ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଓଡ଼ିଶା କଂଗ୍ରେସ ପାଇଁ କେମିତି ଥିଲା ଜାଣନ୍ତୁ ଓଡ଼ିଶାଲାଇଭ୍‌ ‘ଫ୍ଲାସ୍‌ବ୍ୟାକ୍‌-୨୦୧୯’ ରିପୋର୍ଟରୁ।

ଗତ ୧୯ ବର୍ଷ ଭିତରେ କଂଗ୍ରେସ ରାଜନୀତିରେ ଯାହା ଘଟି ନଥିଲା ତାହା ୨୦୧୯ରେ ହିଁ ଘଟିଛି। ସଫଳତା ଅପେକ୍ଷା ବିଫଳତାକୁ ଅଧିକ ସାମ୍ନା କରିଛି କଂଗ୍ରେସ। ୨୦୧୯ରେ କଂଗ୍ରେସ ସବୁଠୁ ବଡ଼ ଧକ୍କା ଖାଇଥିବା କୁହାଯାଉଛି।

କଂଗ୍ରେସ ପାଇଁ ବଡ଼ ଧକ୍କା ନିର୍ବାଚନ

୨୦୧୯ ନିର୍ବାଚନର ଠିକ୍‌ ବର୍ଷକ ପୂର୍ବରୁ ଓଡ଼ିଶା କଂଗ୍ରେସ ପାଇଥିଲା ନୂଆ ପିସିସି ସଭାପତି। ପ୍ରସାଦ ହରିଚନ୍ଦନଙ୍କ ଜାଗାରେ ନିରଞ୍ଜନ ପଟ୍ଟନାୟକ ଧରିଥିଲେ କଂଗ୍ରେସ ମଙ୍ଗ। ନିରଞ୍ଜନ ମଧ୍ୟ ସଙ୍ଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ କରିଥିଲେ। ‘ହସିବ ଓଡ଼ିଶା, ଉଠିବ କଂଗ୍ରେସ’ ସ୍ଲୋଗାନ ଦେଇ ନିରଞ୍ଜନ ବିଜେଡି ଓ ବିଜେପିକୁ ଚେକ୍‌ ଦେବାକୁ ଗେମ୍‌ ପ୍ଲାନ୍‌ କରିଥିଲେ। କିନ୍ତୁ ତାଙ୍କ ଗେମ୍‌ ପ୍ଲାନ୍‌ କାମ କଲାନି। କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଲା। କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ମାତ୍ର ୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ଖାତା ଖୋଲିଥିଲା କଂଗ୍ରେସ।

ଦଳ ଛାଡ଼ିଲେ ନେତା

ନିର୍ବାଚନ ଯେତିକି ପାଖେଇ ଆସିଲା ରାଜନୀତି କରିଡରରେ ଚର୍ଚ୍ଚା ମଧ୍ୟ ସେତିକି ଜମିଲା। ନେତାମାନେ ଏ ଦଳରୁ ସେ ଦଳକୁ ଡେଇଁଲେ। ଏହି ଦଳ ଡିଆଁକୁ ନେଇ ଅଧିକ କ୍ଷତି ସହିଲା କଂଗ୍ରେସ। କଂଗ୍ରେସର ଅଧିକାଂଶ ନେତା ୨୦୧୯ରେ ଦଳ ବଦଳାଇ କିଏ ବିଜେଡିକୁ ଗଲା ତ ଆଉ କିଏ ବିଜେପିରେ ସାମିଲ ହେଲା। ଫଳରେ କଂଗ୍ରେସ କ୍ଷତିଗ୍ରସ୍ତ ହେଲା।

୨୦୧୯ରେ ପ୍ରଥମେ କଂଗ୍ରେସକୁ ଝଟ୍‌କା ଦେଇଥିଲେ ନବ ଦାସ।  ଠିକ୍‌ ନିର୍ବାଚନ ପୂର୍ବରୁ ନବ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ନବଙ୍କ ପରେ କଂଗ୍ରେସକୁ ବାଏ ବାଏ କରିଥିଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ। ସେ ବି କଂଗ୍ରେସ ଛାଡ଼ି ବିଜେଡି ଶିବିରକୁ ଆସିଥିଲେ।

ସେହିପରି ସାଲେପୁର ବିଧାୟକ ଥିବା ପ୍ରକାଶ ବେହେରା ବି କଂଗ୍ରେସ ଛାଡ଼ିଥିଲେ। ସେ ପଦ୍ମ ଧରିଥିଲେ। ଏପଟେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ କୃଷ୍ଣ ଚନ୍ଦ୍ର ଶଗରିଆଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଦା ହେବାକୁ ପଡ଼ିଥିଲା।

ଅମାନତ ଉଡ଼ିଗଲା

ସାଧାରଣ ନିର୍ବାଚନ ପରେ ପାଟକୁରା ଏବଂ ବିଜେପୁରରେ ଉପ ନିର୍ବାଚନ ହୋଇଥିଲା। କଂଗ୍ରେସ ବି ପ୍ରାର୍ଥୀ ଦେଇଥିଲା। ହେଲେ ଏହି ଦୁଇ ଜାଗାରେ କଂଗ୍ରେସ ପ୍ରାର୍ଥୀ ଅମାନତ ହାରିଥିଲେ। ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ଅଢ଼େଇ ହଜାର ଭୋଟ ପାଇଥିବା ବେଳେ ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ୪ ହଜାରରୁ ଅଧିକ ଭୋଟ ପାଇଥିଲେ।

ଦୁଇଟି ଜାଗାରୁ ହାରିଲେ ନିରଞ୍ଜନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭଳି ନିରଞ୍ଜନ ବି ଦୁଇଟି ସ୍ଥାନରୁ ଛିଡ଼ା ହୋଇଥିଲେ। କେନ୍ଦୁଝରର ଘସିପୁରା ଏବଂ ଭଦ୍ରକର ଭଣ୍ଡାରିପୋଖରୀ ଆସନରୁ ନିରଞ୍ଜନ ନିର୍ବାଚନ ଲଢ଼ିଥିଲେ। ହେଲେ କୌଣସି ଗୋଟିଏ ଆସନରୁ ବି ନିରଞ୍ଜନ ଜିତି ପାରିଲେ ନାହିଁ। ଏପଟେ କଂଗ୍ରେସର ବଡ଼ ନେତା ବି ନିର୍ବାଚନ ହାରିଲେ।

ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ

ଗତ ୧୯ ବର୍ଷ ହେଲା କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ବସି ଆସୁଥିଲା। ହେଲେ ଏଥର ବଡ଼ ଝଟ୍‌କା ଖାଇଲା ଦଳ। ଦୁଇ ନମ୍ବର ସ୍ଥାନରୁ ହଟି ତିନି ନମ୍ବରରେ ରହିଥିଲା କଂଗ୍ରେସ। ୨୦୧୪ରେ ଯେଉଁ କଂଗ୍ରେସ ୧୬ଟି ଆସନ ପାଇଥିଲା ସେହି ଦଳ ଏଥର ୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫଳରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହରାଇଛି।

ଶେଷରେ ନିରଞ୍ଜନ ହଟାଓ ମେଳି

୨୦୧୯ଟି କଂଗ୍ରେସ ପାଇଁ ଶୁଭଙ୍କର ନଥିଲା ବୋଲି ରାଜନୀତି ପଣ୍ଡିତମାନେ ମତ ଦେଉଛନ୍ତି। ନିର୍ବାଚନରେ ଝଟ୍‌କା ଖାଇବା ପରେ କଂଗ୍ରେସରେ କନ୍ଦଳ କମିବା ବଦଳରେ ବଢ଼ିଥିଲା। ୨୦୧୯ ଶେଷ ହେଲା ବେଳକୁ ଦଳରେ ନିରଞ୍ଜନ ହଟାଅ ମେଳି ଦାନା ବାନ୍ଧିଥିଲା। ଭୁବନେଶ୍ୱରରେ କିଛି ନେତା ମେଳି କରିଥିବା ବେଳେ ଆଉ କିଛି ନେତା ଦିଲ୍ଲୀ ଯାଇଥିଲେ ହାଇକମାଣ୍ଡଙ୍କୁ ଭେଟିବାକୁ। ଏହାକୁ ନେଇ କଂଗ୍ରେସ ରାଜନୀତି ସରଗରମ ରହିଥିଲା।

୨୦୧୯ ବର୍ଷଟି ଶହେ ବର୍ଷରୁ ଅଧିକ କଂଗ୍ରେସ ଦଳ ପାଇଁ ବିପର୍ଯ୍ୟୟର ବର୍ଷ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ପୂର୍ବ ବର୍ଷମାନଙ୍କ ତୁଳନାରେ ଦଳର ଅବସ୍ଥା ଆହୁରି ଖରାପ ହୋଇପଡ଼ିଥିଲା। ବିଧାନସଭା ନିର୍ବାଚନରେ କଂଗ୍ରେସ ପୂର୍ବ ନିର୍ବାଚନ ତୁଳନାରେ କମ ଆସନ ହାସଲ କରିବା ସହିତ ବିରୋଧୀ ଦଳର ମର୍ଯ୍ୟାଦା ବି ହରାଇଥିଲା।
ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ବିଧାୟକ ମହମଦ ମୋକିମଙ୍କୁ ସଭାପତି କରିବା ପାଇଁ ଦାବି ହେଉଛି। ଏହି ଦାବି ଆଗାମୀ ଦିନରେ କେତେଦୂର ସଫଳ ହେବ ତାହା ପରବର୍ତ୍ତୀ ସମୟରେ ହିଁ ଜଣାପଡ଼ିବ।

ଏହିଭଳି ଦୟନୀୟ  ସ୍ଥିତିରେ ଓଡ଼ିଶାରେ କଂଗ୍ରେସର ପୁନରୁଦ୍ଧାର ଏକ କଷ୍ଟକର ବ୍ୟାପାର ଏହା ସ୍ପଷ୍ଟ। ୨୦୨୪ ନିର୍ବାଚନ ବେଳକୁ କଂଗ୍ରେସ ଲଢ଼ିବା ସ୍ଥିତିରେ ଥିବ ସେ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ।

Comment