ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଛ କାଟିବାକୁ ନେଇ ଆରମ୍ଭ ହୋଇଥିବା ବଚସା ଶେଷରେ ଉଗ୍ର ରୂପ ନେଇଛି। ଏହି ଘଟଣାରେ ଉତ୍ୟକ୍ତ ଯୁବକ ଜଣେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଭଣ୍ଡାର କଲୋନୀ ସାହିରେ। ଏହି ଘଟଣାକୁ ନେଇ ବର୍ତ୍ତମାନ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଏହି ଘଟଣାରେ ଶରତ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ସାଗୁ ସିଂ।

କଲୋନୀ ସାହି ଗ୍ରାମର ମୃତକ ସାହୁ ବିନ୍ଧାଣୀ ଘର ପାଖରେ ଗ୍ରାମ ଉନ୍ନୟନ ପାଇଁ ଏକ କାମ ଚାଲୁଥିଲା। ସେହି ସମୟରେ ସାହୁ ବିନ୍ଧାଣୀଙ୍କ ବାଡ଼ିରେ ଥିବା ଏକ ଗଛକୁ ଅଭିଯୁକ୍ତ ସାଗୁ ସିଂ କାଟିଥିଲା। ଗଛ କାଟିବାକୁ ସାହୁ ବିନ୍ଧାଣୀ ବିରୋଧ କରିଥିଲେ। ପରେ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା।

ସାହୁ ବିନ୍ଧାଣୀ ରବିବାର ସନ୍ଧ୍ୟାରେ ନିଜ ଘର ବାହରେ ଶୋଇଥିବା ବେଳେ ଏହି ଘଟଣାକୁ କେନ୍ଦ୍ର କରି ସାଗୁ ସିଂ ଏକ ଠେଙ୍ଗାରେ ସାହୁ ବିନ୍ଧାଣୀଙ୍କ ମୁଣ୍ଡକୁ ପିଟିପିଟି ଜୀବନରୁ ମାରି ଦେଇଥିଲା। ପରିବାର ଲୋକ ବାହାରକୁ ଆସି ତାଙ୍କ ରକ୍ତ ଜୁଡୁବୁଡୁ ମୃତ୍ୟଦେହ ଦେଖିବାକୁ ପାଇଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ରବିବାର ରାତିରେ ପୋଲିସ ଅଭିଯୁକ୍ତ ସାଗୁ ସିଂକୁ ଗିରଫ କରିଥିଲା। ଗିରଫ ପରେ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଠେଙ୍ଗାକୁ ମଧ୍ୟ ପୋଲିସ ଜବତ କରିଛି।

Comment