ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ନାଟ୍ୟକାର ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ମିଳିଲା ‘ତପସ୍ୟା ଶାଶ୍ୱତ ପୁରସ୍କାର -୨୦୧୯’। ତାଙ୍କ ସହ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସୂର୍ଯ୍ୟ ଦେଓ ଓ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ତପସ୍ୟା ଫାଉଣ୍ଡେସନ ତରଫରୁ ସାହିତ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

ରବିବାର ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଅଡିଟୋରିୟମରେ ଏହି ତିନି ଜଣ ବ୍ୟକ୍ତିିବିଶେଷଙ୍କୁ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ନାଟ୍ୟକାର ନାରାୟଣ ଚନ୍ଦ୍ର ରାୟଙ୍କୁ ତପସ୍ୟା ଶାଶ୍ୱତ ପୁରସ୍କାର –୨୦୧୯ ସହିତ ୫୦ ହଜାର ଟଙ୍କା, ସୂର୍ଯ୍ୟ ଦେଓଙ୍କୁ ତପସ୍ୟା  ସୃଜନ ପରୁସ୍କାର-୨୦୧୯ ସହ ୩୦ ହଜାର ଟଙ୍କା ଓ ଡିଲେଶ୍ୱର ରଣାଙ୍କୁ ତପସ୍ୟା ସମ୍ଭାବନା ପୁରସ୍କାର-୨୦୧୯ ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ରବିବାର ଏହି କାର୍ଯ୍ୟକ୍ରମରେ ରମଣ ମାଗାସେସେ ପୁରସ୍କାର ବିଜେତା ତଥା ‘ଗୁଞ୍ଜ’ର ପ୍ରତିଷ୍ଠାତା ଅଂଶୁ ଗୁପ୍ତା ଯୋଗଦେଇ ‘ସାଧାରଣ ଲୋକଙ୍କ ସ୍ୱର ଓ ବିଚାରବୋଧ’ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ତାଙ୍କ ସହ ନ୍ୟୁଜ୍ ୧୮ ନେଟୱାର୍କର ଡିଜିଟାଲ ସମ୍ପାଦକ ନିଧୀଶ ତ୍ୟାଗୀ ‘ଗଣତନ୍ତ୍ର ଓ ଅବହେଳିତ ଭାରତୀୟ’ ଶୀଷର୍କରେ ଆଲୋଚନା କରିଥିଲେ।ଏହାସହ ୨୦୧୮ ମସିହା ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କୁ ତପସ୍ୟା ଶାଶ୍ୱତ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଲେଖକ ଭୀମ ପୃଷ୍ଟିଙ୍କୁ ତପସ୍ୟା ସୃଜନ ପରୁସ୍କାର ଓ ଯୁବ ଲେଖକ ନିଖିଳେଶ ରଣାଙ୍କୁ ତପସ୍ୟା ସମ୍ଭାବନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତପସ୍ୟା ଫାଉଣ୍ଡେସନର ଟ୍ରଷ୍ଟି ଡକ୍ଟର ଜୁଲି ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଏଥିସହିତ ଲେଖିକା ଡକ୍ଟର ହିରଣ୍ମୟୀ ମିଶ୍ର ଓ ତପସ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା ତପନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comment