ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଭାରସାମ୍ୟ ହରାଇ କେନାଲକୁ ଖସିଗଲା ବାଇକ୍‌। ଫଳରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଝିନେଇ ଅଞ୍ଚଳରେ। ରାତି ଦୁର୍ଘଟଣା ଘଟିଥିବାରୁ ସକାଳେ ଲୋକମାନେ ମୃତଦେହ କେନାଲରେ ଦେଖି ପୋଲିସକୁ ଖବର ଦେଇଥିଲେ।

ବୁଧବାର ସକାଳେ ଦେହରେ ହୋମଗାର୍ଡ ପୋଷାକ ଥିବା ଏକ ଲୋକ ଭାସୁ ଥିବାର ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲକୁ ପଠାଇଥିଲେ। ହସ୍ପିଟାଲରେ ଡାକ୍ତର ରିସିଭ ଡେଥ ବୋଲି ଘୋଷଣା କରିଥିଲେ। ମୃତ ହୋମଗାର୍ଡ ଜଣକ ଚାନ୍ଦୁଆ ଥାନା କରକଚିଆ ଗ୍ରାମର ଯାମିନୀ ମହାନ୍ତ। ସେ ଲକ୍ଷ୍ମୀପୋଷି ଫାଣ୍ଡିରେ ହୋମଗାର୍ଡ ଭାବେ କାର୍ଯ୍ୟ କରିଥିବାର ଜଣାପଡ଼ିଛି।

ମଙ୍ଗଳବାର ରାତି ୧୦ଟା ବେଳେ ଲକ୍ଷ୍ମୀପୋଷି ଫାଣ୍ଡିରୁ ଡିୟୁଟି ସାରି ନିଜ ବାଇକରେ ଗାଁକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଝିନେଇ ଗ୍ରାମ ନିକଟ କେନାଲ ଭିତରକୁ ଖସି ପଡିଥିବାର ସନ୍ଦେହ କରାଯାଇଛି। ତେବେ ରାତି ବେଶୀ ହେଇଥିବାରୁ ରାସ୍ତାରେ ଦେଇ କୌଣସି ବ୍ୟକ୍ତି ଯିବା ଆସିବା କରୁ ନ ଥିବାରୁ କେହି ଦେଖି ପାରିନଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛି। ଏଥିସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି।

Comment