ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀର ମାରିଛନ୍ତି। ସେ କହିଛନ୍ତି ଯେ ବିକ୍ଷୋଭ କରୁଥିବା ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ସାମ୍ନାକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସାହସ ନାହିଁ।

‘‘ମୁଁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ କରୁଛି ସେ ସୁରକ୍ଷା କର୍ମୀଙ୍କୁ ସାଙ୍ଗରେ ନନେଇ ଜେନେୟୁ କ୍ୟାମ୍ପସ୍‌ ଆସନ୍ତୁ। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ସାମ୍ନା କରନ୍ତୁ। ଛାତ୍ରମାନଙ୍କ ସ୍ୱରକୁ ଚାପି ଦେବା ଉଦ୍ୟମ କରାଯାଉଛି। ଏହା ଆଦୌ ଠିକ୍‌ ନୁହେଁ’’, କହିଛନ୍ତି ରାହୁଲ ଗାନ୍ଧୀ।

ଜେଏନ୍‌ୟୁରେ ଛାତ୍ର ଅଶାନ୍ତି ଏବଂ ସିଏଏକୁ ଆଧାର କରି କଂଗ୍ରେସ ଆଜି ବୈଠକ ଡାକିଥିଲା। ଏହି ବୈଠକରେ ୧୪ ବିରୋଧୀ ଦଳ ସାମିଲ ହୋଇଥିଲେ। ଏହି ବୈଠକ ପରେ ରାହୁଲ ଗାନ୍ଧୀ ମୋଦୀଙ୍କୁ ତୀର ମାରିଛନ୍ତି।

ରାହୁଲ ଆହୁରି କହିଛନ୍ତି, ‘‘ଯୁବକ ଏବଂ କୃଷକମାନଙ୍କର ଅନେକ ସମସ୍ୟା ରହିଛି। ସେମାନଙ୍କ ସମସ୍ୟା ସମାଧାନ ହେଉ ନଥିବାରୁ ଅସନ୍ତୋଷ ବଢୁଛି। ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିରେ କେମିତି ସୁଧାର ଆସିବ ସେଥିପ୍ରତି ପ୍ରଧାନମନ୍ତ୍ରୀ ଧ୍ୟାନ ନଦେଇ ଏଥିରୁ ଦୃଷ୍ଟି ହଟାଇବାକୁ ଉଦ୍ୟମ କରୁଛନ୍ତି।’’

ଦୁଇ ସପ୍ତାହ ପରେ ରାହୁଲଙ୍କୁ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡ ନିର୍ବାଚନ ପରେ ରାହୁଲଙ୍କୁ ଦେଖିବାକୁ ମିଳୁ ନଥିଲା। ସିଏଏ ବିରୋଧୀ ବୈଠକରେ ରାହୁଲଙ୍କୁ ଦେଖିବାକୁ ମିଳିଛି।

Comment