ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ୬୭ତମ ରାଜ୍ୟ ଆଥ୍‌ଲେଟିକ୍ ମିଟ୍ ଆଜିଠୁ ବାରବାଟୀ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି। ସାରା ରାଜ୍ୟରୁ ୧୬ଶହ ପ୍ରତିଯୋଗୀ ଓ ୨ଶହ ଟେକ୍ନିକାଲ୍ ଅଫିସିଆଲ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ଅଲିମ୍ପିଆନ୍ ଦୂତୀ ଚାନ୍ଦ ଓ ଆଥଲେଟ୍‌ ଚିତ୍ତରଞ୍ଜନ ମହାପାତ୍ର ରେଫରୀ ଓ ବିଚାରକମଣ୍ଡଳୀଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶା ଆଥ୍‌ଲେଟିକ ଆସୋସିଏସନ୍ ଯୁଗ୍ମ ସମ୍ପାଦକ ଅଶୋକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସମ୍ପାଦକ ଆଶୀର୍ବାଦ ବେହେରା ଉପସ୍ଥିତ ଥିଲେ।

ଆଜି ମିଟ୍‌ର ପ୍ରଥମ ଦିନରେ ୩ଟି ନୂଆ ମିଟ୍ ରେକର୍ଡ ହୋଇଛି। ୫ହଜାର ମିଟର ଦୌଡ଼ରେ ଖୋର୍ଦ୍ଦାର ସମସାଦ ଆରା ବେଗମ୍ ୧୭ମିନିଟ୍ ୫୮.୮ ସେକେଣ୍ଡରେ ପ୍ରତିଯୋଗିତା ଶେଷ କରି ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛନ୍ତି। ପୂର୍ବରୁ ୧୮ମିନିଟ୍ ୧୪.୯ ସେକେଣ୍ଡ ଥିବା ବେଳେ ଏହାର ଢେର ଆଗରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ ସମସାଦ । ସେହିପରି ୧୬ବର୍ଷରୁ କମ୍ ବର୍ଗର ସଟ୍ଫୁଟ୍‌ରେ ନୂଆ ମିଟ୍ ରେକର୍ଡ ହାସଲ କରିଛନ୍ତି ଅଂଶିକା ରାଉତରାୟ। ପୂର୍ବ ରେକର୍ଡ (୧୧.୮୨ ମିଟର)କୁ ଆଗକୁ ଟପିଯାଇ ଅଂଶିକା ୧୧.୯୭ ମିଟର ସଟ୍ଫୁଟ୍ ଫିଙ୍ଗିଥିଲେ। ୨୦ବର୍ଷରୁ କମ୍ ବାଳିକା ଲଙ୍ଗଜମ୍ପରେ ୫.୯୪ ମିଟର ଡେଇଁ ନୂଆ ରେକର୍ଡ ଯୋଡିଛନ୍ତି ମନିଷା ମେରେଲ। ଏଥିରେ ପୂର୍ବ ରେକର୍ଡ ଥିଲା ୫.୭୦ ମିଟର।

ସେହିପରି ବିଭିନ୍ନ ବୟସବର୍ଗରେ ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୧୪ବର୍ଷରୁ କମ୍ ବାଳକ ୧୦୦ମିଟର ଦୌଡ଼ରେ ଦୁଲା ମାଝି, ଟ୍ରାଇଥଲନ୍‌ରେ କେଶବ ଗମାଙ୍ଗ, ୧୬ବର୍ଷରୁ କମ୍ ବାଳକ ଦୌଡ଼ରେ ଆର୍ଯ୍ୟନ ଏକ୍କା, ୮ଶହ ମିଟରରେ ବଳଭଦ୍ର ବତ୍ରା, ଡିସ୍‌କସ ଥ୍ରୋରେ ଆଶିଷ କୁମାର ପାତ୍ର, ୧୮ବର୍ଷରୁ କମ୍ ବାଳକ ଦୌଡ଼ରେ ଅଭିଷେକ ଦଳବେହେରା, ୮ଶହ ମିଟରରେ ଜଗମୋହନ ପୂର୍ତ୍ତି, ଲଙ୍ଗଜମ୍ପରେ ପ୍ରିୟବ୍ରତ ପଟ୍ଟନାୟକ, ଡିସ୍‌କସ ଥ୍ରୋରେ ଜ୍ୟୋତିପ୍ରକାଶ ନାୟକ, ୨୦ବର୍ଷରୁ କମ୍ ବାଳକ ୧୦୦ମିଟର ଦୌଡ଼ରେ ହେମନ୍ତ ସେଠ, ୮ଶହ ମିଟର ଦୌଡ଼ରେ ଦିଲ୍ଲୀପ ନାୟକ, ୫ହଜାର ମିଟର ଦୌଡ଼ରେ ରଶ୍ମିରଞ୍ଜନ ନାୟକ, ଲଙ୍ଗଜମ୍ପରେ ଯୁଗନ୍ତର ମହାନ୍ତି, ଡିସ୍‌କସ ଥ୍ରୋରେ ଲକଚୁମନ ଶର୍ମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୧୪ବର୍ଷରୁ କମ୍ ବାଳକ ୧୦୦ମିଟର ଦୌଡ଼ରେ ବାସନ୍ତି ମାଝି, ସଟ୍ଫୁଟ୍‌ରେ ପ୍ରାଚୀ ମହାରଣା, ଟ୍ରାଇଥଲନ୍‌ରେ ବାସନ୍ତି ମାଝି, ୧୬ବର୍ଷରୁ କମ୍ ୧୦୦ମିଟର ଦୌଡ଼ରେ ରଞ୍ଜିତା ପୁଙ୍ଗା, ୮ଶହ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିଶନ, ସଟ୍ଫୁଟ୍‌ରେ ଅଂଶିକା ରାଉତରାୟ, ଜାଭେଲିନ୍‌ରେ ସମିୟା ମୁର୍ମୁ, ୧୦୦ମିଟର ଦୌଡ଼ରେ ମାରିମୁକ୍ତା ସୋରେଙ୍ଗ, ୮ଶହ ମିଟର ଦୌଡ଼ରେ ସୁମିତା ଟିଗା, ସଟଫୁଟ୍‌ରେ ନେତ୍ରମଣୀ ସିଂ, ଜାଭେଲିନ୍‌ରେ ଦମୟନ୍ତୀ ଖେସ୍ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି।

୨୦ବର୍ଷରୁ କମ୍ ବାଳିକା ୧୦୦ମିଟର ଦୌଡ଼ରେ ମଧୁମିତା ଦେବ, ୮ଶହ ମିଟର ଦୌଡ଼ରେ ବବିତା ସାନ୍ତା, ୫ହଜାର ମିଟର ଦୌଡ଼ରେ ଶ୍ଵେତା କୁଜୁର, ଲଙ୍ଗଜମ୍ପରେ ମନିଷ ମେରେଲ, ହାଇଜମ୍ପରେ ମୋନିକା କୁଜୁର, ସଟ୍ଫୁଟ୍‌ରେ ଲିପ୍ତି କାଦରାକା, ଜାଭେଲିନ୍‌ରେ ମୋନିକା କୁଜୁର, ପୁରୁଷ ୧୦୦ମିଟ ଦୌଡ଼ରେ ଅମିୟ ମଲ୍ଲିକ, ୫ହଜାର ମିଟରରେ ଅଶୋକ ଦଣ୍ଡସେନା, ଲଙ୍ଗଜମ୍ପରେ ଆଶିଷ କୁମାର ପାତ୍ର, ଡିସ୍‌କସରେ ରଞ୍ଜନ କୁମାର ସାହୁ, ମହିଳା ୧୦୦ମିଟର ଦୌଡ଼ରେ ଦୂତୀ ଚାନ୍ଦ, ୮ଶହ ମିଟର ଦୌଡ଼ରେ ନମିତା ପ୍ରଧାନ, ୫ହଜାର ମିଟର ଦୌଡ଼ରେ ସମସାଦ ଆରା ବେଗମ, ଲଙ୍ଗଜମ୍ପରେ ରୋଜି ମଲ୍ଲିକ, ହାଇଜମ୍ପରେ ରଶ୍ମିତା ବେହେରା, ସଟ୍ଫୁଟ୍‌ରେ ଉତ୍କଳିକା ପ୍ରିୟଦର୍ଶିନୀ, ଜାଭେଲିନ୍‌ରେ ପ୍ରିୟଙ୍କା ଟପ୍ପୋ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Comment