ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘‘ରୋଷେଇ ଜାଣି ନଥିବା ପୁଅଙ୍କୁ ଝିଅମାନେ ବାହା ହୁଅନ୍ତୁ ନାହିଁ’’ – କମିସନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସରେ ଏଭଳି ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଖାସ୍‌ କରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କମିସନରଙ୍କ ଏହି ମନ୍ତବ୍ୟକୁ ନାପସନ୍ଦ କରିବା ପରେ ଝଡ଼ ଉଠିଛି।

ପୋଲିସ କମିସନରଙ୍କ ମନ୍ତବ୍ୟ ବିଜେଡି କରିଡରକୁ ଖୁସି କରିପାରି ନଥିବା ଚର୍ଚ୍ଚା ହେଉଛି। ଏଣୁ ଏଥିପାଇଁ ଲେନିନ ମହାନ୍ତି ଏହି ମନ୍ତବ୍ୟକୁ ବିରୋଧ କରିଥିବା କୁହାଯାଉଛି। ଏବେ ଲେନିନ୍‌ ଏହି ଘଟଣାରେ ଚୁପ୍‌ ହୋଇ ଯାଇଥିବା ବେଳେ ବିଜେପି ଏବଂ କଂଗ୍ରେସ ବାଣ ମାରିଛନ୍ତି। ପୋଲିସ କମିସନର ଭଲ ପଦକ୍ଷେପ ନେଇଥିବାରୁ ବିଜେଡିର ଏହା ହଜମ ହେଲାନି ବୋଲି ବିଜେପି ଅଭିଯୋଗ କରିଛି।

‘‘ପୋଲିସ କମିସନର ଭଲ ପଦକ୍ଷେପ ନେଇଛନ୍ତି। ତାଙ୍କୁ ଉତ୍ସାହିତ କରିବା ବଦଳରେ ଶାସକ ଦଳର ନେତା ତାଙ୍କୁ ବିଦ୍ରୁପ କରିବା ଦୁର୍ଭାଗ୍ୟଜନକ। କେବଳ ପାୱାର କରିଡରରେ ସେମାନଙ୍କର ହସ୍ତକ୍ଷେପ ରହୁ ବୋଲି ଶାସକ ଦଳର ନେତାମାନେ ଚାହୁଁଛନ୍ତି’’, କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

କଂଗ୍ରେସ ମଧ୍ୟ ପୋଲିସ କମସନରଙ୍କ ମନ୍ତବ୍ୟକୁ ସମର୍ଥନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କମିସନର କିଛି ଭୁଲ୍‌ କଥା କହି ନାହାନ୍ତି। ଏଥିରେ ଅସହିଷ୍ଣୁ ହେଲା ଭଳି କିଛି କଥା ନାହିଁ।

ବିଜେପି ଓ କଂଗ୍ରେସ ପୋଲିସ କମିସନରଙ୍କ ମନ୍ତବ୍ୟକୁ ସମର୍ଥନ କରିଥିବା ବେଳେ ବିଜେଡି ନେତାମାନେ କିନ୍ତୁ ମାପିଚୁପି ମନ୍ତବ୍ୟ ଦେଉଛନ୍ତି।

‘‘ବିଜେଡି କେଉଁଥିରେ ହସ୍ତକ୍ଷେପ କରେନି। ଆମ ଦଳ ଠିକ୍‌କୁ ଠିକ୍‌ ଏବଂ ଭୁଲ୍‌କୁ ଭୁଲ୍‌ କୁହେ। ତେବେ ମୁଖପାତ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ବିଷୟରେ ମୁଁ କିଛି କହିପାରିବି ନାହିଁ। ଏ ସମ୍ପର୍କରେ ସେ ହିଁ ମନ୍ତବ୍ୟ ଦେଇ ପାରିବେ’’, କହିଛନ୍ତି ବିଜେଡି ବିଧାୟକ ସମ୍ବିତ ରାଉତରାୟ।

ପୋଲିସ କମିସନରଙ୍କ ମନ୍ତବ୍ୟକୁ ନେଇ ରାଜନୀତି କରିଡ଼ରରେ ବୟାନବାଜି ଜାରି ରହିଥିବା ବେଳେ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନି। ମହିଳା ସଶକ୍ତିକରଣ ପାଇଁ କମିସନର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଠିକ୍‌ ନା ଭୁଲ୍‌ ସେ ସମ୍ପର୍କରେ କେହି କିଛି କହୁ ନାହାନ୍ତି। ଏପଟେ ମୁଖପାତ୍ର ଲେନିନ୍‌ ମହାନ୍ତି ବି ଆଉ ପ୍ରତିକ୍ରିୟା ଦେଉ ନାହାନ୍ତି।

କମିସନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସରେ ପୋଲିସ କମିସନର ମହିଳା ସଶକ୍ତିକରଣ ପାଇଁ ଏସ୍‌ପିଓ ଗଠନ କରିଥିଲେ। ଏଥିରେ ବିଭିନ୍ନ ସ୍କୁଲ, କଲେଜ ଏବଂ ବିଭିନ୍ନ ସେକ୍ଟରରେ କାମ କରୁଥିବା ଝିଅମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ। ଏମାନଙ୍କୁ ପୋଲିସ ଭଳି କ୍ଷମତା ଦିଆଯିବ ଏବଂ ଏମାନେ ପୋଲିସର ଆଖି କାନ ହୋଇ କାମ କରିବେ ବୋଲି କମିସନର ଘୋଷଣା କରିଥିଲେ।

ସେହିପରି ନିକଟରେ କମିସନର ସୋସିଆଲ ମିଡିଆରେ ଲାଇଭ୍‌ ଚାଟ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ତେବେ ପୋଲିସ କମିସନରଙ୍କ ଏଭଳି କାର୍ଯ୍ୟକ୍ରମକୁ ପାୱାର କରିଡରରେ କିଛି ନେତା ଗ୍ରହଣ କରିପାରୁ ନାହାନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି।

ପୋଲିସ କମିସନରଙ୍କ ମନ୍ତବ୍ୟକୁ ବିରୋଧ କରି ବିଜେଡି ନୀରବ ହୋଇ ଯାଇଛି। ଏପଟେ କଂଗ୍ରେସ ଏବଂ ବିଜେପି ସମର୍ଥନ କରିଛନ୍ତି। ଗତ ଦୁଇ ଦିନ ହେଲା ପୋଲିସ କମିସନରଙ୍କୁ ନେଇ ଗରମ ହୋଇଥିବା ରାଜନୀତି ପାଣିପାଗ ଆଗକୁ କେଉଁ ମୋଡ଼ ନେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment