ଓଡ଼ିଶାଲାଇଭ୍ ବ୍ୟୁରୋ

  • କମିସନରେଟ୍ ପୋଲିସ୍ ଫେସବୁକ୍ ଓ ଟୁଇଟର ପେଜରେ ସିଧାପ୍ରସାରଣ
  • ସକାଳ ୯ଟା ୧୫ ମିନିଟରୁ ସିଧାପ୍ରସାରଣ
  • ପୋଲିସ-ପବ୍ଲିକ ସଂପର୍କକୁ ମଜବୁତ୍ କରିବାକୁ ପ୍ରୟାସ

ଭୁବନେଶ୍ୱର-କଟକକୁ ନେଇ ଗଠିତ ସହରାଞ୍ଚଳ ପୋଲିସ ବ୍ୟବସ୍ଥା ବା କମିସନରେଟ୍ ପୋଲିସ ଜାନୁଆରି ୨ ତାରିଖରେ ନିଜର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏଥିପାଇଁ ଭୁବନେଶ୍ୱର ସପ୍ତମ ବାଟାଲିୟନ ପୋଲିସ ପଡ଼ିଆରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ। ଏନେଇ ପୋଲିସ୍ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। କମିସନରେଟ ପୋଲିସର ଟୁଇଟର ଏବଂ ଫେସବୁକ୍ ପେଜରେ ଏହି କାର୍ଯ୍ୟକ୍ରମ ଲାଇଭ ଷ୍ଟ୍ରିମିଂ କରାଯିବ। ତେଣୁ ସାଧାରଣ ଲୋକେ ନିଜ ନିଜର କମ୍ପ୍ୟୁଟର ଓ ମୋବାଇଲ୍ ମାଧ୍ୟମରେ ସକାଳ ୯ଟା ୧୫ ମିନିଟରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ। ପ୍ରତିଷ୍ଠା ଦିବସର ପରେଡରେ ପୋଲିସ୍ ମହାନିର୍ଦ୍ଦେଶକ ଅଭୟ, ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଅଭିବାଦନ ଗ୍ରହଣ କରିବେ। ପୋଲିସ୍ ମହାନିର୍ଦ୍ଦେଶକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏଥିସହିତ ଓଡ଼ିଶା ପୋଲିସ ବରିଷ୍ଠ ଅଧିକାରୀ ଓ ଅନ୍ୟ ଅତିଥିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।ପ୍ରତିଷ୍ଠା ଦିବସ ଅବସରରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଲୋକଙ୍କ ସୁବିଧା ପାଇଁ ଏବଂ ଆଇନର ସୁପରିଚାଳନା ପାଇଁ କମିସନରେଟ୍ ପୋଲିସ ସଂକଳ୍ପବଦ୍ଧ। ଏଥିପାଇଁ ପୋଲିସକୁ ସହଯୋଗ କରିଆସୁଥିବାରୁ ମହାନଗରର ଜନସାଧାରଣଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ପରମ୍ପରା ଅନୁଯାୟୀ ଏହି ପରେଡରେ କମିସନରେଟ୍ ପୋଲିସ ଅଧୀନରେ ଆସୁଥିବା ବିଭିନ୍ନ ବିଭାଗର ଅଧିକାରୀ ଏବଂ ପୋଲିସ୍ ବଳ ଯୋଗଦେବ। ପୋଲିସ ବ୍ୟାଣ୍ଡର ତାଳେ ତାଳେ ସେମାନଙ୍କ ପରେଡ୍ ବେଶ୍ ଲୋକମାନଙ୍କୁ ଆକର୍ଷିତ କରିବ ବୋଲି କୁହାଯାଇଛି।

କମିସନରେଟ୍ ପୋଲିସର ପ୍ରତିଷ୍ଠା ଦିବସରେ ବିଭିନ୍ନ ବର୍ଗରେ ବିଶେଷ ସଫଳତା ହାସଲ କରିଥିବା ପୋଲିସ ଅଫିସର ଏବଂ ଯବାନମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ପ୍ରତିଷ୍ଠା ଦିବସ ଅବସରରେ ପ୍ରାୟ ଏକ ସପ୍ତାହବ୍ୟାପୀ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଗଣଦୌଡ଼, ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି କମିସନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

Comment