ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନଗଣନା ସହିତ ଆର୍ଥିକ, ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ସୁପାରିଶ କରିଛନ୍ତି। ଏହାକୁ ରାଜ୍ୟ ବିଜେପି ତୀବ୍ର ସମାଲୋଚନା କରିଛି। ୨୦ ବର୍ଷ ପରେ ଓଡିଶାର ପଛୁଆ ବର୍ଗଙ୍କ ବିକାଶ କଥା ନବୀନ ବାବୁଙ୍କର କାହିଁକି ମନେ ପଡ଼ିଲା ବୋଲି ବିଜେପି ପ୍ରଶ୍ନ କରିଛି।

ରାଜ୍ୟ ସରକାର ପଛୁଆ ବର୍ଗଙ୍କ ବିକାଶ ପାଇଁ ଯଦି ଏତେ ତତ୍ପର ତାହାଲେ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର କମିସନର କାହିଁକି ନିଯୁକ୍ତି କରିନାହାନ୍ତି  ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। କାହିଁକି ଓଡିଶାରେ ପଛୁଆ ବର୍ଗର କମିସନର ପଦ ଫାଙ୍କା ପଡିଛି ଏହା ଉପରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ପ୍ରଶ୍ନ କରିଛନ୍ତି ପୃଥ୍ୱୀରାଜ।

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘‘ବିଭିନ୍ନ ରାଜ୍ୟରେ ପଛୁଆ ବର୍ଗମାନଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ମିଳୁଛି। ଓଡ଼ିଶାରେ ବିଜୁ ଜନତା ଦଳ ୨୦ ବର୍ଷ ଶାସନ କଲା ପରେ ପଛୁଆ ବର୍ଗର ଲୋକମାନଙ୍କର ଉନ୍ନତି ପାଇଁ ସମ୍ବିଧାନର ଯେଉଁ ପ୍ରାବଧାନ ଅଛି, ଯେଉଁ ସୁବିଧା କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରମାନେ ଦେଉଛନ୍ତି ତାକୁ ବି ଲାଗୁ କରୁନାହାନ୍ତି। କାହିଁକି ଓବିସି ବର୍ଗର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ମିଳୁନାହିଁ ତା’ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ।’’

୨୦୧୧ର କେନ୍ଦ୍ର ସରକାରଙ୍କ ସାମାଜିକ ଓ ଅର୍ଥନୈତିକ ଜନଗଣନାର ଯେଉଁ ତାଲିକା ଆସିଥିଲା ତା’ଉପରେ ରାଜ୍ୟ ସରକାର ସନ୍ତୁଷ୍ଟ ହେଲେ ନାହିଁ। ତାକୁ ବାରମ୍ବାର ସଂଶୋଧନ କରିବା ପାଇଁ କହିଲେ ଓ ସଂଶୋଧନ କରାଇଥିଲେ ମଧ୍ୟ। ସେହି ତାଲିକା ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରି ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ୨୭ ଲକ୍ଷ ଲୋକଙ୍କର ଏକ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କଲେ। ହେଲେ ସେହି ତାଲିକାରେ ବ୍ୟାପକ ଅନିୟମିତତା ଦେଖି ଭାରତୀୟ ଜନତା ପାର୍ଟି ସେହି ତାଲିକାକୁ ଚାଲେଞ୍ଜ କଲା।

ଏବେ ସେହି ତାଲିକାରୁ ୧୩ ଲକ୍ଷ ୨୫ ହଜାର ପରିବାରକୁ କାଟିବେ ବୋଲି ପଂଚାୟତରାଜ ବିଭାଗ ଚିଠି ଲେଖିଛନ୍ତି। ଖାଲି ସେତିକି ନୁହେଁ, ଖାଦ୍ୟ ସୁରକ୍ଷା ଯୋଜନାରେ ବି ୧୮ ଲକ୍ଷ ଲୋକଙ୍କୁ ତାଲିକାରୁ କଟାଗଲା। ଯଦି ଏହି ଦୁଇଟି ଯୋଜନାର ହିତାଧିକାରୀ ତାଲିକା ପ୍ରସ୍ତୁତି ବେଳେ ଏସ୍‌ଇସିସିର ତାଲିକାକୁ ରାଜ୍ୟ ସରକାର ମାନିଥାନ୍ତେ ତାହେଲେ ଏପରି ଅନିୟମିତତା ହୋଇନଥାନ୍ତା। ରାଜନୈତିକ ଆଧାରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ତାଲିକା ପ୍ରସ୍ତୁତ ହେଉଥିବାରୁ ପଛୁଆ ବର୍ଗର ପ୍ରକୃତ ହିତାଧିକାରୀମାନେ ବଞ୍ଚିତ ହେଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ଓ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

Comment