ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନିଜର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ନେତା।
କ୍ୟାଲେଣ୍ଡରରେ ଯୋଡ଼ି ହୋଇଛି ନୂଆ ଫର୍ଦ। ନୂଆବର୍ଷ ନୂଆ ଅତିଥି ହୋଇ ଏବେ କ୍ୟାଲେଣ୍ଡରେ ଯୋଡ଼ି ହୋଇସାରିଛି। ଲୋକମାନେ ମଧ୍ୟ ବେଶ୍ ମଜାମସ୍ତିର ସହ ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ଓଡ଼ିଶାର ଅନେକ ନେତାମାନେ ମଧ୍ୟ ଜନସାଧାରଣମାନଙ୍କୁ ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।
ନୂଆବର୍ଷ ଅବସରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ କହିଛନ୍ତି,“ଦଶନ୍ଧିର ପ୍ରଥମ ବର୍ଷ ରାଜ୍ୟପାଇଁ ଉନ୍ନତି ନେଇ ଆସୁ। ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ଆଗାମୀ ଦିନରେ ସଫଳତାର ଶୀର୍ଷ ଛୁଇଁବ। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଜୀବନରେ ଉନ୍ନତି ନେଇ ଆସନ୍ତୁ।”
ସେହିପରି ଓଡ଼ିଶାକୁ ଏକ କଳଙ୍କ ମୁକ୍ତ ରାଜ୍ୟ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବା ସହ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେଉ ବୋଲି ସେ କହିଛନ୍ତି।
“ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ସାରା ଦେଶରେ ଅଧିକ ସୁନାମ ଅର୍ଜନ କରୁ, ତା’ସହ ଓଡ଼ିଶା ଦେଶର ଏକ ସମୃଦ୍ଧିଶାଳୀ ରାଜ୍ୟ ଭାବେ ମାନ୍ୟତା ପାଉ। ନବୀନ ବାବୁଙ୍କ ଜଣେ ସୈନ୍ୟ ଭାବେ ରାଜ୍ୟ ପାଇଁ କାମ କରୁଥିବାରୁ ମୁଁ ବହୁତ ଖୁସି”, କହିଛନ୍ତି ମହାକାଳପଡ଼ା ବିଜେଡି ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ। ଏହାସହ ନୂଆବର୍ଷରେ ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି ସେ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି।
ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ନୂଆବର୍ଷରେ ସମସ୍ତେ ଓଡ଼ିଶାର ଉନ୍ନତି ପାଇଁ ଚିନ୍ତା କରନ୍ତୁ। ରାଜ୍ୟର ଯୁବ ସମାଜ, ଛାତ୍ର ସମାଜ ଓ ନାରୀ ସମାଜ ଏକାଠି ହେଲେ ହିଁ ରାଜ୍ୟର ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି। ଏଥିସହିତ ନୂଆବର୍ଷ ପାଇଁ ସେ ସମସ୍ତଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି।
ନୂଆବର୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହିତ ଇଂରାଜୀ ନବବର୍ଷକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ନୂଆବର୍ଷରେ ପ୍ରଭୁଙ୍କ ଦର୍ଶନ କରିବା ନିହାତି ପକ୍ଷେ ସୌଭାଗ୍ୟଜନକ। ଏହି ଅବସରରେ ସେ ଓଡ଼ିଶାର ଜନସାଧାରଣଙ୍କୁ ମଧ୍ୟ ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

















