ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ବର୍ଷରେ ଓଡ଼ିଶା ରସଗୋଲାକୁ କିଭଳି ଜିଆଇ ମାନ୍ୟତା ପ୍ରଦାନ କରାଯାଇଥିଲା, ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୧୯ର ଏହି ରିପୋର୍ଟରେ।

କ୍ୟାଲେଣ୍ଡରରେ ନୂଆବର୍ଷ ଯୋଡିହେବାକୁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ନୂଆବର୍ଷକୁ ପାଳନ କରିବାକୁ ଲୋକମାନେ ଅନେଇ ବସିଛନ୍ତି। କିଏ ଭୋଜି ଭାତ କରି ନୂଆବର୍ଷ ରାତି ପାଳନ କରିବାକୁ ଯାଉଛନ୍ତି ତ ଆଉ କିଏ ପିକନିକ୍ ମୁଡରେ ସାଙ୍ଗସାଥୀଙ୍କ ସହ ସମୟ କାଟିବାକୁ ପ୍ଲାନ୍ କରିଛନ୍ତି। ଓଡ଼ିଆ ଘରମାନଙ୍କରେ ଲୋକମାନେ ପରସ୍ପରକୁ ମିଠା ଖୁଆଇ ନୂଆବର୍ଷର ଅଭିନନ୍ଦନ ଜଣାଇବାକୁ ପ୍ରସ୍ତୁତ ହେଉଛନ୍ତି।୨୦୧୯ ବର୍ଷରେ କିନ୍ତୁ ଲୋକମାନେ ଏହି ମିଠା ପାଇଁ ଯୁଦ୍ଧ କରିଥିଲେ। ଓଡ଼ିଆ ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଓଡ଼ିଆ ଲୋକମାନେ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ।। ନେତା ମନ୍ତ୍ରୀଙ୍କଠାରୁ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ। ମିଠା ବ୍ୟବସାୟୀମାନେ ମଧ୍ୟ ଏଥିରେ ପଛରେ ପଡ଼ିନଥିଲେ। ଓଡ଼ିଶାର ପ୍ରସିଦ୍ଧ ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଲାଗି ସମସ୍ତେ ଏକଜୁଟ୍ ହୋଇ ଲାଗିପଡ଼ିଥିଲେ। ଶେଷରେ ୨୦୧୯ ମସିହା ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ୍।ଓଡ଼ିଆ ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାର ଏହି ମିଠା ଯୁଦ୍ଧ ଆରମ୍ଭ ହୋଇଥିଲା ଗତ ଦୁଇ ବର୍ଷ ତଳେ, ଯେତେବଳେ ବଙ୍ଗଳାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା। ଏହାପରେ ଓଡ଼ିଆ ଲୋକମାନେ ମଧ୍ୟ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଦାବି କରିଥିଲେ। ସୋସିଆଲ୍ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିଭିନ୍ନ ଲୋକମାନେ ରସଗୋଲାକୁ ନେଇ ଅନେକ କିମ୍ବଦନ୍ତୀ ଆଉ କାହାଣୀ କହିବା ଆରମ୍ଭ କରିଦେଇଥିଲେ। ଏହାପରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ପ୍ରଦାନ କରିବାର ଏହି ପ୍ରଚେଷ୍ଟା ଜୋରସୋରରେ ଆରମ୍ଭ ହୋଇଯାଇଥିଲା।

କେତେକ ଲୋକ କହିଥିଲେ ଯେ, ରସଗୋଲା ହେଉଛି ବଙ୍ଗାଳିମାନଙ୍କର। ବଙ୍ଗଳାରେ ହିଁ ରସଗୋଲାର ଉତ୍ପତ୍ତି ହୋଇଛି। କାଳକ୍ରମେ ଓଡ଼ିଆମାନେ ସେମାନଙ୍କଠାରୁ ଏହା ଜାଣି ଓଡ଼ିଶାରେ ରସଗୋଲା ପ୍ରସ୍ତୁତ କରୁଛନ୍ତି। ଓଡ଼ିଆ ଲୋକମାନେ ମଧ୍ୟ ଏହି ଆରୋପର ଜୋରଦାର ବିରୋଧ କରିଥିଲେ। ଓଡ଼ିଆ ପରମ୍ପରା, ସଂସ୍କୃତି ସହ ରସଗୋଲାର ଇତିହାସ ସମ୍ବନ୍ଧରେ କହିବାକୁ ଲାଗିଥିଲେ ଓଡ଼ିଆ ଐତିହାସିକମାନେ। ଜଗନ୍ନାଥ ପରମ୍ପରା ସହ ବହୁ କାଳରୁ କିଭଳି ରସଗୋଲା ଜଡ଼ିତ ତାକୁ ନେଇ ଓଡ଼ିଆ ଲୋକମାନେ ନିଜ ନିଜର କଥା ରଖିଥିଲେ।ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ସମୟରେ ଭକ୍ତମାନେ ହାତରେ ରସଗୋଲା ଧରି ଯେଉଁ ରସଗୋଲା ଭୋଗ ଦେଇଥାନ୍ତି, ସେଥିରୁ ରସଗୋଲା ସହ ଜଗନ୍ନାଥ ପରମ୍ପରାର ନିବିଡ଼ ସମ୍ପର୍କ ବିଷୟରେ ଜାଣିବାକୁ ମିଳିଥାଏ ବୋଲି ଜଗନ୍ନାଥ ସଂସ୍କୃତି ବିଶେଷଞ୍ଜମାନେ ମତ ରଖିଥିଲେ। ନାନାଦି ପ୍ରକାର ମିଠା ଯୁଦ୍ଧ ମଧ୍ୟରେ ଶେଷରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି। ଏହା ଓଡ଼ିଶା ରସଗୋଲାକୁ ଏକ ନୂଆ ପରିଚୟ ଦେବା ସହ ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିପାରିବ ବୋଲି କୁହାଯାଉଛି।

Comment