ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ। ଏହି ସିରିଜର ପ୍ରଥମ ମ୍ୟାଚ ମୁମ୍ଵାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ହେଲେ କାଲି ହେବାକୁ ଥିବା ମ୍ୟାଚରେ ଟିମ୍‌ ଇଣ୍ଡିଆ ଓପନିଂକୁ ନେଇ ଚିନ୍ତାରେ ରହିଛି। ଦଳ ପକ୍ଷରୁ କିଏ ଓପନିଂ ଦାୟିତ୍ଵ ସମ୍ଭାଳିବେ ତାକୁ ନେଇ ବିରାଟ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି।

ଦଳରେ ରୋହିତ ଶର୍ମା, କେଏଲ୍‌ ରାହୁଲ ଓ ଶିଖର ଧାଓ୍ଵନଙ୍କୁ ସାମିଲ କରାଯାଇଛି। ଏହି ତିନି ବ୍ୟାଟ୍ସମ୍ୟାନ ଭାରତ ପକ୍ଷରୁ ଓପନିଂ ଦାୟିତ୍ଵ ସମ୍ଭାଳନ୍ତି। ହେଲେ କାଲିର ମ୍ୟାଚରେ କେଉଁ ଦୁଇ ଜଣଙ୍କୁ ଦାୟିତ୍ଵ ଦିଆଯିବ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ଶିଖର ଧାଓ୍ଵନଙ୍କ ଅନୁପସ୍ଥିତିରେ ରୋହିତ ଓ ରାହୁଲ ଓପନିଂ କରୁଥିଲେ। ବର୍ତ୍ତମାନ ଧାଓ୍ଵନ ଦଳକୁ ଫେରିଛନ୍ତି। ଧଓ୍ଵନ ପୂର୍ବରୁ ରୋହିତଙ୍କ ସହ ଓପନିଂ କରୁଥିଲେ। ବର୍ତ୍ତମାନ ବିରାଟ ରୋହିତ-ରାହୁଲଙ୍କୁ ଓପନିଂ ଦାୟିତ୍ଵ ଦେବାକୁ ପସନ୍ଦ କରିବେ ନା ପୂର୍ବ ଭଳି ଧାଓ୍ଵନଙ୍କୁ ସୁଯୋଗ ଦେବେ, ତାହା କାଲିର ମ୍ୟାଚ ଆରମ୍ଭ ହେଲା ପରେ ଜାଣିପାରିବେ।

ଯଦି ରୋହିତ-ରାହୁଲ-ଧାଓ୍ଵନ ଏହି ମ୍ୟାଚରେ ଖେଳନ୍ତି, ତାହେଲେ ବିରାଟ ନିମ୍ନକ୍ରମରେ ବ୍ୟାଟିଂ କରିପାରନ୍ତି।

Comment