କପିଳାସ ଭୂୟାଁ

ପାର୍ଲିଆମେଣ୍ଟରେ ବିଜେପିକୁ ସହଯୋଗ ଭଳି ଭୁଲର ସଂଶୋଧନ ପାଇଁ ବିଜେଡି ପକ୍ଷରୁ ସମୟୋଚିତ ପଦକ୍ଷେପ।

ଦେଶରେ ଗତ ଦୁଇ ସପ୍ତାହର ରାଜନୈତିକ ପ୍ରେକ୍ଷାପଟକୁ ବିଚାରକୁ ନେଲେ କେନ୍ଦ୍ର ସରକାରଙ୍କ ଆଗରେ ବିଜେଡି ଶାସିତ ଓଡ଼ିଶା ସଂପୂର୍ଣ୍ଣ ନତଜାନୁ ହେବାର ଅବ୍ୟବହିତ ପୂର୍ବରୁ ସୌଭାଗ୍ୟବଶତଃ ମୁକ୍ତି ପାଇ ଯାଇଛି। କେବଳ ଗତ ପାର୍ଲିଆମେଣ୍ଟ ଚାଲିଥିବା ବେଳେ ଉଭୟ ଗୃହରେ ସିଟିଜେନସିପ ଆମେଣ୍ଡମେଣ୍ଟ ବିଲକୁ ସମର୍ଥନ ନୁହେଁ, ବରଂ ମୋଦୀ ସରକାରଙ୍କ ଦ୍ଵିତୀୟ ବାରିରେ କେନ୍ଦ୍ର ପ୍ରତି ବିଜେଡି ସରକାରଙ୍କ ପକ୍ଷରୁ ଆବଶ୍ୟକତାଠାରୁ ଅଧିକ ଖୋଷାମଦିଆ ଭାବ ଦେଖିବାକୁ ମିଳି ଆସୁଥିଲା। ତେବେ ଗତ ଡିସେମ୍ବର ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଚାରି ଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ବିଜେଡି ଜାତୀୟ ନାଗରିକ ପଞ୍ଜିକା ବା ଏନଆରସିକୁ ସମର୍ଥନ କରିବ ନାହିଁ ବୋଲି କହିବା ଦ୍ଵାରା ଦଳ ଓ ସରକାରଙ୍କ ସମ୍ମାନ ଭୁଲୁଣ୍ଠିତ ହେବାରୁ ବର୍ତ୍ତିଗଲା କହିଲେ କିଛି ଭୁଲ ହେବ ନାହିଁ।

ପାର୍ଲିଆମେଣ୍ଟରେ ସିଟିଜେନସିପ ଆମେଣ୍ଡମେଣ୍ଟ ବିଲ ପାସ କରିବା ପାଇଁ ଶିବସେନା ପରି ହିନ୍ଦୁତ୍ଵବାଦୀ ଦଳ ଗୃହ ଛାଡି ଚାଲି ଆସିବା ବେଳେ ଧର୍ମ ନିରପେକ୍ଷତାର ଧ୍ଵଜା ଉଡାଉଥିବା ବିଜେଡି ପକ୍ଷରୁ ତାହା ସପକ୍ଷରେ ମତ ଦେବା ରାଜ୍ୟବାସୀଙ୍କ ମନରେ ଏକ ଅଶ୍ଵସ୍ତି ସୃଷ୍ଟି କରିଥିଲା। କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ଵ ରଖି ନିର୍ବାଚନ ଜିତି ଆସୁଥିବା ବିଜେଡି କାହିଁକି ମୋଦୀଙ୍କ ଦ୍ଵିତୀୟବାର ସରକାରଙ୍କ ପ୍ରତି ଏତେ ଆନୁଗତ୍ୟ ଦେଖାଉଛି? ଏଭଳି କରିବା ପଛର କାରଣ କ’ଣ?

ଏହା ପଛରେ ଥିବା ଏକ ମୁଖ୍ୟ କାରଣ ହେଉଛି ଯେ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ପାଇଁ ବିଧାନ ପରିଷଦ ପାଇଁ ପାର୍ଲିଆମେଣ୍ଟର ମଞ୍ଜୁରୀ ଆଣିବା। ଏହା ଦ୍ଵାରା ବିଜୁ ଜନତା ଦଳର ନେତାମାନଙ୍କୁ ଥଇଥାନ କରିବା। ଦଳ ଭିତରେ କ୍ଷମତା ଭୋଗ କରୁଥିବା ମନ୍ତ୍ରୀ ଓ ଏମଏଲଏମାନଙ୍କ ସଂଖ୍ୟା ସୀମିତ, କିନ୍ତୁ କ୍ଷମତା ଆଶାୟୀମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଅନ୍ୟ ଦଳରୁ ମଧ୍ୟ ନେତାମାନଙ୍କୁ ନିୟମିତ ଭାବେ ବିଜେଡିରେ ସାମିଲ କରାଯାଉଛି। ଯଦି ସେହି ଆଶାୟୀ ନେତାମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରା ନଯିବ ତେବେ ସେମାନେ ହୁଏତ ବିଶୃଙ୍ଖଳ ଆଚରଣ କରିବା ସହ ଦଳବିରୋଧୀ ମଧ୍ୟ ହୋଇଯାଇ ପାରନ୍ତି।

ଦଳକୁ ସେଭଳି ଏକ ପରିସ୍ଥିତିରୁ ବଞ୍ଚାଇ ରଖିବା ପାଇଁ ବିଧାନ ପରିଷଦ ହେଉଛି ଚମତ୍କାର ପ୍ରସ୍ତାବ। ତେବେ ତାହା ସାକାର ହେଉ ନଥିବାରୁ ସରକାର ତାଙ୍କ ଚଳନ୍ତି ଅବଧିରେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବେ ବିଭିନ୍ନ ବିଭାଗରେ ଏକାଧିକ ବ୍ୟକ୍ତି ବିଶେଷଙ୍କୁ କ୍ୟାବିନେଟ ପାହ୍ୟା ସହ ଉପଦେଷ୍ଟା ରୂପେ ନିଯୁକ୍ତି ଦେଇଛନ୍ତି। ସଂଖ୍ୟାଧିକ ଆସନରେ ବିଜୟୀ ହୋଇ ସରକାର ଗଢିଥିବା ବିଜେଡିକୁ ଅନ୍ୟ ରାଜନୈତିକ ଦଳଗୁଡିକ ଅତି ଦୁର୍ବଳ ସ୍ଥିତିରେ ଥିବାରୁ ଏ ସମ୍ପର୍କରେ ପ୍ରଶ୍ନ ପଚାରିବା ତ ଦୂରର କଥା ପଦୁଟିଏ ବି କହୁ ନାହାନ୍ତି। ତେବେ ବିଧାନ ପରିଷଦ ହୋଇଗଲେ ସରକାରଙ୍କ ଏହି ସମସ୍ୟାଟିର ସଂପୂର୍ଣ୍ଣ ସମାଧାନ ହୋଇଯାଇ ପାରିବ।

ସିଏବି ପାରିତ ହୋଇଯିବା ପରେ ପ୍ରଥମେ ଦେଶର ସଂପୂର୍ଣ୍ଣ ପୂର୍ବାଞ୍ଚଳ ଓ ପରେ ପରେ ଉତ୍ତରାଞ୍ଚଳରେ ଯେଉଁ ବିରୋଧାଭାସ ଦେଖାଦେଲା କେନ୍ଦ୍ର ସରକାର ହୁଏତ ତାହା ଠଉରେଇ ପାରି ନଥିଲେ। ଆଇନ ହୋଇଯିବା ପରେ ତାହା ସଂପୂର୍ଣ୍ଣ ଭାବେ ସମସ୍ତଙ୍କ ଦ୍ଵାରା ଗ୍ରହଣୀୟ ହେବାକୁ ବାଧ୍ୟ ବୋଲି ମନେ କରିଥିଲେ। କିନ୍ତୁ ବେଳେ ବେଳେ ଯେ କେତେକ ଆଇନ ପ୍ରତି ଜନ ସମର୍ଥନ ମିଳେ ନାହିଁ ସେଥିପ୍ରତି ସରକାର ଅଣଦେଖା କରିଥିଲେ। ପରିସ୍ଥିତି ଜଟିଳ ହେଲା ପରେ ସରକାର ଯେତେ ସମ୍ଭବ ଟାଣ ଦେଖେଇବା ପାଇଁ ଇଣ୍ଟରନେଟ ଓ ଫୋନ ସେବାକୁ ବ୍ୟାହତ କରି ଓ ଆନ୍ଦୋଳନକାରୀଙ୍କୁ ଅର୍ଦ୍ଧ-ସାମରିକ ବାହିନୀ ଦ୍ଵାରା ଦମନ କରି ମଧ୍ୟ ଶାନ୍ତି ଫେରାଇ ଆଣି ପାରୁ ନାହାନ୍ତି।

ବସ୍ତୁତଃ କହିବାକୁ ଗଲେ ଏନଆରସି ହେଉ ବା ସିଏବି ହେଉଛି ଅନାବଶ୍ୟକ ଆଇନ। ଦେଶରେ ପ୍ରଚଳିତ ଆଇନ ଭିତରେ ନାଗରିକତା ପାଇଁ ଆଇନ ରହିଛି। ଆଧାର ହେଉଛି ସେହିଭଳି ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। କ୍ଷମତା ବାହାରେ ଥିବା ବେଳେ ବିଜେପି ଏହାକୁ ଗ୍ରହଣ କରୁ ନଥିଲା। କିନ୍ତୁ କ୍ଷମତାକୁ ଆସିଲା ପରେ ଏହାକୁ ଅତ୍ୟନ୍ତ ଆଗଭର ହୋଇ ଲାଗୁ କରାଇଲା। ଯେ  କୌଣସି ସରକାରୀ କାର୍ଯ୍ୟରେ ଆଜି ଆଧାର ହେଉଛି ଏକ ଅପରିହାର୍ଯ୍ୟ ଆବଶ୍ୟକତା। କିନ୍ତୁ ମୋଦୀ ସରକାର ଏଭଳି ଏକ ଅନାବଶ୍ୟକ ଆବଶ୍ୟକତାକୁ ଏତେ ଗୁରୁତ୍ଵ କାହିଁକି ଦେଉଛନ୍ତି? ଦେଶରେ ବଢି ଚାଲିଥିବା ବେକାରୀ ଓ ଦରଦାମ ବୃଦ୍ଧି ହେଉଛି ଆଜିକା ଦିନର ସବୁଠାରୁ ବଡ ସମସ୍ୟା। ସେହି ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ନେବାକୁ ଅସମର୍ଥ କେନ୍ଦ୍ର ସରକାର ସେହି ଦୁର୍ବଳତାରୁ ଦୃଷ୍ଟି ହଟେଇବା ପାଇଁ ଏନଆରସି ଓ ସିଏବି ନାଟକ କରୁ ନାହାନ୍ତି ତ? ଏଭଳି ସନ୍ଦେହ ମଧ୍ୟ ସଂପୂର୍ଣ୍ଣ ଅମୂଳକ ନୁହେଁ।

ଅନ୍ୟ ପକ୍ଷରେ ସିଏବି ଲାଗୁ କରିବା ପାଇଁ ଦମନମୂଳକ ପଦକ୍ଷେପ ନେବା ସହିତ ଏନଆରସିକୁ ପାର୍ଲିଆମେଣ୍ଟରେ ପାରିତ କରିବା ପଛରେ ଦେଶକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାର ଅଭିସନ୍ଧି ନାହିଁ ତ? ତାହା ହେଲେ ହିନ୍ଦୁତ୍ଵବାଦୀ ଦଳ ରୂପେ ବିଜେପି ବାରମ୍ବାର ନିର୍ବାଚନ ଜିତି ଶାସନ କ୍ଷମତାକୁ ଆସିବାର ସ୍ଵପ୍ନ ଦେଖୁ ନାହିଁ ତ?

ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ, ସେଭଳି ହେଲେ ଆମ ଦେଶର ଧର୍ମନିରପେକ୍ଷତା ଭାବଧାରା କ୍ଷୁର୍ଣ୍ଣ ହେବ ନାହିଁ କି?

ସେ ଯାହା ବି ହେଉ ପଶ୍ଚିମବଙ୍ଗ ପରେ ଓଡ଼ିଶା ଏନଆରସିକୁ କୌଣସି ସମର୍ଥନ ଦେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ କେନ୍ଦ୍ର ସରକାରଙ୍କ ହିନ୍ଦୁତ୍ଵବାଦୀ ରାଷ୍ଟ୍ରର ପରିକଳ୍ପନାରେ ପାଣି ପକାଇ ଦେଇଛି। ପରେ ପରେ ବିହାର, ତେଲେଙ୍ଗାନା, କେରଳ ସହ ଚାରିଟି କଂଗ୍ରେସ ଶାସିତ ରାଜ୍ୟ ଓ ଆନ୍ଧ୍ର ପ୍ରଦେଶ ପକ୍ଷରୁ ମଧ୍ୟ ଏନଆରସିକୁ ସମର୍ଥନ କରାଯିବ ନାହିଁ ବୋଲି କୁହା ଗଲାଣି। ଅନ୍ୟ ପକ୍ଷରେ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପିର ପରାଜୟ କେନ୍ଦ୍ରର ବିଜେପି ସରକାରଙ୍କ ପାଇଁ ଚେତାବନୀ ସଦୃଶ କାମ କରିଛି।

ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସୋମବାର ନୂଆଦିଲ୍ଲୀରେ ଆୟୋଜିତ ରାଲିରେ ଏନଆରସି ସହ ସିଏବିକୁ ଅଯଥାରେ ଯୋଡା ଯାଉଛି ବୋଲି କହି ନିନ୍ଦା କରିଥିଲେ। ପରୋକ୍ଷରେ ଏହାକୁ ଆଉ ଏନଆରସି ବାବଦରେ ପଦକ୍ଷେପ ନିଆ ନଯିବାର ଇଙ୍ଗିତ ବୋଲି ରାଜନୈତିକ ପଣ୍ଡିତମାନଙ୍କର ମତ।

ଫଳରେ ଓଡ଼ିଶାରେ ଏନଆରସି ଲାଗୁ କରିବାକୁ ଦିଆଯିବ ନାହିଁ ବୋଲି କହିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ସମୟୋଚିତ ପଦକ୍ଷେପ ବୋଲି ନିଃସନ୍ଦେହରେ କୁହାଯାଇପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment