ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ମନମୋହନ ସାମଲ ଓ ସମୀର ମହାନ୍ତିଙ୍କ ଭିତରୁ କିଏ ରାଜ୍ୟ ବିଜେପି ସଭାପତି ହେବେ ସେନେଇ ଚର୍ଚ୍ଚା ଜୋର୍ ଧରିଛି।

ବର୍ତ୍ତମାନର ସଭାପତି ବସନ୍ତ ପଣ୍ଡାଙ୍କ ସ୍ଥାନରେ କିଏ ପରବର୍ତ୍ତୀ ସଭାପତି ହେବେ ସେ ନେଇ ରାଜ୍ୟ ବିଜେପି ରାଜନୀତି ସରଗରମ ହୋଇଛି। ଆଉ କିଛି ଦିନ ମଧ୍ୟରେ ନୂଆ ସଭାପତିଙ୍କ ନାମ ଘୋଷଣା ହେବ। ଇତିମଧ୍ୟରେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିନୟ ସହସ୍ର ବୁଦ୍ଧେ ଓ ଆର୍ ପି ସିଂହ ଦଳର ନେତାମାନଙ୍କୁ ଭେଟି ସେମାନଙ୍କ ମତ ନେଇଛନ୍ତି। ସହମତି ଭିତ୍ତିରେ ହିଁ ସଭାପତିଙ୍କ ନାମ ଘୋଷଣା ହେବ ଏହା ସ୍ପଷ୍ଟ ଶୁଣାଯାଉଛି। ଏଥର ଉପକୂଳ ଓଡ଼ିଶାରୁ କେହି ଜଣେ ସଭାପତି ପଦ ଅଳଙ୍କୃତ କରିବେ।ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ସୁଦୃଢ଼ ହେବା ପରେ ଉପକୂଳ ଓଡ଼ିଶାରେ ସଙ୍ଗଠନକୁ ଦୃଢ଼ କରିବା ପାଇଁ ଦଳ ଚାହୁଁଛି। ଏହାକୁ ଆଖିରେ ରଖି ନୂଆ ସଭାପତି ନିର୍ବାଚିତ ହେବେ। ପୂର୍ବରୁ ପ୍ରାୟତଃ ପଶ୍ଚିମ ଓଡ଼ିଶାରୁ ହିଁ ରାଜ୍ୟ ସଭାପତି ନିର୍ବାଚିତ ହୋଇଆସିଛନ୍ତି। ଜୁଏଲ ଓରାମ,ସୁରେଶ ପୂଜାରୀ, କେଭି ସିଂ ଦେଓ ଓ ବସନ୍ତ ପଣ୍ଡାଙ୍କ ଭିତରେ ସଭାପତି ପଦ ସୀମିତ ରହିଆସିଥିବା ବେଳେ ଏଥର ଉପକୂଳ ଓଡିଶାର ପାଳି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି।ନୂଆ ସଭାପତି ପଦ ପାଇଁ ମନମୋହନ ସାମଲ ଓ ସମୀର ମହାନ୍ତିଙ୍କ ନାମ ଚର୍ଚ୍ଚାରେ ରହିଛି। ସାମଲଙ୍କ କ୍ଷେତ୍ରରେ ସମସ୍ୟା ହେଉଛି ଅତୀତରେ ସେ କେତୋଟି ବିବାଦରେ ଫସିଥିଲେ। ଏକ ସେକ୍ସ ସ୍କାଣ୍ଡାଲରେ ତାଙ୍କୁ ୨୦୦୮ ମସିହାରେ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ହୋଇଥିଲା। ଏଣୁ ବର୍ତ୍ତମାନ ଉପସଭାପତି ଥିବା ସମୀର ମହାନ୍ତିଙ୍କ ଉପରେ ହାତୀ କଳସ ଢାଳିପାରେ।

Comment