ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଟାରି କ୍ଲବ୍‌ର ୭୫ ବର୍ଷ ପୂର୍ତ୍ତି ଅବସରରେ କଟକରେ ରବିବାର ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଳିତ ହୋଇଛି। ରୋଟାରି କ୍ଲବ୍‌ ପକ୍ଷରୁ ସ୍ଥାନୀୟ ଖ୍ରୀଷ୍ଟିଆନ୍‌ ପଡ଼ିଆରୁ ଆରମ୍ଭ କରି କଟକ କ୍ଳବ୍‌ ଯାଏଁ ଏକ ବିଶାଳ ପଦଯାତ୍ରା ଆୟୋଜନ କରାଯାଇଥିଲା।

ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ରୋଟାରି କ୍ଲବ୍‌ର ସଭାପତି ସତ୍ୟବ୍ରତ ତ୍ରିପାଠୀ ଏହି ବିଶାଳ ପଦଯାତ୍ରାର ଉଦ୍‌ଘାଟନ କରିଥିଲେ। ଏହି ପଦଯାତ୍ରାରେ ୫୦୦ରୁ ଅଧିକ ବ୍ୟକ୍ତିମାନେ ସାମିଲ ହୋଇଥିଲେ।

ରୋଟାରି କ୍ଲବ୍‌ର ବରିଷ୍ଠ ସଦସ୍ୟ ଏବଂ ରୋଟାରି ଜିଲ୍ଲା ସଦସ୍ୟମାନଙ୍କର ଉପସ୍ଥିତିରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ରୋଟାରି କ୍ଲବ୍‌ର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର୍ ଶିବବ୍ରତ ଦାଶ ସ୍ଥାନୀୟ କଟକ କ୍ଲବ୍‌ରେ ଆୟୋଜିତ ଏହି ଭବ୍ୟ ସମାରୋହକୁ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

ଏହି ସମାରୋହରେ ‘ରୋଟାରି: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଓ ‘ଆଇକନ୍ସ୍ ଅଫ୍ ଓଡ଼ିଶା’ ଶୀର୍ଷକ ଦୁଇଟି କନ୍‌କ୍ଲେଭ୍‌ ଆୟୋଜନ କରାଯାଇଥିଲା ‘ଆଇକନ୍‌ସ ଅଫ୍ ଓଡ଼ିଶା’ ଶୀର୍ଷକ ଦ୍ୱିତୀୟ କନ୍‌କ୍ଲେଭ୍‌ରେ ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ୍ ପୌରହିତ୍ୟ କରିଥିବା ବେଳେ ରୋଟାରି କ୍ଲବ୍‌ର ସଦସ୍ୟ ପରିଚାଳନା କରିଥିଲେ।

ଏହି ଅବସରରେ ରୋଟାରି କ୍ଲବ୍ କଟକର ସଭାପତି ସତ୍ୟବ୍ରତ ତ୍ରିପାଠୀ କହିଥିଲେ, ‘‘ରୋଟାରି କେବଳ ଏକ କ୍ଲବ୍ ନୁହେଁ ବରଂ ଏକ ବିଶାଳ ସମାଜ। ଆଗାମୀ ଦିନରେ ଭାରତର ଉନ୍ନତି ନିମନ୍ତେ ରୋଟାରି କ୍ଲବ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏଥିରେ କୌଣସି ସନ୍ଦେହ ନାହିଁ।’’

Comment