ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାନୁଆରି ୪ରୁ ଶିଶିର ସରସ
  • ୧୧ ଦିନ ଧରି ଚାଲିବ ଏହି ମେଳା
  • ଏଥର ପଡ଼ିବ ୩୦୦ଟି ଷ୍ଟଲ

ଜାନୁଆରି ୪ରୁ ଆରମ୍ଭ ହେବାକୁ ଯାଉଛି ଜାତୀୟସ୍ତରୀୟ ମେଳା ‘ଶିଶିର ସରସ’। ଏଗାର ଦିନ ଧରି ହେବାକୁ ଥିବା ଏହି ମେଳା ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିବ। ଏଥର ଶିଶିର ସରସ ମେଳାରେ ମୋଟ୍‌ ୩୦୦ଟି ଷ୍ଟଲ ସ୍ଥାନ ପାଇବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ୍‌ ପ୍ରତିବର୍ଷ ଶିଶିର ସରସ ମେଳା ଆୟୋଜନ କରି ଆସୁଛି। ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଏଥର ଭାରତର ୨୫ଟି ରାଜ୍ୟ ଅଂଶ ଗ୍ରହଣ କରୁଛନ୍ତି। ଯେଉଁଥିରେ ଉତ୍ତର ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜ୍ଜା ଫୁଲ ଓ ଫୁଲଦାନୀ, ଶୀତ ପୋଷାକ, ଉତ୍ତରପ୍ରଦେଶର ହସ୍ତତନ୍ତ, ସିଲ୍କ, ମଧ୍ୟପ୍ରଦେଶ, ଛତିଶଗଡ଼ର ଟସର କପଡ଼ା, ଓ ଲୁଗା, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଖାଦ୍ୟ, ଘରକରଣା ସାମଗ୍ରୀ ଓ ଜମ୍ମୁ-କଶ୍ମୀରର ଶୀତ ପୋଷାକ ମେଳାର ପ୍ରମୁଖ ଆକର୍ଷଣ ରହିବ।

ଓଡ଼ିଶାର ୩୦ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ  ହାତ ତିଆରି ସାମଗ୍ରୀ ଧରି ମେଳାରେ ସାମିଲ ହେବେ। କାଇଁଚରୁ ପ୍ରସ୍ତୁତ ସାମଗ୍ରୀ ଏବଂ ମୟୂରଭଞ୍ଜର ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମଧ୍ୟ ମେଳାରେ ଉପଲବ୍ଧ ହେବ।

ଏଥର ୧୨ଟି ଷ୍ଟଲକୁ ନେଇ ଖୋଲାଯାଇଛି ଫୁଡ୍‌ କୋର୍ଟ। ଏଥିରେ ୮ଟି ରାଜ୍ୟର ପାରମ୍ପରିକ ଖାଦ୍ୟ ମିଳିବ। ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବିଭିନ୍ନ ରକମର ପିଠା ଓ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରି ହେବ।

ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚଳିତ ପୋଷାକ ଓ ହସ୍ତଶିଳ୍ପ ସାମଗ୍ରୀ ନେଇ ଫ୍ୟାସନ୍‌ ସୋ’ ଆୟୋଜନ କରିବାର ମଧ୍ୟ ବ୍ୟବସ୍ଥା ରହିଛି।

ମେଳାକୁ ବୁଲି ଆସୁଥିବା ଦର୍ଶକ ଓ ଗ୍ରାହକଙ୍କ ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ମଦ୍ୟ କରାଯିବ। ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ସହ ପାରମ୍ପରିକ ଲୋକ ନୃତ୍ୟ, ଓଡ଼ିଆ ଓ ହିନ୍ଦୀ ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିବ।

ଏହି ମେଳା ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ହସ୍ତଶିଳ୍ପ ଓ ଲଘୁ ଉଦ୍ୟୋଗ, ଖଦୀ ଓ ଗ୍ରାମଦ୍ୟୋଗ କମିସନ, ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଓ ନାବାର୍ଡର ମିଳିତ ସହଯୋଗରେ ଶିଶିର ସରସ ମେଳା ଆୟୋଜନ କରାଯାଉଛି।

Comment