷୟରେ ଆଲୋଚନା କରିଥିଲେ। ମେନନ ବିଜୁବାବୁଙ୍କ ଏହି ପ୍ରସ୍ତାବ ଉପରେ ନେହରୁଙ୍କଠାରୁ ଅଧିକ ଉତ୍ସାହ ଦେଖାଇଥିଲେ ବୋଲି ରମେଶ ସେହି ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ତା’ ପରେ ମେନନ ଅଣଔପଚାରିକ ଭାବେ ଚୀନ ପ୍ରଧାନମନ୍ତ୍ରୀଙ୍କ ସହ ଏନେଇ ଯୋଗାଯୋଗ କରିଥିଲେ। ହେଲେ ଏହି ଯୋଜନାଟି ବିଶେଷ ଅଗ୍ରଗତି କରିପାରି ନଥିଲା। ଏହା ପଛରେ ଅନ୍ୟ ବହୁ କାରଣ ଥିଲେ ମଧ୍ୟ ୧୯୫୯ରେ ଦଳାଇ ଲାମା ଭାରତରେ ଶରଣ ନେବା ପରେ ପରିସ୍ଥିତି ପୂରା ବଦଳିଯାଇଥିଲା। ପରିଶେଷରେ ବାଧ୍ୟ ହୋଇ କଳିଙ୍ଗ ଏୟାର ଲାଇନ୍ସର ଏହି ଯୋଜନାକୁ ପରିତ୍ୟାଗ କରାଯାଇଥିଲା। ଉଲ୍ଲେଖ କରାଯାଇପାରେ ଯେ, ମେନନ ଓ ବିଜୁ ଖୁବ୍ ଭଲ ବନ୍ଧୁ ଥିଲେ।

ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ, ପଣ୍ଡିତ ନେହରୁଙ୍କ ଅତି ବିଶ୍ୱସ୍ତ ଓ ଜଣେ ବିବାଦୀୟ ନେତା ଭିକେ କ୍ରିଷ୍ଣା ମେନନଙ୍କୁ ନେଇ ବହୁ ପୁସ୍ତକ ରଚନା ହୋଇଥିଲେ ହେଁ ଏହି ପୁସ୍ତକଟି ଅତି ପ୍ରାଞ୍ଜଳ ଭାବରେ ତାଙ୍କ ବ୍ୟକ୍ତିତ୍ୱକୁ ପରଖିଛି। ବିଭିନ୍ନ ଦଲିଲ ଓ ନଥିର ସହାୟତାରେ ମେନନ୍ଙ୍କୁ ବିଶ୍ୱ ଦରବାରରେ କିଭଳି ସମ୍ମାନ ମିଳିଥିଲା ଓ ସେ କିଭଳି ୧୯୬୨ ଭାରତ ଚୀନ ଯୁଦ୍ଧ ପରେ ବିବାଦୀୟ ପରିସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତାହାର ବିସ୍ତୃତ ବର୍ଣ୍ଣନା କରାଯାଇଛି ଜୟରାମଙ୍କ ଏହି ପୁସ୍ତକରେ।

‘ଏ ଚେକର୍ଡ ବ୍ରିଲିଆନ୍ସ’ ପୁସ୍ତକକୁ ପେଙ୍ଗୁଇନ୍-ଭାଇକିଙ୍ଗ ପ୍ରକାଶ କରିଛନ୍ତି ଓ ନିକଟରେ ଏହା ବଜାରକୁ ଆସିଛି।

LEAVE A REPLY

Please enter your comment!
Please enter your name here