ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ମହିଳା ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଘୋଷଣା ହୋଇଥିବା ଭାରତୀୟ ଦଳରେ ହରମନପ୍ରିତ କୌର ଅଧିନାୟକ ଦାୟିତ୍ଵ ତୁଲାଇବେ। ସେହିପରି ଦଳ ନୂଆ ମୁହଁ ଭାବେ ରିଚା ଘୋଷଙ୍କୁ ସାମିଲ କରାଯାଇଛି। ଫେବ୍ରୁଆରି ୨୧ ତାରିଖରୁ ଅଷ୍ଟ୍ରେଲିଆରେ ମହିଳା ବିଶ୍ଵକପ ଆରମ୍ଭ ହେବ।

ଏହାସହ ହରିୟାଣାର ୧୫ ବର୍ଷିୟ ଶେଫାଳି ବର୍ମାଙ୍କୁ ମଧ୍ୟ ସାମିଲ କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏଥିରେ ଚୟନ କରାଯାଇଛି। ନିକଟରେ କଟକରେ ହୋଇଥିବା ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫିରେ ମଧ୍ୟ ଶେଫାଳି ଚମତ୍କାର ପ୍ରଦର୍ଶନ କରିଥିଲେ।

ଆଇସିସି ମହିଳା ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଟିମ୍‌କୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ସହ ଗ୍ରୁପ ‘ଏ’ରେ ରଖାଯାଇଛି। ସେହିପରି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌, ପାକିସ୍ତାନ ଓ ଥାଇଲାଣ୍ଡ ଗ୍ରୁପ୍‌-ବି’ରେ ସ୍ଥାନ ପାଇଛନ୍ତି।

ବିଶ୍ୱକପ୍ ଟି-୨୦ ଦଳ: ହରମନପ୍ରୀତ କୌର(କ୍ୟାପଟେନ୍‌), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ହର୍ଲୀନ୍ ଦେଓଲ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣାମୂର୍ତ୍ତୀ, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ୍‌, ଶିଖା ପାଣ୍ଡେ, ପୂଜା ବସ୍ତ୍ରାକର, ଅରୁନ୍ଧତୀ ରେଡ୍ଡି।

Comment