ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ଭୁବନେଶ୍ୱରରୁ ଅଜୟ ଦାସ): “ବିଜେଡି ଏକ ରାଜନୈତିକ ଦଳ ନୁହେଁ। ବିଜେଡି ଗୋଟିଏ ଆନ୍ଦୋଳନ। ବିଜେଡିର ସ୍ଥିତି ଓ ପ୍ରସାର କେବଳ ମୋ ଉପରେ ନିର୍ଭର କରୁନି। ଏପରିକି ଦଳର ଭାଗ୍ୟ ହାତଗଣତି କିଛି ନେତାଙ୍କ ଉପରେ ମଧ୍ୟ ଏହା ନିର୍ଭରଶୀଳ ନୁହେଁ”,  ଦଳର ୨୩ତମ ପ୍ରତିଷ୍ଠା ଦିବସ ଅବସରର ସଙ୍କେତ ଦେଇ ଏପରି କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପଞ୍ଚମ ପାଳିରେ ସରକାରକୁ ଆସିବା ପରେ ଗୁରୁବାର ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି ବିଜେଡି। ଏଥିପାଇଁ ଦଳର ମୁଖ୍ୟାଳୟରେ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରର ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କର୍ମୀ ଦଳୀୟ ପତାକା, ଶୁଭଶଙ୍ଖ ଓ ବାଜା ବଜାଇ ମୁଖ୍ୟାଳୟରେ ପହଞ୍ଚିଥିଲେ। ନବୀନ ସଭାସ୍ଥଳରେପହଞ୍ଚିବାର ବହୁ ସମୟ ପୂର୍ବରୁ ଦଳୀୟ କାର୍ଯ୍ୟାଳୟରେ ହଜାର ହଜାର ନେତା ଓ କର୍ମୀଙ୍କ ଭିଡ ଦେଖିବାକୁ ମିଳିଥିଲା।ଏଥିରେ ଯୋଗ ଦେଇ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ଏବେ କେବଳ ଏକ ରାଜନୈତିକ ଦଳ ହୋଇ ରହିନାହିଁ। ଏହା ଏବେ ଏକ ଗଣଆନ୍ଦୋଳନରେ ପରିଣତ ହୋଇ ସାରିଛି। ଓଡ଼ିଶାର ସାଢ଼େ ଚାରି କୋଟି ଲୋକ ଆମ ପରିବାର। ଭୋଟ ଜରିଆରେ ସେମାନେ ଆମକୁ ଦାୟିତ୍ୱ ଦେଇଛନ୍ତି। କ୍ଷମତା ନୁହେଁ ବରଂ ଏହି ଦାୟିତ୍ୱକୁ ଆମେ ନମ୍ରତା ଓ ଶୁଦ୍ଧତାର ସହ ପାଳନ କରି ଆସୁଛୁ। ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ। ସେଥିପାଇଁ ୩୬୫ ଦିନ କାମ କରୁଛୁ। ସାଢ଼େ ଚାରି କୋଟି ଲୋକଙ୍କ ସେବା ପାଇଁ ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବାକୁ ପଡିବ ବୋଲି ନବୀନ କହିଛନ୍ତି।ନବୀନ ପଟ୍ଟନାୟକ ସଭାସ୍ଥଳରେ ପହଞ୍ଚିବାପରେ  ପ୍ରଥମେ ବିଜୁ ପଟ୍ଟନାୟକଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ। ଏହି ସମୟରେ ନବୀନ ପଟ୍ଟନାୟକ ଜିନ୍ଦାବାଦ,ବିଜେଡି ଜିନ୍ଦାବାଦ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ। ପରେ ପରେ ବିଜେଡି ସାଧାରଣ ସଂପାଦକ ମୁଖ୍ୟାଳୟ ସଂଜୟ ଦାସବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ସଭା। ସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନିଜର ଅଭିଭାଷଣରେ ବିଜେଡିର ୨୨ ବର୍ଷର କଠିନ ଯାତ୍ରା ସଂପର୍କରେ ସମସ୍ତଙ୍କୁ ମନେ ପକାଇ ଦେଇଥିଲେ।ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ,“ବିଜୁ ବାବୁଙ୍କ ଦେହାନ୍ତ ହେବା ପରେ ଆଜିର ଦିନରେ ବିଜେଡି ପ୍ରତିଷ୍ଠା କରିବାକୁ ଆମେମାନେ ନବୀନ ନିବାସରେ ଏକାଠି ହୋଇଥିଲୁ। ସେଠାରେ ବିଭିନ୍ନ ଆଶା ଆଶଙ୍କା ମଧ୍ୟରେ ବିଜେଡି ପ୍ରତିଷ୍ଠା ହେବା ନେଇ ଆଲୋଚନା ହୋଇଥିଲା। ଠିକ ଏହି ସମୟରେ ନବୀନ ନିବାସ ବାଲକୋନି ଉପରୁ ସ୍ୱର୍ଗତ ଜ୍ଞାନ ପଟ୍ଟନାୟକ ଛିଡା ହୋଇ ହାତ ହଲାଇ ଯେଉଁ ଆଶୀର୍ବାଦ ଦେଇଥିଲେ, ତାହା ସମସ୍ତଙ୍କୁ ଆତ୍ମବିଶ୍ୱାସ ଓ ସାହସ ଦେଇଥିଲା।”ସଭାରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହି ନବୀନ ପଟ୍ଟନାୟକଙ୍କୁ ଜଣେ ପ୍ରିୟ ନେତା ଓ ବିଜେଡିକୁ ଗୋଟିଏ ପ୍ରିୟ ଦଳ ବୋଲି କହିଥିଲେ। ନବୀନ ଲଗାତାର ଭାବେ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ଏକ ବିରଳ କୃତିତ୍ୱ ହାସଲ କରିଛନ୍ତି। ସେ ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ କାମ କରି ଚାଲିଛନ୍ତି। ତେଣୁ ତାଙ୍କ ସହିତ ମିଶି ବିକାଶର ଧାରାକୁ ଆଗକୁ ନେବାକୁ ଆମମାନଙ୍କୁ ସଂକଳ୍ପ ନେବାକୁ ପଡିବ ବୋଲି ଦେବୀ ମିଶ୍ର କହିଥିଲେ।ସଭାରେ ବିଜେଡ଼ି ‘ମୋ ପରିବାର’ ର ସଂଯୋଜକ ଅରୁପ ପଟ୍ଟନାୟକ କହିଥିଲେ ଯେ, ନବୀନ ବାବୁ ଲଗାତାର ୫ମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଅନେକ ଲୋକ ଏହାର ସଫଳତାର କାରଣ ପଚାରିଥିଲେ। ସେ ସେମାନଙ୍କୁ ଗୋଟିଏ ଉତ୍ତର ଦେଇଥିଲି ଯେ ନବୀନ ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି,ଯାହା ଓଡ଼ିଶା ସାଧାରଣ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉଛି। ଏପରିକି ସାରା ଦେଶରେ ଏହି ସବୁ ଯୋଜନାକୁ ଲୋକେ ପସନ୍ଦ କରୁଛନ୍ତି ବୋଲି ଅରୁପ ପଟ୍ଟନାୟକ କହିଥିଲେ।

ସଭାରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱରର ଅନ୍ୟ ଦୁଇ ବିଧାୟକ ଉପସ୍ଥିତ ରହି ନିଜର ଅଭିଭାଷଣ ରଖିଥିଲେ।

LEAVE A REPLY

Please enter your comment!
Please enter your name here