କପିଳାସ ଭୂୟାଁ

ଅନ୍ୟ ପକ୍ଷରେ ଟ୍ରାଫିକ ଜାମର ଗୋଟିଏ ମୁଖ୍ୟ କାରଣ ହେଲା ରାସ୍ତାରେ ମନ ଇଚ୍ଛା ଗାଡି ପାର୍କିଂ କରିବା। ଛତୁ ଫୁଟିଲା ପରି ଭୁବନେଶ୍ଵରରେ ଖୋଲିଥିବା ବାହାଘର ମଣ୍ଡପ ଓ ମାଳ ମାଳ ମଲ ତଥା ମଲ୍ଟିପ୍ଲେକ୍ସ ଯେଉଁଗୁଡିକ ପାର୍କିଂ ପାଇଁ ଉପଯୁକ୍ତ ବ୍ୟବସ୍ଥା କରି ନାହାନ୍ତି, ଅଥବା ଯଦି ବ୍ୟବସ୍ଥା କରିଛନ୍ତି ତେବେ ସେଠାରେ ପାର୍କିଂ ପାଇଁ ବେଶ ମୋଟା ପରିମାଣର ଫି ଆଦାୟ କରୁଛନ୍ତି। ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ମଧ୍ୟ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପଗୁଡିକ ହେଉ କି ପ୍ରଦର୍ଶନୀ ପଡ଼ିଆ ବା ସଭା ସମିତି ପାଇଁ ଉଦ୍ଦିଷ୍ଟ ଖୋଲା ସ୍ଥାନରେ ପାର୍କିଂ ପାଇଁ ଜାଗା ନରଖିବା, ଅଥବା ଭୁଲ ପ୍ଲାନିଂରେ ରାସ୍ତାଘାଟ ନିର୍ମାଣ କରିବା ଯୋଗୁ ମଧ୍ୟ ଟ୍ରାଫିକ ଜାମ ହେଉଛି।

ଭୁବନେଶ୍ଵର ଛୋଟ ଥିଲା ବେଳେ କୌଣସି ଅସୁବିଧା ନଥିଲା। କିନ୍ତୁ ଏହାର ଜନସଂଖ୍ୟା ଓ ଆକାର ବୃଦ୍ଧି ପାଇବା ସହ ଯେଉଁ ଭଳି ସଂପ୍ରସାରଣ ଯୋଜନା କରିବା କଥା ତାହାକୁ ଠିକ ରୂପେ ନକରିବା ହିଁ ସବୁ ସମସ୍ୟାର ମୂଳ କାରଣ। ପୂର୍ବରୁ ସଭା ସମିତି ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ସ୍ଥାନୀୟ ଅଞ୍ଚଳର ବେକାର ଯୁବକମାନେ ଦୁଇ ଓ ଚାରି ଚକିଆ ଯାନର ପାର୍କିଂ ବ୍ୟବସ୍ଥା କରି କିଛିଟା ରୋଜଗାର କରି ପାରୁଥିଲେ। ଏହା ଦୃଷ୍ଟିକୁ ଆସିବା ପରେ ମ୍ୟୁନିସିପାଲିଟି ପକ୍ଷରୁ ରୋଜଗାର ପାଇଁ ସେହି ସବୁ ସ୍ଥାନକୁ ନିଲାମ କରାଗଲା।

ପଇସା ଥିବା ଲୋକେ ସେହି ନିଲାମ ନେଲେ ଓ ବେରୋଜଗାରିଆ ସ୍ଥାନୀୟ ଯୁବକମାନେ ସେହି ବ୍ୟକ୍ତିଙ୍କ ପାଖେ ଚାକିରି କଲେ। କ୍ରମେ ଦେଖାଗଲା ଯେ ନିଲାମ ପରିମାଣ କମିବାରେ ଲାଗିଲା ଓ  ଦାୟିତ୍ଵରେ ଥିବା ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ନିଲାମଧାରୀ କମ ମୂଲ୍ୟରେ ନିଲାମ ନେଲେ। ତେଣୁ ମ୍ୟୁନିସିପାଲିଟିର ରୋଜଗାର ପରି ଯେଉଁ ମୁଖ୍ୟ ଉଦ୍ଦେଶ୍ୟରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ବାସ୍ତବ ଦୃଷ୍ଟିରୁ ତାହା ହେଲା ନାହିଁ। ବରଂ କିଛି ମ୍ୟୁନିସିପାଲିଟି କର୍ମଚାରୀ ହିଁ ମାଲାମାଲ ହେବା ସାର ହେଲା।

ପ୍ରାୟ ଚାରି ପାଞ୍ଚ ବର୍ଷ ପୂର୍ବେ ପାର୍କିଂକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆ ଯିବା ଆରମ୍ଭ ହୋଇଥିଲା। ଭୁଲ ଜାଗାରେ ପାର୍କିଂ କରିଥିଲେ ସମ୍ପୃକ୍ତ ଯାନବାହାନକୁ ‘ଟୋ’ କରି ବା ଟେକି ନେବା ସହ ଜୋରିମାନା ଆଦାୟ କରାଗଲା। କିନ୍ତୁ କର୍ତ୍ତୃପକ୍ଷ ଉପଯୁକ୍ତ ଓ ପର୍ଯ୍ୟାପ୍ତ ସ୍ଥାନ ଯୋଗାଇ ନପାରିବାରୁ ସେହି ବ୍ୟବସ୍ଥା କାମ କରିଲା ନାହିଁ।

ସେହିଭଳି ଭୁଲ ଯୋଜନା ଯୋଗୁ ଟ୍ରାଫିକ ଜାମ କିପରି ନୟାନ୍ତ ଅବସ୍ଥା ସୃଷ୍ଟି କରେ ତାହାର ପ୍ରକୃଷ୍ଟ ଉଦାହରଣ ହେଉଛି କଲ୍ପନା ଛକରୁ ହାଟ ପର୍ଯ୍ୟନ୍ତ ଓ ବମିଖାଲରୁ ରସୁଲଗଡ ପର୍ଯ୍ୟନ୍ତ ହୋଇଥିବା ଫ୍ଲାଏ ଓଭର। ଏହି ଉଭୟ ରାସ୍ତାରେ ଟ୍ରାଫିକ ଜାମର ଦୁର୍ଦ୍ଦଶାର କାରଣ ଏହି ଦୁଇଟି ଫ୍ଲାଏ ଓଭର କହିଲେ କିଛି ଭୁଲ ହେବ ନାହିଁ। ପ୍ରଥମେ ପ୍ରଥମେ ତ ଲୋକେ ରାଜମହଲ ଫ୍ଲାଏ ଓଭରକୁ ଆଦୌ ବ୍ୟବହାର କଲେ ନାହିଁ। ପରେ ଯେତେବେଳେ ବ୍ୟବହାର କଲେ ଦେଖିବାକୁ ମିଳିଲା ଯେ ରେଲୱେ ଓଭର ବ୍ରିଜ ପରେ ରାଜମହଲ ଛକ ଉପରେ ବେସ ସହଜରେ ଆସି ଯାଇ ପାରିଲେ, କିନ୍ତୁ କ୍ୟାପିଟାଲ ଥାନା ପାଖରୁ ଏଜି ଛକ ଭିତରେ ନାହିଁ ନଥିବା ଜାମରେ ପଡିଲେ। ଯୋଜନା କଲା ବେଳେ ଏହି ଫ୍ଲାଏ ଓଭରକୁ ହାଟ ପରେ ତଳକୁ ଆଣିଥିଲେ ବା ପୁରୁଣା ବସ ଷ୍ଟାଣ୍ଡ ଠାରୁ ଏହାକୁ ଉପରକୁ ଉଠାଇଥିଲେ କଣ ହୋଇ ନଥାନ୍ତା? ଏହା କରିଥିଲେ ଅନ୍ତତଃ ମାର୍କେଟ ଓ ହାଟରେ କାମ ନଥିବା ଲୋକେ ତ ସୁରୁଖୁରୁରେ ଫ୍ଲାଏ ଓଭର ଦେଇ ଯା’ ଆସ କରି ପାରିଥାନ୍ତେ, ନୁହେଁ?

ସ୍ମାର୍ଟ ସିଟି ଭୁବନେଶ୍ଵରରେ ଉତ୍କଟ ପାର୍କିଂ ସମସ୍ୟାକୁ ଦେଖି ବିଏମସି ଓ ବିଡିଏ ପକ୍ଷରୁ ଏଠାରେ ଥିବା ମଲଗୁଡିକ ଯାନବାହାନ ପାଇଁ ପାର୍କିଂ ଯୋଗାଇ ଦେବେ ଓ ସେଥି ପାଇଁ ଫି ଆଦାୟ କରି ପାରିବେ ନାହିଁ ବୋଲି ନିୟମ ତିଆରି କଲେ। ଯଦି ସେଭଳି କରନ୍ତି ତେବେ ସେମାନଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଲେ। କିନ୍ତୁ ଏବେ ଦେଖା ଯାଉଛି ଯେ ଏହି ନିୟମକୁ କୌଣସି ମଲ ମାନୁ ନାହାନ୍ତି। ଏ କଥା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଲା ପରେ ମଧ୍ୟ ନିୟମ ମାନୁ ନଥିବା ମଲଗୁଡିକ ବିପକ୍ଷରେ ବିଏମସି ଓ ବିଡିଏ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ।

କାହିଁକି?

କାର୍ଯ୍ୟାନୁଷ୍ଠାନ କରା ନଗଲେ ସମ୍ପୃକ୍ତ କର୍ତୃପକ୍ଷ ବା ତାହାର କର୍ମଚାରୀମାନେ ଯେ କିଳାପୋତେଇ କରୁଛନ୍ତି ବୋଲି ଜନମାନସରେ ଧାରଣା ହେବ ନାହିଁ କି?

ଏଠାରେ କର୍ତ୍ତୃପକ୍ଷ ମନେ ରଖିବା ଦରକାର ଯେ ଆଇନକୁ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ କରିବା ଅତି ଜରୁରୀ। କାହା ପାଇଁ ଆଇନ ଛାଡ ତ ଆଉ କାହା ପାଇଁ ଆଇନ ମାଡ କରିବା ଭଳି ବ୍ୟବସ୍ଥା ଦ୍ଵାରା ଆଇନକୁ କେହି ସମ୍ମାନ ଦେବେ ନାହିଁ। ଅର୍ଥାତ, ଉଦାହରଣ ସ୍ୱରୂପ ସରକାରଙ୍କ ଦ୍ଵାରା ପରିଚାଳିତ ଏକାମ୍ର ହାଟ ପରି ଜାଗାରେ ପାର୍କିଂ ଫି ଆଦାୟ କରା ଯାଉଥିବା ବେଳେ ମଲଗୁଡିକରୁ ପାର୍କିଂ ଫି ଛାଡ କରିବା ବ୍ୟବସ୍ଥା କେମିତି କାମ କରିବ?

ଆଉ ଗୋଟିଏ ଦୃଷ୍ଟିରୁ ଅନୁଧ୍ୟାନ କଲେ ଆମେ ଜାଣି ପାରିବା ଯେ ପ୍ରାୟ ସବୁଗୁଡିକ ମଲର ଗୋଟିଏ ମୁଖ୍ୟ ଆୟ ହେଉଛି ଲୋକମାନଙ୍କ ଠାରୁ ପାର୍କିଂ ଫି ଆଦାୟ କରିବା। ଏଥିରୁ ସେମାନଙ୍କୁ ନିବୃତ୍ତ କରିବା ପାଇଁ ମଲର ନିର୍ମାଣ ପୂର୍ବରୁ ସମ୍ପୃକ୍ତ ମାଲିକଙ୍କ ଠାରୁ ସ୍ଵୀକାର ପତ୍ର ବା ଅଣ୍ଡରଟେକିଙ୍ଗ ରଖିବା ବିଧେୟ। ନଚେତ ପରେ ନୂଆ ନିୟମ ତିଆରି କଲେ ତାକୁ ଲାଗୁ କରିବା କଷ୍ଟକର।

ସେ ଯାହା ବି ହେଉ ଆମ ସହରକୁ ସୁସଂହତ ଭାବେ ଗୋଟିଏ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ଉତ୍ତମ ପାର୍କିଂ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ସେଥି ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବା ସମୟ ଏବେ ଉପନୀତ। ନଚେତ ନେଡି ଗୁଡ କହୁଣୀକୁ ବୋହିଗଲା ପରେ ଅବସ୍ଥା ଅଣାୟତ ହେବ ହିଁ ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

2 COMMENTS

LEAVE A REPLY

Please enter your comment!
Please enter your name here