ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଉଁ ଦଳର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆମ୍ ଆଦ୍ମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ଅରବିନ୍ଦ କେଜରିୱାଲ ରହିଥିବା ବେଳେ ବିଜେପି ଏବଂ କଂଗ୍ରେସର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତା’ ଉପରେ ନଜର ରହିଥିଲା। ହେଲେ ବିଜେପି ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବନି ବୋଲି ସ୍ପଷ୍ଟ କରିଛନ୍ତି ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର।
ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢ଼ିବ ବୋଲି ଜାବ୍ଡେକର ସ୍ପଷ୍ଟ କରିଛନ୍ତି। ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ବିଜେପି ଯେମିତି ନିର୍ବାଚନ ଲଢ଼ିଥିଲା ଠିକ୍ ସେମିତି ଦିଲ୍ଲୀରେ ଲଢ଼ିବ ବୋଲି ରଣନୀତି ତିଆରି କରିଛି।
ପ୍ରକାଶ ଜାବ୍ଡେକର କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ସାରା ଦେଶ ଭରସା କରିଛି। ଦିଲ୍ଲୀ ନିର୍ବାଚନରେ ବି ମୋଦୀଙ୍କ ନେତୃତ୍ୱରେ ଦଳ ପ୍ରଚାର କରିବ। ଅନ୍ୟ ରାଜ୍ୟରେ ବି ଆମ ଦଳ ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିଲା। ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ବିଜେପିର ରଣନୀତି।’’
୨୦୧୫ ବିଧାନସଭା ନିର୍ବାଚନ ବେଳେ ବିଜେପି କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରିଥିଲା। ହେଲେ କିରଣ ବେଦୀ ନିଜେ ନିର୍ବାଚନ ହାରି ଯାଇଥିଲେ। ଏହାସହ ବିଜେପି ମଧ୍ୟ ଦିଲ୍ଲୀର ମୋଟ ୭୦ ଆସନରୁ ମାତ୍ର ୩ଟି ଆସନ କବ୍ଜା କରିଥିଲା। ଏଥର ବିଜେପି ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବାରୁ ଦଳ କେତେ ସଫଳତା ହାସଲ କରିବ ତା’ ଉପରେ ନଜର ରହିଛି।