ଓଡ଼ିଶାଲାଇଭ୍‌ ବ୍ୟୁରୋ

   

କେନ୍ଦ୍ରାପଡ଼ା ଜିଲ୍ଲାରୁ ମିଠାପାଣି ଯିବ ପଡ଼ୋଶୀ ଭଦ୍ରକ ଜିଲ୍ଲାକୁ। ପିଇବେ ୯୨ଟି ପଞ୍ଚାୟତର ଲକ୍ଷାଧିକ ଲୋକେ। ହେଲେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳବାସୀ। ଏନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ। ଏହାସହ ପ୍ରଶାସନକୁ ଭେଟି ଦାବିପତ୍ର ମଧ୍ୟ ଦେଇଛନ୍ତି।

କିଛିଦିନ ତଳେ ଭଦ୍ରକର ଏକ ମେଳାରେ ଭଦ୍ରକ ଜିଲ୍ଲା ପ୍ରଶାସନ ଏପରି ଏକ ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ଏକ ଟେଲି ଫିଲ୍ମ ସହାୟତାରେ ଭଦ୍ରକ ବାସୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଆରମ୍ଭ ହୋଇଛି ଏହି ପାଇପ୍ ବିଛା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜକନିକା ଅଞ୍ଚଳବାସୀ।

 

ଏଥିପାଇଁ ନାବାର୍ଡ ସହାୟତାରେ ଆରଆଇଡିପିରୁ ୭୫୪ କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ବୈତରଣୀ ନଦୀର ଚାନ୍ଦବାଲି ପୋଲଠାରୁ ବିଶାଳ ବିଶାଳ ଲୁହା ପାଇପ ବିଛା ଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜକନିକା ଅଞ୍ଚଳରେ ପ୍ରବାହିତ ଖରସ୍ରୋତା ନଦୀରୁ ଏହି ପ୍ରକଳ୍ପ ଦ୍ଵାରା ପାନୀୟଜଳ ଯୋଗାଣ କାର୍ଯ୍ୟକୁ ବନ୍ଦ କରିବାକୁ ଆନ୍ଦୋଳନ ଆରମ୍ଭ ହୋଇଛି। ଆନ୍ଦୋଳନକାରୀମାନେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ଆନ୍ଦୋଳନକୁ ସଂଗଠିତ କରିବାକୁ ତୁହାକୁ ତୁହା ଖରସ୍ରୋତା ବଞ୍ଚାଓ ଆନ୍ଦୋଳନ କମିଟିର ବୈଠକ ବସୁଛି। କୃଷି ଭିତ୍ତିକ କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷିର ବିକାଶ ପାଇଁ ପ୍ରବାହିତ ଜଳକୁ ଉପଯୋଗ ନକରି ବାହାର ଜିଲ୍ଲାକୁ ଏହି ଜିଲ୍ଲାର ପାଣିକୁ ଛଡାଯିବନାହିଁ ବୋଲି କମିଟି ପକ୍ଷରୁ ଆହ୍ଵାନ ଦିଆଯାଇଛି।

Comment