ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ଦିନ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର ସିନେମା’ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଘୋଷଣା କରାଯାଇଛି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ଏହି ସଫଳତା ନିମନ୍ତେ ସୂର୍ଯ୍ୟ ଦେଓଙ୍କୁ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସୂର୍ଯ୍ୟ ଦେଓ ଓଡ଼ିଆ ସିନେମାର ଇତିହାସକୁ ପୁର୍ନଜୀବିତ କରିବା କ୍ଷେତ୍ରରେ ତାଙ୍କର ଅନୁଭୂତି ବଖାଣିବା ସହ ଗବେଷଣା ସମୟରେ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କରେ କହିଥିଲେ।

ସୂର୍ଯ୍ୟ ଦେଓଙ୍କ ଲିଖିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ରେ ୨୧ଟି କ୍ଲାସିକ୍ ଓଡ଼ିଆ ଚଳଚ୍ଚିତ୍ରର ବିସ୍ତୃତ ନଥୀକରଣ, ପରିଚର୍ଯ୍ୟା ଏବଂ ଚଳଚ୍ଚିତ୍ର ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଆତ୍ମକଥନ ସ୍ଥାନିତ ହୋଇଛି। ୨୮୮ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ପୌରାଣିକ, ସାହିତ୍ୟର ରୂପାନ୍ତର, ମନୋରଞ୍ଜନ ଓ ମସଲାଧର୍ମୀ ଏବଂ ସମାନ୍ତର ଚଳଚ୍ଚିତ୍ରର ବର୍ଗୀକରଣ ରହିଛି। ଶହେରୁ ଅଧିକ ଦୁର୍ଲଭ ଫଟୋଗ୍ରାଫ୍ ଏବଂ ପୋଷ୍ଟର ‘କାଲି ପାଇଁ କାଲିର ସିନେମା’ର ଅନ୍ୟତମ ଆକର୍ଷଣ। ଓଡ଼ିଆ ଚଳଚ୍ଚିତ୍ରର ତଥ୍ୟ ଓ ଇତିହାସ ସମ୍ବନ୍ଧରେ ଏହି ଗ୍ରନ୍ଥରେ ବିଶେଷ ଉଲ୍ଲେଖ ରହିଛି। ଚଳିତ ବର୍ଷ ଓଡ଼ିଶାରୁ ଏକ ମାତ୍ର ସୂର୍ଯ୍ୟ ଦେଓଙ୍କର ପୁସ୍ତକ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛି।

ଏହି ଅବସରରେ ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପଦେଷ୍ଟା ପ୍ରଫେସର ଜୟଦେବ ପତି, ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ୍ ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର, ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା ଓ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #SOA #Felicitated #NationalFilmAward #Winner #SuryaDeo #KaliPainKaliRaLekha

Comment