ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସରିଗଲା। ‘କାଳିଆ’କୁ ନେଇ ଚର୍ଚ୍ଚା ଥମିଲାନି। ୨୦୧୯ ଆରମ୍ଭରୁ ଶେଷ ଯାଏଁ ଏହି ଯୋଜନାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମ ଭିତରୁ ‘କାଳିଆ’ ଯୋଜନା ଥିଲା ଅନ୍ୟତମ। ନିମ୍ନ, ମଧ୍ୟବିତ୍ତ ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ ୨୦୧୮ରେ ଆରମ୍ଭ ହୋଇଥିବା ‘କାଳିଆ’ରେ ଅଳିଆ ପଶି ଯାଇଥିଲା। ଯେଉଁ ‘କାଳିଆ’କୁ ନେଇ ୨୦୧୯ରେ ମହାଭାରତ ସୃଷ୍ଟି ହୋଇଥିଲା ତାହା ଶେଷରେ କେନ୍ଦ୍ର ସରକାରଙ୍କ ‘ପିଏମ୍‌ କିଷାନ୍‌’ ଯୋଜନା ସହ ମିଶି ଗୋଳିଆ ହୋଇଯାଇଛି। ବର୍ଷ ସରିଗଲା ପଛେ କାଳିଆ ଯୋଜନାକୁ ଦେଇ ଚର୍ଚ୍ଚା ଥମିଲାନି।

କାଳିଆ ଯୋଜନା ଶୁଭାରମ୍ଭ କରି ରାଜ୍ୟ ସରକାର ନିର୍ବାଚନ ବୈତରଣୀ ପାର୍‌ ହୋଇଥିଲେ। ନିର୍ବାଚନ ପୂର୍ବରୁ କିଛି ଚାଷୀଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିଥିବା ବେଳେ ବାକି ଚାଷୀଙ୍କୁ ନୂଆ ସରକାର ଗଠନ ହେବା ପରେ ମିଳିଥିଲା। ହେଲେ ଏହାପରେ କାଳିଆ ଯୋଜନା ଗୋଳିଆ ହୋଇଯାଇଥିଲା।

ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇ ଯାଇଥିବା ସରକାର କହିଲେ। ଏଣୁ ରାଜ୍ୟରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଲା। ପ୍ରାୟ ୪୦ ହଜାରରୁ ଅଧିକ ଅଯୋଗ୍ୟ ଚାଷୀ କାଳିଆ ଟଙ୍କା ନେଇ ଯାଇଥିବା ସରକାର କହିଲେ। ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଆଣିବା ଲାଗି ବିଜ୍ଞପ୍ତି ପ୍ରକାଶ କଲେ। ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଲା।

ଏହି ବିବାଦ ଭିତରେ ୨୦୧୯ ଶେଷ ବେଳକୁ ରାଜ୍ୟ ସରକାର ‘କାଳିଆ’କୁ କେନ୍ଦ୍ର ସରକାରଙ୍କ ‘ପିଏମ୍‌ କିଷାନ୍‌’ ସହିତ ମିଶାଇ ଦେଇଛନ୍ତି। ଯେଉଁ ଚାଷୀମାନେ ଉଭୟ ‘କାଳିଆ’ ଓ ପିଏମ୍‌ କିଷାନ୍‌ ଯୋଜନାରେ ନାଁ ପଞ୍ଜିକୃତ କରିଛନ୍ତି ସେମାନେ ଘାଟାରେ ପଡ଼ିଛନ୍ତି।

ଏହି ଚାଷୀମାନେ ବର୍ଷକୁ କାଳିଆ ଯୋଜନା ବାବଦରେ ୧୦ ହଜାର ଏବଂ ପିଏମ୍‌ କିଷାନ୍‌ ଯୋଜନା ବାବଦରେ ୬ ହଜାର ଟଙ୍କା ପାଇଥାନ୍ତେ। କିନ୍ତୁ ଯୋଜନା ମିଶିଯିବା ପରେ ଚାଷୀ ମାତ୍ର ବର୍ଷକୁ ୧୦ ହଜାର ଟଙ୍କା ପାଇବେ। କାଳିଆ ଯୋଜନାରୁ ରାଜ୍ୟ ସରକାର ୬ ହଜାର ଟଙ୍କା କାଟି ଦେଇ ୪ ହଜାର ଦେବାକୁ ଘୋଷଣା କରିଛନ୍ତି।

Comment