ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଝାଡଖଣ୍ଡରେ ପଛରେ ପଡ଼ିଗଲା ବିଜେପି। ପୁଣି ଥରେ ସୋରେନ୍‌ ପରିବାର ହାତକୁ ଆସିଲା କ୍ଷମତା। ଗତ ୧୯ ବର୍ଷ ଭିତରେ ପାଞ୍ଚ ଥର ଝାଡଖଣ୍ଡର ଶାସନ ଡୋର ହାତରେ ଧରିଥିବା ସୋରେନ୍‌ ପରିବାର ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି ଝାଡଖଣ୍ଡବାସୀ। ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ନେତା (ଜେଏମ୍‌ଏମ୍‌) ଶିବୁ ସୋରେନ୍‌ଙ୍କ ପୁଅ ହେମନ୍ତ ସୋରେନ୍‌ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

୨୦୦୦ ମସିହାରେ ଝାଡଖଣ୍ଡ ନୂଆ ରାଜ୍ୟର ମାନ୍ୟତା ପାଇଥିଲା। କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଶାସନରେ ଥିବା ବେଳେ ଝାଡଖଣ୍ଡ ନୂଆ ରାଜ୍ୟ ହୋଇଥିଲା। ଏଣୁ ପ୍ରଥମ ନିର୍ବାଚନରେ ବିଜେପି ବାଜିମାତ କରିଥିଲା। ବାବୁଲାଲ ମାର୍ଣ୍ଡି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨ ବର୍ଷ ୪ ମାସ ମୁଖ୍ୟମନ୍ତ୍ରୀ ରହିବା ପରେ ଅର୍ଜୁନ ମୁଣ୍ଡା ହୋଇଥିଲେ ବିଜେପିର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ।

ତେବେ ଏହି ୧୯ ବର୍ଷର ରାଜ୍ୟରେ ବିଜେପି ଅପେକ୍ଷା କଂଗ୍ରେସ ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମେଣ୍ଟ ଅଧିକ ସମୟ ଶାସନ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ପଦ ସୋରେନ୍‌ ପରିବାର ହାତରେ ଅଧିକ ସମୟ ଧରି ରହି ଆସିଛି। ୨୦୦୫, ୨୦୦୮ ଓ ୨୦୦୯ରେ ଜେଏମ୍‌ଏମ୍‌ ମୁଖିଆ ଶିବୁ ସୋରେନ୍‌ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ୨୦୧୩-୧୪ରେ ତାଙ୍କ ପୁଅ ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ଥିଲେ। ଏବେ ପୁଣି ସୋରେନ୍‌ ପରିବାର ହାତକୁ କ୍ଷମତା ଆସିଛି।

୨୦୧୯ ନିର୍ବାଚନରେ କଡା ଟକ୍କର ହୋଇଥିଲା। ଝାଡଖଣ୍ଡରେ ବିଜେପି ଏକାକୀ ନିର୍ବାଚନ ଲଢ଼ିଥିବା ବେଳେ କଂଗ୍ରେସ-ଜେଏମ୍‌ଏମ୍‌-ଆରଜେଡି ମେଣ୍ଟ କରିଥିଲେ। ୮୧ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିଲା ମେଣ୍ଟ। ବିଜେପିର ହାୱା ବହୁଥିଲା। ହେଲେ କଂଗ୍ରେସ-ଜେଏମ୍‌ଏମ୍‌-ଆରଜେଡି ମେଣ୍ଟ ଉପରେ ଝାଡଖଣ୍ଡ ଭରସା କରିଛନ୍ତି।

Comment