ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଭିତରକନିକା ଅଭୟାରଣ୍ୟ ଅଞ୍ଚଳରେ ପ୍ରାୟ ୫୨ଟି ଗାଁ ରହିଛି। ଏହି ଗାଁମାନଙ୍କରେ ଅଭୟାରଣ୍ୟର କଠୋର ନିୟମ ସବୁ ଲାଗୁ କରାଯାଇଛି। ଅଭୟାରଣ୍ୟ ପରିସରରେ ଗାଁଗୁଡ଼ିକ ଆସୁଥିବାରୁ ସେଠାରେ ସରକାରଙ୍କର ଉନ୍ନୟନ ଯୋଜନା ସବୁ ପହଞ୍ଚିପାରୁନି। ଏବେ ଏହି ଗାଁସବୁକୁ ଅଭୟାରଣ୍ୟ ପରିସରରୁ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଫଳରେ ଏହି ଗାଁର ଲୋକ ସବୁ ସରକାରୀ ସୁବିଧା ପାଇ ପାରିବେ।

କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳ ଅଞ୍ଚଳ ତଦାରଖ କମିଟିର ଜନ ଶୁଣାଣିରେ ଏହି ନିଷ୍ପତ୍ତ ହୋଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ରାଜନଗର ଡିଏଫ୍ଓ ତଥା ସଦସ୍ୟ ସଚୀବ ଜିଲ୍ଲା ଉପକୂଳ ଅଞ୍ଚଳ ତଦାରଖ କମିଟିର ସଦସ୍ୟ ସଚୀବ ବିକାଶରଞ୍ଜନ ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀଣୀ ଓ ରାଜନଗର, ମହାକାଳପଡ଼ା ଓ ରାଜକନିକା ତହସିଲର ବିଡିଓ ଓ ତହସିଲଦାର, ବନ ବିଭାଗର ଅଧିକାରୀମାନେ ଏହି ଜନଶୁଣାଣିରେ ଉପସ୍ଥିତ ରହିଥିଲେ।

ଯେଉଁ ଜନବସତିରେ ଜଙ୍ଗଲ ନାହିଁ କେବଳ ଘରଦ୍ୱାର ରହିଛି ଓ ଲୋକମାନେ ବାସକରୁଛନ୍ତି ସେସବୁ ଅଞ୍ଚଳକୁ ଅଭୟାରଣ୍ୟର କଟକଣା ମୁକ୍ତ କରାଯିବ। ତେବେ ଅଭୟାରଣ୍ୟର ନିର୍ଦ୍ଧାରିତ ପରିସୀମାକୁ ବଜାୟ ରଖିବା ପାଇଁ ଅଭୟାରଣ୍ୟର ବାହାରେ ରହିଥିବା ଜଙ୍ଗଲ କିସମର ଜମିରେ ରହିଥିବା ଜଙ୍ଗଲ ଅଞ୍ଚଳକୁ ଭିତରକନିକା ଅଭୟାରଣ୍ୟର ପରିସୀମା ଭୁକ୍ତ କରାଯିବ।

ସେହିପରି ରାଜ୍ୟ ଉପକୂଳ ପରିଚାଳନା ଅଥରିଟିଙ୍କ ଦ୍ୱାରା ସାମୁଦ୍ରିକ ଉପକୂଳର ନୂତନ ନକ୍ସା ଓ ଚିଠା ସମ୍ପର୍କିତ ଆଲୋଚନାରେ ଜନସାଧାରଣ ଭାଗ ନେଇଥିଲେ। ରାଜକନିକା, ମହାକାଳପଡା ଓ ରାଜନଗର ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅନେକ ଚିଙ୍ଗୁଡି ଚାଷୀ ଓ ମତ୍ସ୍ୟଜୀବୀ ସଙ୍ଘର କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ରାଜ୍ୟ ଉପକୂଳ ପରିଚାଳନା ଅଥରିଟି ପ୍ରଣୟନ କରିବାକୁ ଯାଉଥିବା ନୂତନ ନିୟମ ଅନୁସାରେ ସମୁଦ୍ର ଉପକୂଳର ସୀମା ସରହଦ ନିର୍ଦ୍ଧାରଣ କରାଯିବ। ସମୁଦ୍ରର ଉଚ୍ଚ ଜୁଆରଠାରୁ ୫୦୦ ମିଟର ଓ ସମୁଦ୍ରର ଉଚ୍ଚ ଜୁଆର ପ୍ରବେଶ କରୁଥିବା ନଦୀ କୂଳିଆ ଗାଁମାନଙ୍କର ଉଭୟ କୂଳରୁ ୫୦ ମିଟର ପର୍ଯ୍ୟନ୍ତ ଏହି ନିଷିଦ୍ଧାଞ୍ଚଳ ସୃଷ୍ଟି କରାଯିବ।

Comment