ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟରେ ଏବେ ସାଙ୍ଗଠନିକ ନିର୍ବାଚନର ଋତୁ ଚାଲିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ନିର୍ବାଚନ ହେବାର ଥିଲା। କିନ୍ତୁ ହାଇକୋର୍ଟରେ ରହିଥିବା ଦୁଇଟି ମାମଲା ପାଇଁ ନିର୍ବାଚନର ସମ୍ଭାବନା ଦେଖାଯାଉନାହିଁ। ଏଣୁ ଦଳମାନଙ୍କ ପାଇଁ ବର୍ତ୍ତମାନ କେବଳ ଗୋଟିଏ କାମ – ଆଭ୍ୟନ୍ତରୀଣ ନିର୍ବାଚନ। ଆସନ୍ତା ଦୁଇ ମାସ ମଧ୍ୟରେ ତିନୋଟି ଯାକ ଦଳର ନିର୍ବାଚନ ଶେଷ ହେବ।

ବିଜେପି

ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି କିଏ ହେବେ ସେ ନେଇ ଏବେ ମନ୍ଥନ ଚାଲିଛି। ବସନ୍ତ ପଣ୍ଡାଙ୍କ ସ୍ଥାନରେ କିଏ ସଭାପତି ଦାୟିତ୍ୱ ଗ୍ରହଣ କରିବେ ସେ ନେଇ କେନ୍ଦ୍ରୀୟ ନେତା ସେମାନଙ୍କର ରିପୋର୍ଟ ଦେଇ ସାରିଛନ୍ତି। ଓଡ଼ିଶାର ବିଜେପି ବିଧାୟକ ଓ ସାଂସଦ ସେମାନଙ୍କର ମତ ଦେଇସାରିଛନ୍ତି ବୋଲି ଜଣାପଡିଛି। ଅପେକ୍ଷା କେବଳ ନାମ ଘୋଷଣାର।

ବିଜେଡି

ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ବିଜେଡ଼ି ସଭାପତି ନିର୍ବାଚିତ ହେବେ ଏହା ନିଶ୍ଚିତ। କିନ୍ତୁ ତଳ ସ୍ତରରେ ନିର୍ବାଚନ ଏକ ବଡ଼ ଚାଲେଞ୍ଜ ହୋଇଛି ବିଜେଡି ପାଇଁ। ବିଜେଡିର ପ୍ରାଥମିକ ସଭ୍ୟ ସଂଖ୍ୟା କୋଟିଏ ଟପି ଯାଇଛି ବୋଲି ଦଳର ନେତାମାନେ ଦାବି କରିଛନ୍ତି। ଏଣୁ ପଞ୍ଚାୟତ, ମ୍ୟୁନିସିପାଲିଟି ସ୍ତରରେ ଦଳୀୟ ନିର୍ବାଚନ ଶେଷ ହେବା ପାଇଁ ସମୟ ଲାଗିବ।

ରାଜ୍ୟର ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ ଯଥାକ୍ରମେ ୯୨ ହଜାର ଓ ୧ ହଜାର ୱାର୍ଡ ରହିଛି। ଏଣୁ ଏସବୁ ପାଇଁ ନିର୍ବାଚନ କାଠିକର ପାଠ। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପକେଶରୀ ଦେବ କିନ୍ତୁ କହିଛନ୍ତି ଯେ ୧୫ ତାରିଖ ସୁଦ୍ଧା ଦଳର ନିର୍ବାଚନ ସରିବ। ବିଜେଡିର ନିର୍ବାଚନ ସୂଚୀ ଅନୁଯାୟୀ ଜାନୁଆରି ୧୫ରୁ ୨୯ ମଧ୍ୟରେ ବ୍ଲକ କମିଟି ଓ ଏନଏସି କମିଟି ସଭାପତି ନିର୍ବାଚିତ ହେବେ।

କଂଗ୍ରେସ

କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ମଧ୍ୟ ଶେଷ ହେବା ଉପରେ। ଏଇ ମାସରେ ପିସିସିର ଏକ ନୂଆ ଚେହେରା ଦେଖିବାକୁ ମିଳିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିକଟରେ ଘୋଷଣା କରିଥିଲେ ଯେ ନୂଆ କର୍ମକର୍ତ୍ତାଙ୍କ ନାମ ଶୀଘ୍ର ଘୋଷଣା କରାଯିବ। ଖୁବ୍ ଶୀଘ୍ର ଦଳର କେନ୍ଦ୍ର ନେତାମାନେ ଓଡ଼ିଶା ଆସି ବରିଷ୍ଠ ନେତାମାନଙ୍କ ସହ ନୂଆ ଦଳୀୟ କର୍ମକର୍ତ୍ତାଙ୍କ ସମ୍ପର୍କରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

Comment